ବଣାଇଗଡ଼ : ବଣାଇ ଉପଖଣ୍ତ ଲହୁଣୀପଡ଼ା ବ୍ଲକ୍‌ ଅନ୍ତର୍ଗତ କଲେଇପୋଷରେ ବସୁଧା ଯୋଜନାରେ ନିର୍ମାଣାଧୀନ ଜଳଯୋଗାଣ ପ୍ରକଳ୍ପଟି କେବେ ସରିବ ସେ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଦୀର୍ଘ ୭ ବର୍ଷ ତଳେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସମ୍ପୂର୍ଣ୍ଣ ହେବାର ନାମ ନେଉନାହିଁ। ଫଳରେ ଗ୍ରାମର ୧୦୦ଟି ପରିବାର ଜଳକଷ୍ଟରେ ଘାଣ୍ଟି ହେଉଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ଲହୁଣୀପଡ଼ା ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କଲେଇପୋଷ ପଞ୍ଚାୟତ ପକ୍ଷରୁ ଏହି ପାନୀୟଜଳ ଯୋଗାଣ ପ୍ରକଳ୍ପ ଆରମ୍ଭହୋଇ ଏକ ଓଭର୍‌ହେଡ୍‌ ଟାଙ୍କି ଓ ପମ୍ପହାଉସ୍‌ ନିର୍ମାଣ କରାଯାଇଥିଲା। ଏହାସହିତ ପ୍ରତ୍ୟେକଘରକୁ ମାଟିତଳେ ପ୍ଲାଷ୍ଟିକ୍‌ ପାଇପ୍‌ ଦ୍ବାରା ସଂଯୋଗ କରାଯାଇଥିଲା। ତେବେ ଏହି ପ୍ଲାଷ୍ଟିକ୍‌ ପାଇପ୍‌ ନିମ୍ନମାନର ହୋଇଥିବାବେଳେ ଏହା ଉପରେ ବିଭିନ୍ନ ଯାନବାହନ ଯାତାୟତ କରିବାରୁ ସେଗୁଡ଼ିକ ଖୁବ ଅଳ୍ପଦିନ ମଧ୍ୟରେ ଫାଟିଯାଇଥିଲା। ପଞ୍ଚାୟତ କର୍ତ୍ତୃପକ୍ଷ ଏହି ଫଟା ପାଇପ୍‌ଗୁଡ଼ିକ ପରିବର୍ତ୍ତନ କରି ତା’ ବଦଳରେ ପୁନର୍ବାର ଲୁହାପାଇପ୍‌ ଲଗାଇଥିଲେ। ଏହାପରେ ମୋଟରପମ୍ପ ପରିଚାଳନା ପାଇଁ ପଞ୍ଚାୟତ ପକ୍ଷରୁ ମାସିକ ୨ ହଜାର ପାରିଶ୍ରମିକରେ ଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଏତେସବୁ ହେଲା ପରେ ବି ଆଜି ପର୍ଯ୍ୟନ୍ତ ଏହି ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ କି ଟୋପାଏ ପାଣି ମଧ୍ୟ ଏଠାରୁ ମିଳିପାରୁନାହିଁ।

ଅନ୍ୟପକ୍ଷରେ ଏହି ପ୍ରକଳ୍ପଟି କେତେ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି ତା’ର ତଥ୍ୟ କିଂବା କୌଣସି ସୂଚନାଫଳକ ଲାଗିନାହିଁ। ଗ୍ରାମବାସୀ ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଉଚ୍ଚକର୍ତ୍ତୃପକ୍ଷଙ୍କଠାରେ ବାରମ୍ଭାର ଜଣାଇ ଆସୁଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ। ବର୍ତ୍ତମାନ ଗ୍ରୀଷ୍ମଦିନରେ ପାନୀୟଜଳ ଟୋପାଏ ପାଇବା ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ବାବଦରେ ଲହୁଣୀପଡ଼ା ପାନୀୟଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ମତାମତ ଲୋଡ଼ାଯାଇଥିଲେ ସୁଦ୍ଧା ତାଙ୍କ ପ୍ରତିକ୍ରିୟା ମିଳି ପାରିନଥିଲା।