କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ବିଭିନ୍ନ କ୍ରୋମାଇଟ୍ ଖଣିକୁ କ୍ରୋମ୍ ଲୋଡ ପାଇଁ ଆସି ଧାଡ଼ିରେ ରହୁଥିବା ଟ୍ରକ୍ରୁ ନିମୟିତ ବ୍ୟାଟେରି ଓ ଡିଜେଲ୍ ଚୋରି କରିଆସୁଥିବା ଏକ ରାକେଟ୍ର ୨ ଜଣ ଲୁଟେରାଙ୍କୁ ଗତକାଲି ରାତିରେ ସ୍ଥାନୀୟ ଲୋକେ ଧରି ପୁଲିସ ଜିମା ଦେଇଥିଲେ। ପୁଲିସ ଏହାର ତଦନ୍ତ କରି ବ୍ୟାଟେରି ଚୋରିର ମାଷ୍ଟରମାଇଣ୍ଡକୁ ଧରିଛି। ଲୋକଙ୍କ ହାତରେ ଧରା ପଡ଼ିଥିବା ୨ ଅଭିଯୁକ୍ତ କଳିଙ୍ଗନଗର ଥାନା ନଡ଼ିଆଭଙ୍ଗା ଗାଁର ଦିଲୁ ମହାନ୍ତ(୨୬) ଓ କାଳିଆପାଣି ଥାନା ଅନ୍ତର୍ଗତ କୋଇପଶି ବସ୍ତିର ଗଣେଶ ଥଟାରି(୨୭)।
ଉଭୟ ଗତକାଲି ଟ୍ରକ୍ ନଂ(ଓଆର୍-୦୯ଇ-୭୦୮୫)ରୁ ବ୍ୟାଟେରି ଚୋରିକରି ପଳାଉଥିବା ବେଳେ ଟମକା-ମଙ୍ଗଳପୁର ସଡ଼କର କାଳିଆପାଣି-କୋଇପଶି ରାସ୍ତାରେ ସ୍ଥାନୀୟ ଡ୍ରାଇଭର ଓ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ। ସଂପୃକ୍ତ ଟ୍ରକ୍ର ଡ୍ରାଇଭର ସୁକୁରାମ ତିରିଆ ଏ ସଂପର୍କରେ ଥାନାରେ ଏତଲା ଦେଇଥିଲେ। ପୁଲିସ ନଂ. ୮୬/୨୨ରେ ଏକ ମାମଲା ରୁଜୁ କରିଥିଲା। ଲୁଟେରା ଦ୍ବୟଙ୍କ ସୂଚନା ଆଧାରରେ ପୁଲିସ ସ୍ଥାନୀୟ ହନୁମାନ ବଜାର ପାଖରେ ରହୁଥିବା କବାଡ଼ିଆ ପୂର୍ଣ୍ଣଚନ୍ଦ୍ର ବେହେରା(୫୪)କୁ ଗିରଫ କରିଥିଲା। ପୂର୍ଣ୍ଣଚନ୍ଦ୍ରର ପୈତୃକ ଘର କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଟୋଲଙ୍କପଡ଼ାସ୍ଥିତ ଘରୁ ୩ଟି ଚୋରା ବ୍ୟାଟେରି ଜବତ କରାଯାଇଛି। ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା।