ବାସୁଦିଆରୁ ବସୁନ୍ଧରା

ଜଣେ ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀ...

‘ଓଡ଼ିଶାଲାଇଭ୍‌’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍‌ ‘ଷ୍ଟାଟ୍‌ଅପ୍‌ ଷ୍ଟୋରି’ କ୍ରମରେ ଉଦୀୟମାନ ଓଡ଼ିଆ ଯୁବ ଉଦ୍ୟୋଗୀ ତଥା ଫିନିକ୍ସ ରୋବୋଟିକ୍ସର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମୀୟ ସାମନ୍ତରାୟଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କର ବାର୍ତ୍ତାଳାପର ସଂପାଦିତ ଅଂଶ।

ବାସୁଦିଆ ଗାଁରୁ ଏନଆଇଟି ରାଉରକେଲା ଏବଂ ତା’ପରେ ନିଜ ଷ୍ଟାର୍ଟ ଅପ୍ ଗଢ଼ିବାର ସ୍ଵପ୍ନ! ଏ ଯାତ୍ରା ବିଷୟରେ କିଛି କହନ୍ତୁ।

ଅମୀୟ: ନୟାଗଡ଼ ଜିଲ୍ଲା ରଣପୁର ପାଖରେ, ବାସୁଦିଆ ଗାଁ। ସେଇଠି ମୋ ବୋଉ ପ୍ରାଇମେରି ସ୍କୁଲର ଶିକ୍ଷୟିତ୍ରୀ ଥିଲେ। ଘରେ ମୁଁ ଓ ମୋ ସାନଭାଇ। ବାପା ମଧ୍ୟ ସ୍କୁଲ ଶିକ୍ଷକ ଥିଲେ। ତାଙ୍କର ପୋଷ୍ଟିଙ୍ଗ୍ ଥିଲା ଦାରିଙ୍ଗବାଡ଼ି। ତେଣୁ ବୋଉଙ୍କ ଯତ୍ନରେ ହିଁ ପିଲାଦିନ କଟିଥିଲା। ସ୍କୁଲ ଯିବା ବୟସ ହେଲା। ସେତେବେଳେ ଗାଁରେ ଭଲ ସ୍କୁଲ ନଥିବାରୁ ବାପା ବୋଉ ଠିକ୍ କଲେ ମୁଁ ରଣପୁରରେ ପାଠ ପଢ଼ିବି। କିନ୍ତୁ ରଣପୁର ନେବ କିଏ? ରଣପୁରରେ ଗୋଟିଏ ସ୍କୁଲରେ ପିଅନ ଥା’ନ୍ତି, ଜଣେ ଅତ୍ୟନ୍ତ ଭଲ ମଣିଷ। ବାପା ତାଙ୍କୁ ଅନୁରୋଧ କରିବାରୁ ସେ ପ୍ରତିଦିନ ରଣପୁରରୁ ସାଇକେଲରେ ବାସୁଦିଆ ଆସନ୍ତି। ମତେ ବସାଇ ସ୍କୁଲ ନେଇଯା’ନ୍ତି ଆଉ ସ୍କୁଲ ପରେ ପୁଣି ଘରକୁ ନେଇ ଆସନ୍ତି। ଏହିପରି ଆରମ୍ଭ ହୁଏ ମୋର ପାଠପଢ଼ା। ଆଉ ଯେହେତୁ ମୁଁ ବଡ଼, ମୋର ସାନଭାଇର ମଧ୍ୟ ଦେଖାଶୁଣା କରିବାର କାମ ଥିଲା ମୋର।

ତା’ ହେଲେ, ଏଇ ସ୍କୁଲ ପିଅନଙ୍କ “ସାଇକେଲିଆ ସ୍କୁଲ ବସ୍’’ ରେ ହିଁ ଆପଣଙ୍କର ଦୀର୍ଘ ଯାତ୍ରାର ଶୁଭାରମ୍ଭ। ତାଙ୍କ ସାଙ୍ଗରେ ଯୋଗାଯୋଗ ଅଛି?

ଅମୀୟ: ହଁ, ତା’ ତ ନିଶ୍ଚୟ। ଆମେ ତାଙ୍କୁ ସମ୍ମାନ କରୁ। ଆମେ ତାଙ୍କୁ ଡାକୁ ସଉରି ଦାଦା। ଦେଖାହେଲେ ପାଦଛୁଇଁ ପ୍ରଣାମ କରେ ମୁଁ।

ଓଡ଼ିଆ ମାଧ୍ୟମରେ ପାଠ ପଢ଼ା ଆପଣଙ୍କର। ରଣପୁର ପରେ ଧାରାର ଗତି କେଉଁଠିକୁ ଥିଲା?

ଅମୀୟ: ରଣପୁରର ଆଦର୍ଶ ବିଦ୍ୟା ମନ୍ଦିର ହାଇସ୍କୁଲରେ ପାଠ ପଢ଼ୁଥିଲି। ସମସ୍ତେ କହୁଥିଲେ ‘ବେଷ୍ଟ ଟେନ୍’ ପାଇଁ ଲକ୍ଷ୍ୟ ରଖିବାକୁ। ମୋର କିନ୍ତୁ ଗୋଟିଏ ଧାରଣା ଥିଲା – “ବେଷ୍ଟ ଟେନ୍’’ ବାହାରେ ମଧ୍ୟ ପୃଥିବୀ ଅଛି। ବହୁତ କିଛି ଜାଣିବାର ଅଛି। ଯୋଡ଼ିବାର ଅଛି। ତେଣୁ ପାଠ ବାହାରେ ମଧ୍ୟ ସବୁଥିରେ ରୁଚି ରଖୁଥିଲି। ଖେଳ, ଗୀତିନାଟ୍ୟ, ଯାତ୍ରା, ଅଭିନୟ ସବୁଥିରେ ଭାଗ ନେଉଥିଲି। ଆଉ ଗୋଟିଏ ଜିନିଷ ଥିଲା, ଭବିଷ୍ୟତର ପରିକଳ୍ପନା ପରିଧି କେବଳ ଆଗାମୀ ପାଇଁ ନୁହେଁ। ପରବର୍ତ୍ତୀ ଭବିଷ୍ୟତ ପାଇଁ ମଧ୍ୟ। ଏବେ ଭାବିଲେ ନିଜକୁ ଆଶ୍ଚର୍ଯ୍ୟ ଲାଗେ ଯେ ମୁଁ ନବମ ଶ୍ରେଣୀରେ ହିଁ ଠିକ୍ କରିନେଲି ସ୍କୁଲ ପରେ ବିଜେବି କଲେଜରେ ପାଠ ପଢ଼ିବି। ଆଉ ଆଗତୁରା, ଏଡମିଶନ ନ ହେଉଣୁ, ୟୁନିଫର୍ମ ସିଲେଇ କରିଦେଇଥିଲି।

ବିଜେବି କଲେଜ ତ ଆପଣ ପହଞ୍ଚି ବି ଗଲେ। କିନ୍ତୁ ତା’ ପରର କଥା କହନ୍ତୁ।

ଅମୀୟ: ବିଜେବିରେ ପଢ଼ିଲା ବେଳେ ସ୍ଥିର କରିନେଇଥିଲି ଯେ କମ୍ପ୍ୟୁଟର ସାଇନ୍ସ ପଢ଼ିବି। ଆଇଆଇଟି ଏବଂ ଏନଆଇଟି, ଦୁଇଟି ଜାଗାରେ ସିଟ୍ ମଧ୍ୟ ମିଳିଗଲା। କିନ୍ତୁ ଏନଆଇଟିରେ କମ୍ପ୍ୟୁଟର ସାଇନ୍ସ ପାଇଥିବାରୁ ଆଇଆଇଟିର ପ୍ରଲୋଭନରେ ନ ପଡ଼ି ଚାଲିଗଲି ରାଉରକେଲା। ଏଇଟା ମୋ ପାଇଁ ଗୋଟିଏ ବହୁତ ଭଲ ନିଷ୍ପତ୍ତି ଥିଲା। କାରଣ, ସମସ୍ତେ କ’ଣ କହୁଛନ୍ତି କେଉଁ ଜିନିଷର ବ୍ରାଣ୍ଡ ଭ୍ୟାଲ୍ୟୁ କେତେ, ତା’ ଉପରେ ଲକ୍ଷ୍ୟ ନ ରଖି, ନିଜେ କେଉଁ ଜିନିଷକୁ ହୃଦୟ ଭରି ଚାହୁଁଛୁ ସେଇଟା ଦେଖିବାରେ ହିଁ ବୃହତ୍ତର ସଫଳତା ମିଳିଥାଏ।

ଏନ୍ ଆଇଟିରେ ଯୋଗ ଦେଲା ପରେ, ଆପଣ ରୋବୋଟିକ୍ସ ପ୍ରତି ଆକୃଷ୍ଟ ହୋଇଥିଲେ। ତା’ ପଛରେ କାରଣ କ’ଣ ଥିଲା?

ଅମୀୟ: ଏନଆଇଟି ରାଉରକେଲା ଏକ ଅସାଧାରଣ ପ୍ରତିଷ୍ଠାନ। ଶ୍ରେଷ୍ଠମାନର ଜାତୀୟ ସ୍ତରର ଇଞ୍ଜିନିୟରିଂ କଲେଜ ନିଶ୍ଚୟ। କିନ୍ତୁ ତା’ ଛଡ଼ା ଅନ୍ୟ ବହୁ ଜିନିଷ ପ୍ରତି ପିଲାମାନଙ୍କର ସ୍ପୃହା ସୃଷ୍ଟି କରିବାର ସୁଯୋଗ ଏଇଠି ବିଶେଷ ଭାବରେ ମିଳିଥାଏ। ଏନ୍ଆଇଟିରେ ମତେ ଆକୃଷ୍ଟ କରିଥିଲା ସେଠାକାର ସାଇବର୍ଗ କ୍ଲବ। ଏଇ କ୍ଲବରେ ଛାତ୍ରଛାତ୍ରୀମାନେ ରୋବୋ ତିଆରି ବିଷୟରେ କଥାବାର୍ତ୍ତା କରନ୍ତି। ଛୋଟ ଛୋଟ ପ୍ରତିଯୋଗିତା ହୁଏ। ରୋବୋ ତିଆରି ମଧ୍ୟ ହୁଏ। ସାଇବର୍ଗରେ ଖେଳ ଖେଳରେ ମୋ ଭିତରେ ଦୁଇଟି ଉଦ୍ଦୀପନା ଜାତ ହୋଇଥିଲା। ରୋବୋଟିକ୍ସରେ କାମ କରିବି ଏବଂ ନିଜ ଗୋଡ଼ରେ ଠିଆ ହେବି।

ଷ୍ଟାର୍ଟ ଅପ୍‌ର ସ୍ଵପ୍ନ ଆଉ ବାସ୍ତବତାରେ କ’ଣ ତଫାତ୍ ଦେଖିଲେ?

ଅମୀୟ: ଗୋଟେ ପଟେ ରୋମାଞ୍ଚ, ଅନ୍ୟ ପଟେ ସଫଳତା ଆଉ ବିଫଳତାର ସଂଘର୍ଷ। ଫାଇନାଲ ପରୀକ୍ଷାର କିଛିଦିନ ଆଗରୁ, ହଷ୍ଟେଲମାନଙ୍କରେ ପାମ୍ପଲେଟ ବାଣ୍ଟିଲି ଅନ୍ୟମାନଙ୍କୁ ମୋ’ ସ୍ଵପ୍ନରେ ସାମିଲ ହେବା ପାଇଁ; ମୋ’ ସାଙ୍ଗରେ ମିଶି ଷ୍ଟାର୍ଟ ଅପ୍‌ଟିଏ ତିଆରି କରିବାକୁ। ଆନନ୍ଦର କଥା। ପାଞ୍ଚଜଣ ଆଗେଇ ଆସିଲେ। କିନ୍ତୁ ପରୀକ୍ଷା ପର ଦିନ ହିଁ ନିଶା ଉତୁରିଗଲା। ମତେ ନ ଜଣାଇ ଯିଏ ଯାହା ବାଟରେ ଚାଲିଗଲେ। ରହିଲି ମୁଁ ଏକା। ତେବେ ହତୋତ୍ସାହିତ ହୋଇ ନଥିଲି। ଏନଆଇଟିର ନିର୍ଦ୍ଦେଶକ ସୁନିଲ ଷଡଙ୍ଗୀଙ୍କ ପାଖକୁ ଯାଇ ନିଜ ସ୍ଵପ୍ନ କଥା କହିଥିଲି। ତାଙ୍କୁ ଅନୁରୋଧ କରିଥିଲି ମୋତେ ଗୋଟିଏ ଛୋଟ ଜାଗା ଦେବାକୁ ଏବଂ ଏନଆଇଟିରେ ରହି ଗୋଟିଏ କମ୍ପାନି ତିଆରି କରିବାରେ ସୁଯୋଗ ଦେବାକୁ। ତାଙ୍କର ଆଶୀର୍ବାଦ ଥିଲା। କାମ ଆରମ୍ଭ ହେଲା। ଏପଟେ କିନ୍ତୁ ସମସ୍ତେ ଭଲ ଭଲ ଚାକିରିର ଇଣ୍ଟରଭିଉ ଦେଇ ଯିଏ ଯୁଆଡ଼େ ଚାଲିଗଲେ। ଘରେ ବାପା ମା’ ବ୍ୟସ୍ତ। ତାଙ୍କୁ ମିଛ କହିବାକୁ ପଡ଼ିଲା। ମୋ ପାଇଁ ବ୍ୟସ୍ତ ହୁଅ ନାହିଁ। ମୁଁ ଜିଆରଇ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି। ସେଇଥିପାଇଁ ଚାକିରି ନ କରି ଏନ୍ଆଇଟିରେ ଆଉ ବର୍ଷଟିଏ ରହିବି। ଏଇମିତି ଆରମ୍ଭ ହେଲା ଫିନିକ୍ସ ରୋବୋଟିକ୍ସର ପ୍ରଥମ ପର୍ଯ୍ୟାୟ।

ଅନେକ ଲୋକ ଷ୍ଟାର୍ଟ ଅପ୍‌ର ସ୍ଵପ୍ନ ଦେଖନ୍ତି। କିଛି ଆରମ୍ଭ ମଧ୍ୟ କରିଥାନ୍ତି। କିନ୍ତୁ ଏଥିମଧ୍ୟରୁ ଅନେକଙ୍କର ଧାରଣା ଥାଏ, ଗୋଟିଏ ଇଞ୍ଜିନିୟରିଂ ସମସ୍ୟାର ସମାଧାନ, ଗୋଟିଏ ସୁନ୍ଦର ଆପ୍ ବା ଗୋଟିଏ ବିଶେଷ ଉଦ୍ଭାବନ କରିଦେଲେ, ବ୍ୟବସାୟ ଠିଆ ହୋଇଯାଏ। କିନ୍ତୁ ବ୍ୟବସାୟ ଠିଆ କରିବାକୁ ସବୁଠୁ ବଡ଼ ଜିନିଷ ହେଲା, ଖରିଦଦାର୍‌। ଏହି ଗ୍ରାହକ ଖୋଜିବା ପାଇଁ ବୁଲି ବୁଲି ବିକ୍ରି କରିବାକୁ ହେବ। ଏ ଦିଗରେ ଅନେକ ଉଦ୍ୟୋଗୀ ସହଜ ମନେ କରିନ୍ତି ନାହିଁ; ତାଙ୍କୁ ଲାଜ ମଧ୍ୟ ଲାଗେ। ଆପଣଙ୍କର ପ୍ରଥମରୁ ଅଭିଜ୍ଞତା କିପରି ଥିଲା?

ଅମୀୟ: ସାଇବର୍ଗ କ୍ଲବ୍‌ରେ ଖେଳ ଖେଳରେ ରୋବୋ ତିଆରି କରୁଥିଲୁ। ରୋବୋ ତିଆରି କରିବାକୁ ହେଲେ ସେନ୍ସର ନେଇ କାମ କରିବାକୁ ହୁଏ। ମଣିଷର ଯେପରି ଇନ୍ଦ୍ରିୟ, ରୋବୋ ପାଇଁ, ଇଲେକ୍ଟ୍ରୋନିକ୍ ସର୍କିଟ୍ ଜରିଆରେ, ସେନ୍ସର ବା ଇନ୍ଦ୍ରିୟ ଶକ୍ତି ଦେବାକୁ ହୁଏ। ପାଣିପାଗ ନିର୍ଦ୍ଧାରଣ ପାଇଁ ଯେଉଁ ବେଲୁନ ଉଡ଼ାଯାଏ, ସେଥିରେ ଲାଗିଥାଏ ଏହିପରି ସେନ୍ସର। ଏନଆଇଟି ରାଉରକେଲାର ଜଣେ ବନ୍ଧୁ କହିଲେ ରାଜଗାଙ୍ଗପୁରରେ ଶିବା ସିମେଣ୍ଟ ଅଛି, ସେଠି ଅଛନ୍ତି ଜଣେ ପ୍ରବନ୍ଧକ, ଶ୍ରୀଯୁକ୍ତ ଚାରୀ, ତାଙ୍କୁ ଯାଇ ନିଜର ପରିଚୟ ଦିଅ। ତାଙ୍କ ପାଖରେ କିଛି କାମ ଅଛି। ତାଙ୍କ ପାଖରେ ପହଞ୍ଚି, ସାହସ କରି ମୋର କାର୍ଯ୍ୟଦକ୍ଷତା ବିଷୟରେ କହିଲି। ସେ ମୋର ଜୀବନର ପ୍ରଥମ ଅର୍ଡରଟି ଦେଇଥିଲେ, ଶିବା ସିମେଣ୍ଟ ଲାଗି ଗୋଟିଏ ସେନ୍ସର ବହୁଳ ପାଣିପାଗ ପର୍ଯ୍ୟବେକ୍ଷଣ ଯନ୍ତ୍ରଟିଏ ତିଆରି କରିବା ପାଇଁ। ୨୧ ହଜାର ଟଙ୍କାର ପ୍ରଥମ ଅର୍ଡରରୁ ଆରମ୍ଭ ହେଲା ଫିନିକ୍ସ ରୋବୋଟିକ୍ସର ଯାତ୍ରା।

ଶିବା ସିମେଣ୍ଟର ସେଇ ୨୧ ହଜାର ଟଙ୍କାର ଅର୍ଡର ପରଠାରୁ ଆପଣ ବହୁ ସରକାରୀ, ବେସରକାରୀ ସଂସ୍ଥାଠାରୁ କାମ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ସେଲ୍, ଜିନ୍ଦଲ, ଆଦିତ୍ୟ ବିର୍ଲା ଇତ୍ୟାଦି। ତା’ରି ଭିତରେ କୋଲକାତା ମହାନଗରୀର ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା, ଯାହା ଫିନିକ୍ସ ରୋବୋଟିକ୍ସର ଏକ ବିଶେଷ ଚର୍ଚ୍ଚିତ କାମ। ସେ ବିଷୟରେ କିଛି କହନ୍ତୁ।

ଅମୀୟ: ଜଳବାୟୁ ପରିବର୍ତ୍ତନ ଏବଂ ବଡ଼ ବଡ଼ ସହରରେ ବଢ଼ି ଚାଲିଥିବା ଜନସଂଖ୍ୟା ଯୋଗୁଁ ଅନେକ ସମସ୍ୟା ଦେଖାଦେଉଛି। ଜଳବାୟୁର ପରିବର୍ତ୍ତନ ଯୋଗୁଁ ଅଦିନିଆ ବର୍ଷା ଏବଂ ଏହା ଫଳରେ ସହରରେ ବେଳେ ବେଳେ ନିୟନ୍ତ୍ରଣ ବାହାରେ ବନ୍ୟା ପରି ପରିସ୍ଥିତି ଉପୁଜୁଛି। ବହୁମାତ୍ରାରେ ପାଣିକୁ ନିଷ୍କାସନ କରିବାର ସଠିକ୍ ବ୍ୟବସ୍ଥା ନାହିଁ। ଭୁବନେଶ୍ଵରରେ ବର୍ଷାରେ ଗାଡ଼ିମଟର ଭାସୁଥିବାର ଚିତ୍ର ଆପଣ ଦେଖିଛନ୍ତି। ଚେନ୍ନାଇ ପରି ଜାଗାରେ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ କ୍ଷତିଗ୍ରସ୍ତ ହୋଇଛି। ଭୁବନେଶ୍ଵର ବା ଚେନ୍ନାଇ ଅପେକ୍ଷା କଲିକତା ସହରର ପରିସ୍ଥିତି ଉଦବେଗଜନକ। ଜନବହୁଳ ସହର। ନାଳ ନର୍ଦ୍ଦମା ପୋତି କୋଠାବାଡ଼ି ତିଆରି ହୋଇଛି। ଆଉ ହୁଗୁଳି ନଦୀରେ ରହିଛି ବନ୍ୟାର ଆଶଙ୍କା। କଲିକତା ମହାନଗର ନିଗମ ଚାହିଁଥିଲେ, ଗୋଟିଏ ସମାଧାନ ଯାହା ଦ୍ଵାରା କୌଣସି ବିପଦ ଘଟିବା ଆଗରୁ ହିଁ ସେମାନେ ସତର୍କ ହୋଇପାରିବେ ଏବଂ ବନ୍ୟା ପରିସ୍ଥିତି ଘଟିବା ଆଗରୁ ହିଁ ଜଳ ନିଷ୍କାସନର ପଦକ୍ଷେପ ନେଇପାରିବେ। ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ସହଯୋଗରେ, ଆମେ ସେଠାରେ ଗୋଟିଏ ବିଶେଷ ଟେକ୍ନୋଲୋଜି ସମାଧାନ ଲଗାଇ ପାରିଛୁ ଯାହାଦ୍ଵାରା ଶହ ଶହ ସେନସର ବିଶିଷ୍ଟ ଏକ ସିଷ୍ଟମ ତିଆରି କରାଯାଇ ସମ୍ପୂର୍ଣ୍ଣ ମନିଟରିଙ୍ଗର ବ୍ୟବସ୍ଥା ରଖାଯାଇଛି। ଏହାକୁ ଦେଖି ଅନ୍ୟ ଅନେକ ପୌର ସଂସ୍ଥା ଆମ ସାଙ୍ଗରେ କଥାବାର୍ତ୍ତା କରୁଛନ୍ତି।

ପ୍ରତିଟି ଉଦ୍ୟୋଗୀର ଜୀବନରେ ଅନେକ ସଂଘର୍ଷ ଥାଏ ସତ, କିନ୍ତୁ ତା’ରି ଭିତରେ ରହେ ବହୁ ମଧୁର ଅନୁଭୂତି ଯାହା ପରବର୍ତ୍ତୀ ଜୀବନରେ ଏକ ସୁନ୍ଦର ସ୍ମୃତି ହୁଏ। ଆପଣଙ୍କ ଜୀବନରେ ଏପରି କିଛି ଘଟିଥିବ ନିଶ୍ଚୟ ଯାହା ଏବେ ବି ଆପଣଙ୍କୁ ଆନନ୍ଦ ଦିଏ।

ଅମୀୟ: ହଁ, ଏପରି ଅନେକ ଛୋଟବଡ଼ ଘଟଣା ରହିଛି ଯାହା ଏବେ ବି ମତେ ହସାଇଦିଏ। ଯେପିରକି ଘଟିଥିଲା ମୋ ସହକର୍ମୀ କିଶାନ ପଟେଲଙ୍କ ସହିତ। ମୋ’ ଠାରୁ ବର୍ଷେ ସାନ। ସମ୍ବଲପୁରରେ ଘର, ମଧ୍ୟବିତ୍ତ ପରିବାର। ପ୍ରଥମରୁ ମୋତେ ବହୁତ ସାହାଯ୍ୟ କରିଥିଲେ। କିନ୍ତୁ ତାଙ୍କୁ ପୃଥିବୀ ବିଖ୍ୟାତ ସଫ୍ଟଓୟାର କମ୍ପାନି ଏସଏପିରେ ନିଯୁକ୍ତି ମିଳିଥିଲା। ସେ ଚାଲିଗଲେ। ମୁଁ କିନ୍ତୁ ବରାବର ତାଙ୍କୁ ଫେରାଇ ଆଣିବାକୁ ଚାହୁଁଥିଲି। ତାଙ୍କର ମଧ୍ୟ ମନ ଥିଲା, ଏକାଠି କାମ କରିବେ କିନ୍ତୁ ତାଙ୍କ ପରିବାରର ସମର୍ଥନ ନଥିଲା। ଦିନେ ମୁଁ ମାଉସୀ ଅର୍ଥାତ୍ କିଶାନଙ୍କ ମା’ଙ୍କୁ ଯାଇ ଅନୁରୋଧ କଲି, ବୁଝାଇଲି, ମାଉସୀ ମୋତେ କହିଲେ, ଦେଖ ବାପା, ପୁଅ ପାଇଁ ବୋହୂ ଆଣିବାକୁ ହେଲେ ଦୁଇଟି ଜିନିଷ ଦରକାର- ଦାମୀ ଦରମା ଆଉ ନାମୀ ସଂସ୍ଥା।  ମୋର ବରୁଣ ଅଗ୍ରୱାଲଙ୍କ ଲେଖା, How I Braved Anu Aunty & Co-Founded A Million Dollar Company ବହିର କାହାଣୀ ମନେ ପଡ଼ିଗଲା। ସୁଖର କଥା, ଏସଏପିରେ ଦୁଇ ବର୍ଷ ରହି ଶେଷରେ କିଶାନ ଫେରି ଆସିଲେ ଏବଂ ଆଜି ସେ ଆମ ଇଞ୍ଜିନିୟରିଂ ଡିଭିଜନର ମୁଖ୍ୟ ଭାବରେ କାର୍ଯ୍ୟରତ।

ଆଜି ଫିନିକ୍ସ ରୋବୋଟିକ୍ସ ଓଡ଼ିଶା ମାଟିରେ ଜନ୍ମିତ, ଗୋଟିଏ ସଫଳ ଷ୍ଟାର୍ଟ ଅପ୍। ଆଗକୁ କ’ଣ ଭାବିଛନ୍ତି? ଭବିଷ୍ୟତ ପାଇଁ ଲକ୍ଷ୍ୟ କ’ଣ?

ଅମୀୟ: ଭବିଷ୍ୟତ ପାଇଁ ଅନେକ ଆଶା ରହିଛି। ଫିନିକ୍ସ ରୋବୋଟିକ୍ସର ଲକ୍ଷ୍ୟ, ୨୦୨୫ର ପୃଥିବୀରେ ୧ କୋଟି ମେସିନ୍ ଆମ ପ୍ଲାଟଫର୍ମ ଜରିଆରେ ପରସ୍ପର ସାଙ୍ଗରେ ସମ୍ପର୍କ ସ୍ଥାପନ କରିପାରିବେ। ଧରନ୍ତୁ ସୁଦୂର ପାହାଡ଼ରେ ଗୋଟିଏ ମୋବାଇଲ୍ ଟାୱାର ରହିଛି। ତା’ର ବିଜୁଳି ପାଇଁ ଦରକାର ଗୋଟିଏ ଜେନେରେଟର ସେଟ୍। ସେଥିରେ ଡିଜେଲର ଆବଶ୍ୟକତା ରହିଛି। ଡିଜେଲ ସରିବା ଆଗରୁ ସେନ୍ସର ଜରିଆରେ ଜେନସେଟ୍ ଆଗତୁରା ଖବର ଦେଇପାରିବ, ମୋତେ ଡିଜେଲ୍ ପଠାଅ। ଅଥବା, ଧରନ୍ତୁ ଜେନସେଟର କୌଣସି ଅଂଶ ଖରାପ ହେବାର ଆଶଙ୍କା ରହିଛି। ଖରାପ ହେବା ଆଗରୁ ହିଁ, ସେନ୍ସର ଜାଣିପାରିବ ଏବଂ ସୁଦୂର କମ୍ପ୍ୟୁଟରକୁ ଖବର କରିଦେବ, ଜଲଦି ଟେକ୍ନିସିଆନ୍ ପଠାଅ। କେବଳ ମୋବାଇଲ ଟାୱାରର ବା ଜେନ୍ ସେଟ୍ ନୁହଁ, ଏହା ବାହାରେ ବିଭିନ୍ନ ରକମର ମେସିନମାନଙ୍କୁ ଆମ ପ୍ଲାଟଫର୍ମ ଜରିଆରେ, ଆମେ ମନିଟର କରିପାରିବା। ଆଉ ହଁ, ବ୍ୟବସାୟ ଦୃଷ୍ଟିରୁ ଦେଖିଲେ ଆମର ଲକ୍ଷ୍ୟ, ୨୦୨୫ ବେଳକୁ ୧୫୦୦ କୋଟି ଟଙ୍କାର କାରବାର କରିବା। ଆମର ମୂଳ ଲକ୍ଷ୍ୟ ଆମେ କିପରି ଦେଶ ବିଦେଶରେ ସୁନାମ ଅର୍ଜନ କରିପାରିବୁ ଏକ ଉଚ୍ଚମାନର ଟେକ୍ନୋଲୋଜି ସଂସ୍ଥା ହିସାବରେ।

(ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ଇଣ୍ଡଷ୍ଟ୍ରି ପାର୍ଟନର୍‌: ଇମ୍ଫା, ଟାଇ ଭୁବନେଶ୍ୱର, ଫିକି। ପ୍ରିଣ୍ଟ ପାର୍ଟନର: ସମ୍ବାଦ। ରେଡିଓ ପାର୍ଟନର: ରେଡିଓ ଚକ୍‌ଲେଟ୍। କମ୍ୟୁନିଟି ରେଡିଓ ପାର୍ଟନର୍‌: ରେଡିଓ ନମସ୍କାର, ରେଡିଓ ସୁରଭି।)

ସମ୍ବନ୍ଧିତ ଖବର