ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ପୁରୁଣିଆ ପଞ୍ଚାୟତରେ ଫେଲ ମାରିଛି ବସୁଧା ଯୋଜନା। ଟାଙ୍କି ନିର୍ମାଣର ମାସ ମାସ ପରେ ବି ଲୋକଙ୍କୁ ପାଣି ଟୋପାଏ ମିଳୁ ନାହିଁ। ଗ୍ରୀଷ୍ମଋତୁର ଡହଡହ ଖରାରେ ପାଣି ପାଇଁ ଚିନ୍ତାରେ ସ୍ଥାନୀୟବାସୀ। ଗାଁ ଗାଁରେ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବା ପାଇଁ ସରକାରଙ୍କର ରହିଛି ମାଳମାଳ ଯୋଜନା। କିନ୍ତୁ ଯୋଜନାରେ ସୀମା ଟପିଲାଣି ଦୁର୍ନୀତି। ସ୍ଥାନୀୟ ଜନପ୍ରତିନିଧି, ଯନ୍ତ୍ରୀ, ଅଧିକାରୀ, ଠିକାଦାର ମିଳିମିଶି କୋଟି କୋଟି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି। ବେତନଟୀ ବ୍ଲକ ଅଧୀନ ପୁରୁଣିଆ ପଞ୍ଚାୟତର ବାଛୁରୀପଡ଼ା ଗ୍ରାମରେ ବସୁଧା ଯୋଜନାରେ ହୋଇଥିବା ପାଣିଟାଙ୍କିକୁ ବିଜୁଳି ସଂଯୋଗ ହୋଇ ପାରୁନଥିବାରୁ ପିଇବା ପାଣି ପାଇଁ ଉପୁଜିଛି ହାହାକାର ସ୍ଥିତି। ଟାଙ୍କି ନିର୍ମାଣ ସରିବାର ୬ମାସରୁ ଉର୍ଦ୍ଧ ସମୟ ବିତିଲା ପରେ ବି ଲୋକଙ୍କ ପାଖରେ ଏହି ଡହଡହ ଖରା ଦିନରେ ବି ପିଇବା ପାଣି ପାଇଁ ହନ୍ତସନ୍ତ ହୋଉଛନ୍ତି। ସେଇ ପୁରୁଣା ନଳକୂପ ସାଜିଛି ଶହ ଶହ ଲୋକଙ୍କ ଭରସା। ଯୋଉଁଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୁଷ୍ଟତା।

Advertisment

ସୂଚନା ମୁତାବକ ଉକ୍ତ ଗ୍ରାମରେ ୨୦୨୨/୨୩ ବର୍ଷର ବସୁଧା ଯୋଜନା ଅଧୀନରେ ନିର୍ମିତ ୫୦ ହଜାର ଲିଟର କ୍ଷମତା ସମ୍ପନ୍ନ ଏକ ପାଣି ଟାଙ୍କି ସହିତ ଉଚ୍ଚ କ୍ଷମତା ସମ୍ପନ୍ନ ବୋରିଂ ମଧ୍ୟ ଖୋଳା ଯାଇଥିଲା। ଉଦେଶ୍ୟ ଥିଲା ବାଛୁରୀପଡା ଓ ପାଖ ମହୁଲପାଟଣା, ହରିପୁର ଗ୍ରାମର ଘରଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା। ସେହିଭଳି ଉକ୍ତ ଗାଁ ଯାକ ପାଇପ ଲାଇନ ବିଛେଇ ଟେପ ଲଗାଇ ଲୋକଙ୍କ ହାତପାଆନ୍ତାରେ ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାସରିଛି। ହେଲେ ଏହି ସବୁ କାମ ଆଜକୁ ପ୍ରାୟ ୬/୭ମାସ ପୂର୍ବରୁ ସରିଯାଇଥିଲେ ବି କୌଣସି ସମସ୍ୟା ପାଇଁ ଦୀର୍ଘ ଦିନ ହେବ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ପାରୁନି, ଯେଉଁଥି ପାଇଁ ଖରାଦିନ ସରିବାକୁ ବସିଥିଲେ ବି ଗ୍ରାମର ପାଖାପାଖି ୨୦୦ରୁ ଅଧିକ ପରିବାର ପାନୀୟ ଜଳରୁ ବଞ୍ଚିତ।

ଏନେଇ ବାରମ୍ବାର ଅଭିଯୋଗ କଲେ ବି କିଛି ଫଳ ମିଳୁ ନାହିଁ। ବିଦ୍ୟୁତ କାମ କରୁଥିବା ଠିକାଦାର କହୁଛନ୍ତି ଯେ ଶେଷ କାମ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଟକିଛି।ତାଙ୍କର ଗୋଟିଏ ଦସ୍ତଖତରେ ବିଦ୍ୟୁତ ସଂଯୋଗ ହେବ, ହେଲେ ସେ ଅନେଇ ସମୟ ଗଡ଼ାଇ ଚାଲିଛନ୍ତି। ସେ ଆହୁରି କହିଛନ୍ତି କି ସରପଞ୍ଚ କୋଉ ମନ୍ଦ ଉଦେଶ୍ୟରେ ଦସ୍ତଖତ ଦେବା ପାଇଁ କୁଣ୍ଠାବୋଧ କରୁଛନ୍ତି ତାହା ସ୍ପଷ୍ଟ ଜଣା ପଡୁନି। ତେଣୁ ଶେଷରେ ବିରକ୍ତି ହୋଇ ସେ ଫାଇଲକୁ ଆରଡବ୍ଲୁଏସଏସ କାର୍ଯ୍ୟାଳୟରେ ପକାଇ ଦେଇଛନ୍ତି। ସେହିଭଳି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହୃଦାନନ୍ଦ ବେହେରା ମଧ୍ୟ ସମାନ କଥା ଦୋହରାଇ ଥିବାବେଳେ ଆଗାମୀ ୩/୪ଦିନ ମଧ୍ୟରେ ଯେମିତି ବି ହୋଉ ବିଦ୍ୟୁତ ସଂଯୋଗ କରାଇ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବେ ବୋଲି କହିଛନ୍ତି। ହେଲେ ଏ ବାବଦରେ ସ୍ଥାନୀୟ ସରପଞ୍ଚ ସୁନ୍ଦରମୋହନ ସିଂ ଙ୍କର ପ୍ରତିକ୍ରିୟା ନେବାକୁ ଯେତେ ଚେଷ୍ଟା କରିଥିଲେ ବି ସେ ଫୋନ ରିସିଭ କରିନଥିଲେ।