ଭୁବନେଶ୍ବର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ସାନ୍ତାଳ ଘର ପ୍ରାଙ୍ଗଣ ଓ ଜୁଆଙ୍ଗ ମଣ୍ଡରେ ଓଡ଼ିଶାର ୨ଟି ଜନଜାତି ବାଥୁଡ଼ି ଓ ସାନ୍ତାଳମାନଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନୀ ଆଜିଠାରୁ ଉଦ୍ଘାଟିତ ହୋଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସହଭାଗିତାରେ ଆୟୋଜିତ ଏହି ପ୍ରଦର୍ଶନୀକୁ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ୧୦ଜଣ କାରିଗର ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ହେଉଛନ୍ତି ସବାଇ ଘାସ ଓ ୫ ଜଣ ହେଉଛନ୍ତି ଡୋକରା ଶିଳ୍ପ କାରିଗର। ସବାଇ ଓ ଡୋକରା ଶିଳ୍ପରେ ଅଂଶଗ୍ରହଣ କରିଥିବା କାରିଗରମାନେ ସାନ୍ତାଳ ଓ ବାଥୁଡ଼ି ଜନଜାତି ସଂପ୍ରଦାୟର।
ସବାଇ ଘାସ ଶିଳ୍ପରେ ସମସ୍ତ ମହିଳା ଅଂଶଗ୍ରହଣ କରିଥିବା ବେଳେ ଡୋକରା ଶିଳ୍ପରେ ତିନି ଜଣ ମହିଳା ଓ ଦୁଇଜଣ ପୁରୁଷ ଅଂଶଗ୍ରହଣ କରିଛନ୍ତି। ସବାଇ ଶିଳ୍ପ କାରିଗର ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଞ୍ଚଳରୁ ଆସିଛନ୍ତି ଓ ଡୋକରା ଶିଳ୍ପ କାରିଗର ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରୁ ଆସିଛନ୍ତି। ଆଜିଠାରୁ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ୧୫ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସବାଇ କ୍ରାଫ୍ଟ ଓ ଡୋକରା କ୍ରାଫ୍ଟର କାରିଗରମାନେ ସେମାନଙ୍କର କଳାବସ୍ତୁ ପ୍ରସ୍ତୁତିର ପ୍ରତ୍ୟକ୍ଷ ପ୍ରଦର୍ଶନ କରିବେ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ଏସ୍ସିଏସ୍ଟିଆର୍ଟିଆଇ ପକ୍ଷରୁ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି।