କଳିଙ୍ଗ ‌‌ସେନାକୁ ମିଳିଲା ବ୍ୟା‌ଟ୍ ଚିହ୍ନ, ସବୁ ଆସନରେ ପ୍ରାର୍ଥୀ ଦେବ ସେନା

ଭୁବନେଶ୍ବର: ଭାରତର ନିର୍ବାଚନ କମିସନ୍‌ କଳିଙ୍ଗ ସେନାକୁ ଆଗାମୀ ନିର୍ବାଚନରେ ପାଇଁ ବ୍ୟାଟ୍ ଚିହ୍ନ ପ୍ରଦାନ କରିଛନ୍ତି। ସେନାର ପ୍ରାର୍ଥୀମାନେ ନିର୍ବାଚନରେ ବ୍ୟାଟ୍‌ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରିବେ। ଆଜି ସେନା ସୁପ୍ରିମୋ ହେମନ୍ତ ରଥ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ କହିଲେ, ଆଗାମୀ ନିର୍ବାଚନରେ ସବୁ ଆସନରେ କଳିଙ୍ଗ ସେନା ପ୍ରାର୍ଥୀ ଦେବ। ଯୁବକ, ଯୁବତୀମାନଙ୍କୁ ପୁଞ୍ଜି କରି ‌ସେନା ନିର୍ବାଚନ ମଇଦାନକୁ ଓହ୍ଲାଇବ। ୨୦୦୯ ନିର୍ବାଚନରେ ସେନା ପକ୍ଷରୁ ୫୫ ବିଧାନସଭା ଓ ୮ ଲୋକସଭା ଆସନରେ ବ୍ୟାଟ ଚିହ୍ନରେ ଲଢ଼ିଥିବା ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଥିଲେ। ପ୍ରାର୍ଥୀମାନେ ୨ ପ୍ରତିଶତ ଭୋଟ ଦଖଲ କରିଥିବା ବେଳେ ଅନେକ ସ୍ଥାନରେ ସେନାର ପ୍ରାର୍ଥୀ ହାର୍‌ଜିତ୍‌ରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ସେହିପରି ୨୦୧୪‌ ନିର୍ବାଚନରେ ୨୬ଟି ବିଧାନସଭା ଓ ୨ଟି ଲୋକସଭା ଆସନରେ କଳିଙ୍ଗ ସେନା ଭଲ ପ୍ରଦର୍ଶନ କରିଥିଲା। ଆସନ୍ତା ନିର୍ବାଚନ ପାଇଁ ସେନାକୁ ବ୍ୟାଟ ଚିହ୍ନ ମିଳିଥିଲା ବେଳେ ଏବେ ଠାରୁ ଲୋକଙ୍କ ନିକଟରେ କଳିଙ୍ଗ ସୈନିକମାନେ ବ୍ୟାଟ ଚିହ୍ନ ଧରି ପହଞ୍ଚିବେ।

ଶ୍ରୀ ରଥ ଆହୁରି କହିଥିଲେ, ରାଜ୍ୟରେ ୪୦ ଲକ୍ଷ ବେକାର ଯୁବକ, ଯୁବତୀ, ଦୁର୍ନୀତି, କୃଷକଙ୍କ ଆର୍ଥିକ ସ୍ଥିତି, ଶାସକ ଓ ବିରୋଧୀ ଦଳର ମିଥ୍ୟା ପ୍ରତିଶ୍ରୁତି ଆଦିକୁ କଳିଙ୍ଗ ସେନା ନିର୍ବାଚନରେ ପ୍ରସଙ୍ଗ କରିବ। ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ଉଚ୍ଚଶିକ୍ଷିତ ଯୁବକ, ଯୁବତୀ ଏବଂ ମହିଳାମାନଙ୍କୁ ନିର୍ବାଚନ ପାଇଁ ଅଗ୍ରାଧିକାର ଦିଆଯିବ। ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ବୈକୁଣ୍ଠ ଧଙ୍ଗଡ଼ା ମାଝୀ, ଯଦୁମଣି ମହାନ୍ତ, ସୁଧାକର ପ୍ରଧାନ, ସାଧାରଣ ସମ୍ପାଦକ ସବ୍ୟସାଚ୍ଚୀ ମହାପାତ୍ର, ଜଗବନ୍ଧୁ ମହାନ୍ତ, ବିଜୟ ରାଜ, ସୁଶାନ୍ତ କୁମାର ସାହୁ, ବରଦାକାନ୍ତ ମହାନ୍ତି, ସମ୍ପାଦକ ହୃଷିକେଶ ସେନାପତି, ଅବଦୁଲ କୟୁମ ଖାନ୍, ନିରଞ୍ଜନ ପରିଡ଼ା, ଅଜୟ ନାୟକ, ଶିବାଶିଷ ଦାଶ, ମନୋଜ ମହାନ୍ତି, ନାରୀ ସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ବିନତା ମହାନ୍ତି, ଚନ୍ଦ୍ରିକା ସିଂହ, ସରୋଜିନୀ ସେଠୀ, ପୂଜା ବେହେରା ଓ ବବିତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର