ଯାଜପୁରରେ ‘ବସୁଧା ଯୋଜନା’ ବିଫଳ: ୫ଟି ବୃହତ୍‌ ପ୍ରକଳ୍ପ, ସବୁ ଅଧା

ଖର୍ଚ୍ଚ ଅଟକଳ ୭୫୦ କୋଟି, ପାଣି ପାଇଁ କଲବଲ ଲୋକେ

ଯାଜପୁର: ଯାଜପୁର ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ହୋଇଛି ଅନେକ ଯୋଜନା। ଦୁର୍ନୀତି ପାଇଁ ବସୁଧା ଯୋଜନାରୁ ଲୋକେ ପାଣି ପାଉନଥିବା ବେଳେ ଅଧିକାଂଶ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ଶେଷ ପରେ ବି ଅଧା ଅଧୁରା। ଜିଲ୍ଲାର ୫ଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପାଇଁ ୭୫୦କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଏଯାଏଁ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନି। ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀର ଶାଖାନଦୀ ଗୁଡ଼ିକ ଯାଜପୁର ଜିଲ୍ଲାକୁ ଜାଲ ଭଳି ବିଛାଇ ହୋଇ ରହିଥିଲେ ମଧ୍ୟ ଲୋକେ ପାନୀୟ ଜଳ ପାଇଁ ଖରାଦିନେ କଲବଲ ହେଉଛନ୍ତି।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ୩୭ଟି ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୨୯ କୋଟି ୩୪ ଲକ୍ଷ ଆକଳନ କରଯାଇ ଟେଣ୍ଡର ଡକାଯାଇଥିଲା । ଠିକାସଂସ୍ଥା ଅଢେଇ ଗୁଣି ଅଧିକ ମୂଲ୍ୟ ୭୯ କୋଟି ୫୬ ଲକ୍ଷ ଟଙ୍କାରେ ଚୁକ୍ତି କରିଛି । ୨୦୨୧ ସେପ୍‌ଟେମ୍ବର ୩୦ରେ ମଧ୍ୟରେ ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଚୁକ୍ତି କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ । ସେହିପରି ଏହି ବ୍ଲକରେ ଅନ୍ୟ ୧୯ଟି ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଆଉ ଗୋଟିଏ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ୨୯ କୋଟି ୯୨ ଲକ୍ଷ ଟଙ୍କା ଆକଳନ କରଯାଇ ଟେଣ୍ଡର ଡକାଯାଇଥିଲା । ୪୬ କୋଟି ୧୯ ଲକ୍ଷ ଟଙ୍କାରେ ୨୦୨୧ ନଭେମ୍ବର୧୨ ମଧ୍ୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଚୁକ୍ତି ହୋଇଥିଲା। ମାତ୍ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ ।

ସରକାରୀ ତଥ୍ୟ ମୁତାବକ ଆହୁରି ମଧ୍ୟ ଏହି ବ୍ଲକ୍‌ରେ ୫୨ଟି ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି । ୯୨ କୋଟି ୮୫ ଲକ୍ଷ ଟଙ୍କା ଟେଣ୍ଡର ଡକାଯାଇଥି‌ଲା। ଠିକାସଂସ୍ଥା ସହ ୧୦୭ କୋଟି ଟଙ୍କାରେ ଚୁକ୍ତି ହୋଇଥିଲା। ୨୦୨୧ ନଭେମ୍ବରରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଅଥଚ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇନାହିଁ । ଦଶରଥପୁର ବ୍ଲକରେ ୧୫୨ଟି ଗାଁକୁ ପାଇପ ଯୋଗେ ପାଣି ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ୧୬୫ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ୧୮୧ କୋଟି ୭୮ ଲକ୍ଷ ଟଙ୍କାରେ ଚୁକ୍ତି ହୋଇଛି। ୨୦୨୧ ଡିସେମ୍ବର୧୬ରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ସୀମା ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଶେଷ ହୋଇନାହିଁ ।

ବଡ଼ଚଣା ବ୍ଲକର ୨୨୧ଟି ଗାଁ ଓ ଧର୍ମଶାଳା ବ୍ଲକର ୨୪୫ ଟି ଗାଁ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି । ୩୦୫ କୋଟି ୯୮ ଲକ୍ଷ ଟଙ୍କା ଆକଳନ କରାଯାଇ ଟେଣ୍ଡର ଡକାଯାଇ,ଅଧିକ ମୂଲ୍ୟରେ ୩୩୫ କୋଟି ୭୨ ଲକ୍ଷ ଟଙ୍କାରେ ଚୁକ୍ତି କରାଯାଇଛି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୧ ଡିସେମ୍ବର୧୬ରେ ଶେଷ ହେବାର ଥିଲା। ଏବେ ବି ମନ୍ଥର ଗତିରେ କାମ ଚାଲିଛି। ଜିଲ୍ଲାର ସମସ୍ତ ମେଗା ପ୍ରକଳ୍ପ ନିର୍ମାଣ କାମ ବାହାର ରାଜ୍ୟର ଠିକାସଂସ୍ଥାକୁ ଦିଆଯାଇଥିବା ବେଳେ ଆକଳନ ମୂଲ୍ୟ ଠାରୁ ଢେର ଅଧିକ ମୂଲ୍ୟରେ ଚୁକ୍ତି କରାଯାଇଛି । କିନ୍ତୁ ନିର୍ମାଣ କାର୍ଯ୍ୟ ଠିକ୍‌ ସମୟରେ ଶେଷ ହୋଇପାରୁନାହିଁ । ଏହି ନିର୍ମାଣ କାର୍ଯ୍ୟ ଓ ମାନ ତଦାରଖ ପାଇଁ ଆରଡବ୍ଲୁଏସଏସ ଡିଭିଜନ ଯନ୍ତ୍ରୀମାନେ କାର୍ଯ୍ୟସ୍ଥଳକୁ ଯାଉନାହାନ୍ତି । ଯାହାଫଳରେ କାର୍ଯ୍ୟର ମାନ ଓ ପାଇପ ବିଛେଇବା କାର୍ଯ୍ୟ ଠିକ ହେଉନଥିବା ଏବଂ ବ୍ୟବହୃତ ସାମଗ୍ରୀ ନିମ୍ନମାନର ବୋଲି ଅଭିଯୋଗ ହେଉଛି ।

ସମ୍ବନ୍ଧିତ ଖବର