ପୁରୀ: ପୁରୀ ଜିଲ୍ଲାର ଦ୍ବିପାଞ୍ଚଳ କୁହାଯାଉଥିବା କୃଷ୍ଣପ୍ରସାଦ ବ୍ଲକ୍ରେ ପହଞ୍ଚିବ ମଧୁର ଜଳ। ବସୁଧା ଯୋଜନାରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ସ୍ବପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଚିଲିକାର ଲୁଣିପାଣି ଘେରରେ ଥିବା କୃଷ୍ଣପ୍ରସାଦ ବ୍ଲକ୍ର ତିତିପ ଚାରିଛକ ଗୋମୁଣ୍ଡିଆ ଖେଳ ପଡ଼ିଆଠାରେ ୫ ବର୍ଷ ତଳେଏହି ମେଗା ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା। ହେଲେ ଏପର୍ଯ୍ୟନ୍ତ ପ୍ରକଳ୍ପ ପୂର୍ଣ୍ଣରୂପ ନେଇପାରିନି। ଫଳରେ ପୂର୍ବଭଳି ଲୁଣି ପାଣିକୁ ପିଇନପାରି କୃଷ୍ଣପ୍ରସାଦର ଲୋକେ ବୋତଲ ପାଣି, ନଚେତ୍ ଦୂଷିତ ପୋଖରୀର ପାଣି ବ୍ୟବହାର କରୁଛନ୍ତି।
୨୦୧୮ ନଭେମ୍ବର ୨୨ ତାରିଖରେ ବସୁଧା ଯୋଜନାରେ ମେଗା ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାସ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ। ଏହି ପ୍ରକଳ୍ପ ଜରିଆରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ର ୧୪ଟି ପଞ୍ଚାୟତର ୯୨ଟି ଗାଁ ଓ ଗଞ୍ଜାମ ଜିଲ୍ଲାର କିଛି ଗାଁ ପ୍ରାୟ ୪ଲକ୍ଷ ଲୋକଙ୍କୁ ପିଇବା ପାଣି ଯୋଗାଣର ଲକ୍ଷ୍ୟ ଥିଲା। ଋଷିକୁଲ୍ୟା ନଦୀର କଂସାରୀ ଗଣ୍ଡରୁ ପାଇପ ଯୋଗେ ପାଣି ଆଣି ବିଶୋଧନ ପରେ ଉଭୟ କୃଷ୍ଣପ୍ରସାଦ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗାଁରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, କେବଳ କୃଷ୍ଣପ୍ରସାଦ ବ୍ଲକ୍ରେ ପାନୀୟ ଜଳଯୋଗାଣ ପାଇଁ ୫୦.୫୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଟେଣ୍ଡର ପରେ ହାଇଦ୍ରବାଦର ଏକ ଠିକା ସଂସ୍ଥାକୁ ଏହି ପ୍ରକଳ୍ପର କାର୍ଯ୍ୟାଦେଶ ଦିଆଯାଇଥିଲା। କାର୍ଯ୍ୟାଦେଶ ଚୁକ୍ତିନାମା ଅନୁଯାୟୀ, ୨୦୧୮ ଅଗଷ୍ଟ ୨୮ରୁ କାମ ଆରମ୍ଭ ଓ ୨୦୨୦ ଅଗଷ୍ଟ ୨୭ରେ କାମ ଶେଷ କରିବାର ଥିଲା। କିନ୍ତୁ ଠିକାଦାର ଇଥିମଧ୍ୟରେ ତିନି ତିନି ଥର କାମ ଶେଷ ଅବଧି ବଦଳାଇ ସାରିଲେଣି।
ସମୟ ପରେ ସମୟ ଗଡ଼ାଉଛି ଠିକାସଂସ୍ଥା, ବଜାରର ବୋତଲ ପାଣି ଭରସା
ଲକ୍ଷ୍ୟ ଥିଲା ଗଞ୍ଜାମ ସହ କୃଷ୍ଣପ୍ରସାଦର ୧୪୭ ଗାଁକୁ ପିଇବା ପାଣି ଯୋଗାଣ
କାର୍ଯ୍ୟାଦେଶ ଅନୁଯାୟୀ ୨୦୨୦ ଅଗଷ୍ଟ ୨୭ ପରେ ୨୦୨୨ ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ସାରିଦେବାକୁ ଠିକା ସଂସ୍ଥା ଆବେଦନ କରିଥିଲା। ରାଜ୍ୟ ସରକାର ବି ଏହି ଆବେଦନକୁ ଗ୍ରହଣ କରି ଠିକା ସଂସ୍ଥାକୁ ଦରଦ ଦେଖାଇଥିଲେ। ତଥାପି ସମ୍ପୃକ୍ତ ଠିକାସଂସ୍ଥା କାମ ନ ସାରି ପୁଣି ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। କିନ୍ତୁ ଠିକାଦାରଙ୍କୁ ପ୍ରକଳ୍ପ ବାବଦ ଟଙ୍କା ଦେବାରେ କେବେ ଅବହେଳା କରାଯାଇଛି। ଠିକା ସଂସ୍ଥା ପ୍ରକଳ୍ପ ବାବଦରେ ୭୦ ପ୍ରତିଶତ ଅର୍ଥ ଅର୍ଥାତ୍ ୩୧.୮୦କୋଟି ଟଙ୍କା ନେଇ ସାରିଲେଣି। କିନ୍ତୁ ପ୍ରକଳ୍ପ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ିଥିବାବେଳେ ଚାରିଆଡ଼େ ଖୋଳି ଛାଡ଼ି ଦେଇଛି ଠିକା ସଂସ୍ଥା। ଯାହା ଦୁର୍ଘଟଣାର କାରଣ ସାଜିଛି। ସେପଟେ ପାଇପଗୁଡ଼ିକ ବାହାରେ ବିକ୍ଷିପ୍ତ ହୋଇ ପଡ଼ିଛି। ଏସମ୍ପର୍କରେ କୃଷ୍ଣପ୍ରସାଦ ବ୍ଲକ୍ର ବରିଷ୍ଠ କଂଗ୍ରେସ ନେତା ଡା. ନିରଞ୍ଜନ ବିଶ୍ବାଳ କହିଛନ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ ଅଞ୍ଚଳବାସୀଙ୍କ ବହୁଦିନର ସମସ୍ୟାର ସମାଧାନ କରିବ ବୋଲି ଲୋକେ ଆଶା କରିଥିଲେ। କିନ୍ତୁ ପ୍ରକଳ୍ପରେ ମନ୍ଥରତା ଏହି ସ୍ବପ୍ନକୁ ଧୂଳିସାତ୍ କରିଦେଇଛି। ମାଟି ଖୋଳିଲେ ଏଠି ଲୁଣି ପାଣି ବାହାରୁଥିବାରୁ ଅଞ୍ଚଳବାସୀ ବି ଉପାୟଶୂନ୍ୟ। ତୁରନ୍ତ ଏହି ପ୍ରକଳ୍ପ କାମ ଶେଷ କରି ସେକୁ ଦାବି କରିଛନ୍ତି।