କଟକ: ପୁଲିସ ବାଟାଲିୟନ୍ରେ କାର୍ଯ୍ୟରତ କର୍ମଚାରୀମାନେ ଡ୍ୟୁଟି ସମୟରେ ଅନ୍ଲାଇନ୍ ଗେମିଂ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି। ଏହି ଆପ୍ଲିକେସନ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା ନିବେଶ କରି ଆର୍ଥିକ ସ୍ତରରେ ବରବାଦ୍ ହେଉଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ଦୁଇ ପୁଲିସ କର୍ମଚାରୀ ନିକଟରେ ଆତ୍ମହତ୍ୟା କରିବା ଭଳି ଘଟଣା ସଙ୍ଗିନ ସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ସଶସ୍ତ୍ର ବଳ(ଏସ୍ଏପି) ଏଡିଜି ରାଜେଶ କୁମାର ସମସ୍ତ ବାଟାଲିୟନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେହି ଗେମିଂ ଆପ୍ଲିକେସନ୍ ବ୍ୟବହାର କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଖୋର୍ଦ୍ଧାରେ ଥିବା ଷଷ୍ଠ ଆଇଆର(ଇଣ୍ଡିଆ ରିଜର୍ଭ) ବାଟାଲିୟନ୍ର ସିପାହି ଭାବେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀ ଅନ୍ଲାଇନ୍ ଗେମିଂ ଆପ୍ଲିକେସନରେ ଗେମ୍ ଖେଳୁଥିଲେ। ସେ ଏଥିରେ ଲକ୍ଷାଧିକ ଟଙ୍କା ମଧ୍ୟ ହରାଇଥିଲେ। ଏହି ସିପାହି ଜଣକ ପତ୍ନୀଙ୍କ ସହିତ କୋଲକାତା ବୁଲିଯାଇଥିଲେ। ସେଠାରେ ଆର୍ଥିକ କ୍ଷତିକୁ ନେଇ ଦମ୍ପତିଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସିପାହି ଜଣକ ଆତ୍ମହତ୍ୟା କରିଥିଲେ। ସେହିଭଳି ଓଡ୍ରାଫ୍ରେ କାର୍ଯ୍ୟରତ ଆଉ ଜଣେ ପୁଲିସ କର୍ମଚାରୀ ମଧ୍ୟ ଅନ୍ଲାଇନ୍ ଗେମିଂ ଆପ୍ଲିକେସନ୍ରେ ଅର୍ଥ ନିବେଶ କରି ଆତ୍ମହତ୍ୟା କରିଥିଲେ। ଏହି ଦୁଇଟି ଘଟଣାକୁ ନେଇ ସ୍ବତନ୍ତ୍ର ସଶସ୍ତ୍ର ବଳ(ଏସ୍ଏପି)ରେ ଉଦ୍ବେଗ ସୃଷ୍ଟି ହୋଇଛି। ଦୁଇଟି ଘଟଣାର ବିଭାଗୀୟ ତଦନ୍ତ ସମୟରେ ଗେମିଂ ଆପ୍ଲିକେସନ୍ରେ ଆର୍ଥିକ କ୍ଷତି ହୋଇଥିବାରୁ ଏଭଳି ଆତ୍ମହତ୍ୟା ଘଟଣା ଘଟିଥିବା ଜଣାପଡ଼ିଥିଲା।
ଏବେ ଏସ୍ଏପିର ୨୨ଟି ବାଟାଲିୟନ୍ରେ କାର୍ଯ୍ୟ କରୁଥିବା ବେଳେ ୨୨ ହଜାର ପୁଲିସ ଫୋର୍ସଙ୍କ ସୁରକ୍ଷାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଅଧିକାଂଶ ବାଟାଲିୟନ୍ରେ ଥିବା ପୁଲିସ କର୍ମଚାରୀ ନକ୍ସଲ ଅପରେସନ୍ରେ ନିୟୋଜିତ ଅଛନ୍ତି। କିନ୍ତୁ ଅଧିକାଂଶ ପୁଲିସ ଫୋର୍ସ ଅଫିସ ଡ୍ୟୁଟି ସମୟରେ ଗେମିଂ ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି। ଏହି ଆପ୍ଲିକେସନ୍ ମାଧ୍ୟମରେ ସେମାନେ ଟଙ୍କା ନିବେଶ କରି ଆର୍ଥିକ ସ୍ତରରେ କ୍ଷତି ସହିବା ଦ୍ବାରା ମାନସିକ ଓ ଶାରୀରିକ ସ୍ତରରେ ଚାପଗ୍ରସ୍ତ ହେଉଛନ୍ତି। ଡ୍ୟୁଟି ଉପରେ ବି ଏହାର ସିଧାସଳଖ ପ୍ରଭାବ ପଡ଼ୁଛି। ଏଭଳି କାର୍ଯ୍ୟରେ ନିୟୋଜିତ ସମସ୍ତ ପୁଲିସ ଫୋର୍ସଙ୍କୁ ବାରଣ କରିବା ପାଇଁ ସମସ୍ତ ବାଟାଲିୟନ୍ କମାଣ୍ଡାଣ୍ଟଙ୍କୁ ଏସ୍ଏପି ଏଡିଜି ଚିଠିରେ ଉଲ୍ଲେଖ କରିଥିବା ବେଳେ ଯେଉଁମାନେ ନିୟମ ଖିଲାପ କରୁଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।