ଜୟପୁର: ଐତିହାସିକ କାଞ୍ଚି ବିଜୟ ଅଭିଯାନର ମୁକସାକ୍ଷୀ ବାଟଜଗନ୍ନାଥପୁର। ଗଜପତି ପୁରୁଷୋତ୍ତମ ଦେବଙ୍କ ଚରଣ ରେଣୁ ପାଇଁ ପାବନ ହୋଇଥିଲା ଏହି ମାଟି। ଅଥଚ ଗୌରବମୟ ପରମ୍ପରା ବହନ କରିଥିବା ଜୟପୁର ବ୍ଲକ୍‌ କେଭିଡି ପଞ୍ଚାୟତର ବାଟଜଗନ୍ନାଥପୁର ବର୍ତ୍ତମାନ ଶ୍ରୀହୀନ। ଦେବୋତ୍ତର ଅଧୀନରେ ରହିଥିବା ଶ୍ରୀଜଗନ୍ନ‌ାଥ ମନ୍ଦିର ଚାରିକାନ୍ଥ ଫାଟି ଆଁ କରିଛି। ଛାତରୁ ଗଳୁଥିବା ପାଣିରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁରକ୍ଷିତ ରଖିବାକୁ ଟଙ୍ଗା ହୋଇଛି ଦୁଇଖଣ୍ଡ ପଲିଥିନ। ଶ୍ରୀଜଗନ୍ନାଥଙ୍କ ଦିବ୍ୟଲୀଳା, ପ୍ରାଚୀନତା, ସାହସୀ ଓଡ଼ିଆଙ୍କ ଗାଥା ବର୍ଣ୍ଣନା କରିବାକୁ ଅପେକ୍ଷା କରିଛି ଜରାଜୀର୍ଣ୍ଣ ଶ୍ରୀମନ୍ଦିର।

Advertisment

ବାଟଜଗନ୍ନାଥପୁର ଓଡ଼ିଆ ସ୍ବାଭିମାନ ଓ ଅସ୍ମିତାର କେନ୍ଦ୍ରସ୍ଥଳ। ଏଠାକାର ବୀରଗାଥା ମାଳଭୂମିରେ ବାରମ୍ବାର ଗୁଞ୍ଜରଣ ହେଉଛି। କାରଣ ପୁରୀ ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରେ ବାହାରି ଦକ୍ଷିଣ ଓଡ଼ିଶାର ଜୟପୁର ଭୂଖଣ୍ଡରେ କିଛି କାଳ ବିତାଇଥିଲେ। ଜୟପୁର ସହର ଠାରୁ ମାତ୍ର ୧୬କିଲୋମିଟର ଦୂର ପାହାଡ଼ ଘେରା ସ୍ଥାନରେ ଗଜପତି ମହାରାଜା ସୈନ୍ୟ ଛାଉଣୀ କରିଥିଲେ। ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପାଇଁ ଛଣଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ଥାପନ କରିଥିଲେ। ନିଷ୍ଠାର ସହ ମହାପ୍ରଭୁଙ୍କୁ ପୂଜା କରିବା ସହ କିଛି ଦିନର ବିଶ୍ରାମ ପରେ କାଞ୍ଚି ଅଭିମୁଖେ ଯାତ୍ରା କରିଥିଲେ। କିନ୍ତୁ ସେହି ଛଣ ଘରେ ରହି ଯାଇଥିଲେ ମହାପ୍ରଭୁ।

ଲୀଳାମୟ ଠାକୁର ବହୁ ବର୍ଷ ପରେ ଦିନେ ସ୍ବପ୍ନାଦେଶରେ ଜୟପୁର ମହାରାଜଙ୍କୁ ନିଜ ଉପସ୍ଥିତି ସମ୍ପର୍କରେ ଅବଗତ କରାଇଲେ। କାଳିଆ ଠାକୁରଙ୍କ ଅଲୌକିକ ସଂକେତକୁ ଅନୁସରଣ କରି ଜୟପୁର ମହାରାଜ ବାଟଜଗନ୍ନାଥପୁର ପହଞ୍ଚିଥିଲେ। ମହାପ୍ରଭୁଙ୍କୁ କରୁଣାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାଇ ଭାବବିହ୍ବଳ ହୋଇ ଦୈନନ୍ଦିନ ସେବାପୂଜା ବ୍ୟବସ୍ଥା କରିଥିଲେ। ପୁରୀ ଶ୍ରୀମନ୍ଦିର ଭଳି ଏଠାରେ ଦୈନିକ ନୀତିକାନ୍ତି କରିବାକୁ ବ୍ରାହ୍ମଣ ନିଯୁକ୍ତି କଲେ। ୮ ବ୍ରାହ୍ମଣ ପରିବାରକୁ ବାଟଜଗନ୍ନାଥପୁରରେ ଅବସ୍ଥାପିତ କରି ଜମିବାଡ଼ି ଦାନ କରିଥିଲେ। ଚତୁର୍ଦ୍ଧାମୂର୍ତ୍ତି ସମଗ୍ର ଅଞ୍ଚଳକୁ ପବିତ୍ର କରିଥିବା ବେଳେ ଶ୍ରୀପୁରୁଷୋତ୍ତମ ଦେବଙ୍କ ପାଦସ୍ପର୍ଶ ପାଇଥିବା ସଂପୂର୍ଣ୍ଣ ଅଞ୍ଚଳକୁ କୁହାଗଲା ବାଟଜଗନ୍ନାଥପୁର। ଜୟପୁର ନାକଟିଡଙ୍ଗର ଏବଂ ବାଟଜଗନ୍ନାଥପୁର ଅତିକ୍ରମ କରି ପୁରୁଷୋତ୍ତମ ଦେବ ବିଜୟୱାଡ଼ା ପର୍ଯ୍ୟନ୍ତ ଯାତ୍ରା କରିଥିବା ଐତିହାସିକ ପ୍ରମାଣ ରହିଛି।

ଭଙ୍ଗାଘରେ ପୂଜା ପାଉଛନ୍ତି ମହାପ୍ରଭୁ
ଘୋଷଯାତ୍ରା ପାଇଁ ଜୟପୁରରୁ ଯାଉଛି କାଠ, ଦଉଡ଼ି

ଐତିହାସିକ ବିବରଣୀ ରହିଛି, ୧୭୭୭ ମସିହାରେ ବସ୍ତର ରାଜା ଦରିଆର ସିଂହଙ୍କୁ ଗାଦିଚ୍ୟୁତ୍‌ କରିଥିଲେ ସାନଭାଇ ଅଜଗର ସିଂହ। ରାଜ୍ୟ ହରାଇ ଦରିଆର ସିଂହ ଜୟପୁର ମହାରାଜା ବିକ୍ରମଦେବଙ୍କ ନିକଟରେ ଆଶ୍ରୟ ନେଲେ। ରାଜା ବିକ୍ରମଦେବ ବସ୍ତର ରାଜ୍ୟ ଜୟ କରି ଦରିଆର ସିଂହଙ୍କୁ ସିଂହାସନ ଫେରାଇଥିଲେ। ଯୁଦ୍ଧରେ ଖଙ୍ଗାର ଗୋଷ୍ଠୀଙ୍କ ସାହାଯ୍ୟ ନେଇ ବର୍ତ୍ତମାନର ଛତିଶଗଡ଼ ଅନ୍ତର୍ଗତ ଧନପୁଞ୍ଜି ପର୍ଯ୍ୟନ୍ତ ବସ୍ତର ରାଜ୍ୟ ଅଧିକୃତ ଅଞ୍ଚଳକୁ ବିକ୍ରମଦେବ ଫେରାଇ ଆଣିବାରେ ସଫଳ ହୋଇଥିଲେ। କିନ୍ତୁ ଯୁଦ୍ଧର କରାଳ ରୂପ ଜୟପୁର ରାଜନଅର ପ୍ରତି ପ୍ରମାଦ ସୃଷ୍ଟି କରିବାରୁ ମହାରାଣୀଙ୍କୁ କିଛିକାଳ ପାଇଁ ପାହାଡ଼ ତଥା ଜଙ୍ଗଲ ଘେରା ଅଞ୍ଚଳରେ ଗୁପ୍ତରେ ରଖାଯାଇଥିଲା। ସେହି ଗୁପ୍ତ ଅଞ୍ଚଳ ପରବର୍ତ୍ତୀ ସମୟରେ ରାଣୀଗଡ଼ ନାମରେ ପ୍ରସିଦ୍ଧି ଲାଭ କରିଥିଲା। ମହାରାଣୀଙ୍କ ରହଣି ସମୟରେ ପ୍ରଥମଥର ବାଟଜଗନ୍ନାଥପୁରରେ ରଥଯାତ୍ରା ବହୁ ଆଡ଼ମ୍ବରେ ପାଳନ ହୋଇଥିଲା। ରାଜତନ୍ତ୍ର ଲୋପ ହେବା ପର୍ଯ୍ୟନ୍ତ ଜୟପୁର ରାଜପରିବାର ପକ୍ଷରୁ ଏଠାରେ ରଥଯାତ୍ରାର ଆୟୋଜନ କରାଯାଉଥିଲା। ରାଜନଅରରୁ ଯାତ୍ରା ନିମନ୍ତେ ସମସ୍ତ ସାମଗ୍ରୀ ଯାଉଥିଲା।

ଜୟପୁର ଦେବୋତ୍ତର ବିଭାଗ ଅଧୀନରେ ବର୍ତ୍ତମାନ ଏହି ଐତିହାସିକ ମନ୍ଦିର ରହିଛି। ପ୍ରତିବର୍ଷ ଘୋଷଯାତ୍ରା ପାଇଁ କାଠ, ଦଉଡି଼ ସହ ସମସ୍ତ ସାମଗ୍ରୀ ଜୟପୁରରୁ ଯାଉଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଜରାଜୀର୍ଣ୍ଣ। ୧୯୮୪ ବନ୍ଦୋବସ୍ତ ପରେ ମନ୍ଦିର ପରିଚାଳନା ପାଇଁ ବ୍ରାହ୍ମଣଙ୍କୁ ରାଜା ପ୍ରଦାନ କରିଥିବା ଅନେକ ଜମି ମନ୍ଦିର ଅଧୀନରୁ ଚାଲିଯାଇଛି। ୭ବର୍ଷ ତଳେ ଦାନ ଏବଂ ଅନୁଦାନରେ ନୂତନ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ମହାପ୍ରଭୁଙ୍କ ଲୀଳା ହେଉ ବା ପ୍ରଶାସନିକ ଉଦାସୀନତା ଯୋଗୁ ନିର୍ମାଣ ଶେଷ ହୋଇପାରିନି। ନୂତନ ମନ୍ଦିର ପ୍ରତିଷ୍ଠା ହୋଇନଥିବାରୁ ମହାପ୍ରଭୁ ଭଙ୍ଗାଘରେ ପୂଜା ପାଉଛନ୍ତି। ପ୍ରାକୃତିକ ପରିବେଶ ସହ ଐତିହାସିକ ପୃଷ୍ଠଭୂମି ରହିଥିବା ବାଟଜଗନ୍ନାଥପୁର ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହୋଇପାରିନି। ବାଟଜଗନ୍ନାଥପୁର ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ିଲେ ନିଶ୍ଚିତ ଗୌରବମୟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିହେବ।