ବାଟାଲିୟନ କମାଣ୍ଡର ହିଡମା ଆତ୍ମସମର୍ପଣ କରିନାହିଁ: ମାଓ ସଂଗଠନ

ମାଲକାନଗିରି: ଗତକାଲି ଠାରୁ ତେଲେଙ୍ଗାନା, ଛତିଶଗଡ ଏବଂ ଓଡିଶାରେ ମାଓ ସଂଗଠନର ବାଟାଲିୟନ କମାଣ୍ଡର ମାଡବୀ ହିଡମା ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ନେଇ ଜୋରସୋରରେ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଥିବାକୁ ମାଓ ସଂଗଠନ ନିନ୍ଦା କରିଛି। ବାଟାଲିୟନ କମାଣ୍ଡର ହିଡମା କେବେ ମଧ୍ୟ ଆତ୍ମସମର୍ପଣ କରିବେ ନାହିଁ। ଏବେ ମଧ୍ୟ ସେ ସଂଗଠନର ଉଚ୍ଚ ପଦରେ ଅବସ୍ଥାପିତ ହୋଇ ନିଜର କାର୍ଯ୍ୟକୁ ସୂଚାରୁରୂପେ କରୁଥିବା ସଂଗଠନ ଯୁକ୍ତି ବାଢିଛି। ଏଭଳି ମିଥ୍ୟା ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଯାଉଛି। ସରକାରଙ୍କର ଏଭଳି ମନବୈଜ୍ଞାନିକ ପ୍ରଚାରକୁ ସମସ୍ତେ ନିନ୍ଦା କରନ୍ତୁ ବୋଲି ସଂଗଠନ ଆହ୍ବାନ ଦେଇଛି।

ଆଜି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ ପ୍ରେସ ବିଜ୍ଞପ୍ତିରେ ହିଡମା ଆତ୍ମସମର୍ପଣ କରିନଥିବା ସ୍ପଷ୍ଟିକରଣ ଦେଇଛନ୍ତି। କୌଣସି ଜଣେ ମାଡବୀ ହିଡମା ନାମକ ବ୍ୟକ୍ତିକୁ ଧରି ତେଲେଙ୍ଗାନା ପୁଲିସ ଏବଂ ସିଆରପିଏଫ ମିଥ୍ୟା ପ୍ରଚାର କରୁଥିବା ମାଓ ସଂଗଠନ କହିଛି। କ୍ରାନ୍ତିକାରୀ ଜନତା ଏ ସଂପର୍କରେ ଅବଗତ ରହିଛନ୍ତି। କିନ୍ତୁ ଦୁରରେ ରହିଥିବା ବୁଦ୍ଧିଜୀବୀ, ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ ସରକାରଙ୍କର ଏହା ଏକ ଚାଲ ବୋଲି ସଂଗଠନ ଦୋହରାଇଛି। ସରକାର ସମାଧାନ ଏବଂ ପ୍ରହାର ଭଳି ଯୋଜନା ଆଣି ମାଓ ସଂଗଠନକୁ ଧ୍ବଂସ କରିବାକୁ ଚାହୁଁଥିବା ବେଳେ ଏବେ ମନବୈଜ୍ଞାନିକ ସ୍ତରରେ ହମଲା କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି, ଯାହାକୁ ସଂଗଠନ ନିନ୍ଦା କରିବା ସହ ଲୋକମାନେ ମଧ୍ୟ ଏହାର ନିନ୍ଦା କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର