୪୨୦ରେ ଅଟକିଛି ‘ବସୁନ୍ଧରା’

ଖୋଜିଲେ ବି ଗରିବଙ୍କ ପାଇଁ ମିଳୁନି ଇଞ୍ଚେ ଜାଗା, ଜବରଦଖଲରେ ହେକ୍ଟର ହେକ୍ଟର ସରକାରୀ ଜମି

ବାଲେଶ୍ବର : ହଜାର ହଜାର ହେକ୍ଟର ସରକାରୀ ଜାଗାକୁ ମାଡ଼ି ବସିଛନ୍ତି ପ୍ରଭାବଶାଳୀ। କିଏ ଘର,‌ ଦୋକାନ ତ ଆଉ କିଏ ଫାର୍ମହାଉସ୍‌ କରିଛନ୍ତି। ଏପଟେ ଗରିବଙ୍କୁ ୪ ଡିସିମିଲ୍ ଜାଗା ପାଇଁ ଝାଳନାଳ ହେବାକୁ ପଡ଼ୁଛି। ବାସହୀନଙ୍କୁ ପ୍ରଶାସନ ଜାଗା ଯୋଗାଇ ପାରୁନଥିବାରୁ ବାଲେଶ୍ବର ଜିଲ୍ଲାରେ ‘ବସୁନ୍ଧରା’ ଯୋଜନା ଫେଲ୍ ମାରିଛି। ଜିଲ୍ଲାରେ ୫ ହଜାର ୭୫୦ ଜଣ ଭୂମିହୀନ ହିତାଧିକାରୀ ଥିବା ବେଳେ ସେଥିମଧ୍ୟରୁ ମାତ୍ର ୪୨୦ ଜଣ ପକ୍କାଘର ପାଇବାକୁ ସକ୍ଷମ ହୋଇଛନ୍ତି। ଅବଶିଷ୍ଟ ୫ ହଜାର ୩୩୦ ଜଣ ହିତାଧିକାରୀଙ୍କୁ ନିରାଶ ହେବାକୁ ପଡ଼ିଛି।

କେହି ଚାଳ କିମ୍ବା କଚ୍ଚା ଘରେ ରହିବେନି। ଭୂମିହୀନଙ୍କୁ ଜାଗା ସହିତ ଆବାସ ଗୃହ ମିଳିବ। ମୁଖ୍ୟତଃ ଗ୍ରାମାଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ପକ୍କାଘର ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୭ ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ବସୁନ୍ଧରା’ ଯୋଜନା। ଭୂମିହୀନଙ୍କୁ ଚିହ୍ନଟ ପରେ ସମସ୍ତଙ୍କୁ ୪ ଡିସିମିଲ୍ ଲେଖା ସରକାରୀ ଜମି ଯୋଗାଇ ଦେବାକୁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଥିଲା। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏହି ଯୋଜନାରେ ବାଲେଶ୍ବର ଜିଲ୍ଲାରୁ ମୋଟ୍ ୫ ହଜାର ୭୫୦ ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏସବୁ ହିତାଧିକାରୀଙ୍କୁ ସରକାରୀ ଜାଗା ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ ୨୦୧୯ ମସିହାରେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ। ତେବେ ସରକାରୀ ଜାଗା ଅଭାବ ଦର୍ଶ‌ାଇ ଏଯାବତ ମାତ୍ର ୪୨୦ ଜଣଙ୍କୁ ଜାଗା ଦିଆଯାଇଛି। ବାଲିଆପାଳ, ଭୋଗରାଇ, ଖଇରା ଓ ରେମୁଣା ତହସିଲରେ ୪୨୦ ଜଣଙ୍କୁ ଜାଗା ମିଳିଥିବା ବେଳେ ଅବଶିଷ୍ଟ ବ୍ଲକଗୁଡ଼ିକରେ କେହି ଜଣେ ମଧ୍ୟ ଜାଗା ପାଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର