ଭୁବନେଶ୍ୱର : ଓଡ଼ିଆ ଭାଷା ସୁରକ୍ଷା ପାଇଁ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ପୂର୍ବତନ ଏମ୍‌ପି ବୈଷ୍ଣବ ପରିଡ଼ାଙ୍କ ଦ୍ବାଦଶାହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ପତ୍ନୀ ସ୍ବର୍ଣ୍ଣଲତା ପରିଡ଼ା, କନ୍ୟା ଲୁନିତା ବାରିକ, ପୁତ୍ର ସୌମିତ ପରିଡ଼ାଙ୍କୁ ଭେଟିବା ସହିତ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ କିଛି ସମୟ କଟାଇଛନ୍ତି। ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ରିୟଦଶର୍ୟୀ ମିଶ୍ର, ପ୍ରୀତିରଞ୍ଜନ ଘଡ଼ାଇ, ବିଜେପିର ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପଞ୍ଚାନନ କାନୁନଗୋ, ଶ୍ରୀକାନ୍ତ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ସାମ୍ବାଦିକ ରବି ଦାସ, ସିପିଏମ୍‌ରୁ ବିଦ୍ୟାଧର ନାଏକ, ସୁର ଜେନା, ସମାଜବାଦୀ ପାର୍ଟି ସଭାପତି ରବି ବେହେରା, ଫରୱାର୍ଡ ବ୍ଲକରୁ ଜ୍ୟୋତି ମହାପାତ୍ରଙ୍କ ସମେତ ବରିଷ୍ଠ ସାହିତ୍ୟିକଙ୍କ ମଧ୍ୟରେ ବିଶିଷ୍ଟ କଥାକାର ତଥା ‘କଥା’ର ସମ୍ପାଦକ ଗୌରହରି ଦାସ, ଭାଷା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ, କାଦମ୍ବିନୀ ସମ୍ପାଦିକା ଇତିରାଣୀ ସାମନ୍ତ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହା ପୂର୍ବରୁ ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ରୋଟାରୀ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ରବି ଦାସ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ସତ୍ୟବାଦୀ ବଳିୟ‌ାର ସିଂହ, ଅରୁଣ ଖିଲାର, ବାସୁଦେବ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।