ବାଣପୁର ବ୍ଳକ ପାଲଟିଲା ରଣଭୂମି; ଜାଣନ୍ତୁ କ’ଣ ଥିଲା ପୂରା ଘଟଣାକ୍ରମ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଅଧ୍ୟକ୍ଷ ନିର୍ବାଚନ ସମୟରେ ବ୍ଳକ ପରିସରରେ ଘଟିଯାଇଛି ଅଘଟଣ । ବିଜେପିର ବିଜୟୀ ହୋଇଥିବା ସମିତି ସଭ୍ୟମାନେ ବ୍ଳକ ଅଧ୍ୟକ୍ଷ ପାଇଁ ଏକ ଶୋଭାଯାତ୍ରାରେ ବ୍ଳକ ପରିସରକୁ ନିଜ ଭୋଟ ଦାନ କରିବାକୁ ଯାଉଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ ବ୍ଳକ ପରିସରକୁ ନିଜର କାର ନେଇ ଯାଇଥିଲେ । ବ୍ଳକ କାର୍ଯ୍ୟାଳୟକୁ  ସେ ଶୋଭାଯାତ୍ରା ଗହଳି ମଧ୍ୟଦେଇ ଯିବାପାଇଁ ଉଦ୍ୟମ କରିବାରୁ ଗାଡି ବାଜି ବାଣପୁର ଥାନା ଆଇଆଇସିଙ୍କ ସମେତ ଅନେକ ବିଜେପି କର୍ମୀ ଆହତ ହୋଇଥିଲେ । ଏହାକୁ ନେଇ ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ବିଧାୟକ ଆହତ ହୋଇଥିଲେ ।

ଶନିବାର ପୂର୍ବାହ୍ନରେ ବାଣପୁର ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିଲା । ଶତାଧିକ ମହିଳା,ପୁରୁଷ ଓ ବିଜେପି କର୍ମୀଙ୍କ ଗହଣରେ ବିଜେପି ସମର୍ଥିତ ସମିତି ସଭ୍ୟମାନେ ଏକ ଶୋଭାଯାତ୍ରାରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବ୍ଳକ ସମ୍ମୁଖରେ କର୍ମୀମାନେ ଦଳୀୟ ନାରାବାଜୀ କରୁଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ ହୋଇଥିଲା। ଏ’ ସମୟରେ ହଠାତ୍ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ କାର ଯୋଗେ  ପହଞ୍ଚିଥିଲେ । ବିଧାୟକ ଗାଡି ସହ ଶୋଭାଯାତ୍ରା ମଧ୍ୟ ଦେଇ ବ୍ଳକ କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଜେପି କର୍ମୀମାନେ ଏହାକୁ ବିରୋଧ କରିଥିଲେ ।

ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଧାୟକଙ୍କ ଉପସ୍ଥିତି ଅନାବଶ୍ୟକ କହି ତାଙ୍କ ଗାଡି ଚତୁଃ ପାର୍ଶ୍ବ କର୍ମୀମାନେ ଘେରି ଯାଇଥିଲେ । ବିଧାୟକ ଗାଡି ସହ ଜବରଦସ୍ତି ପଶିବା ପାଇଁ ଉଦ୍ୟମ କରିବାରେ ଗାଡି ଧକ୍କାରେ ୭ ପୁଲିସ କର୍ମୀଙ୍କ ସମେତ ପ୍ରାୟ ୧୫ ପୁରୁଷ ଓ ମହିଳା ଆହତ ହୋଇଥିଲେ । ଫଳରେ ପରିସ୍ଥିତି ଉଗ୍ର ରୂପ ଧାରଣ କରିଥିଲା । ଉତ୍ତକ୍ଷିପ୍ତ କେତେକ ବିଜେପି କର୍ମୀ ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ । ଏପରିକି ବିଧାୟକଙ୍କୁ ଗାଡିରୁ ଭିଡିଆଣି ମାଡମାରି ଲହୁଲୁହାଣ କରିଦେଇଥିଲେ ।

ପୁଲିସ ଫୋର୍ସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଦୁଇଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଚିକିତ୍ସା ପାଇଁ ବିଧାୟକଙ୍କୁ ପ୍ରଥମେ ଟାଙ୍ଗି ପରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି ।

ଖୋର୍ଦ୍ଧା ଏସପି ଅଲେଖ କୁମାର ପାହୀ ଏବଂ ଉପଜିଲ୍ଲାପାଳ ଗୈାରବ ଶିବାଜୀ ଇସଲୱାର ବାଣପୁରରେ ପହଞ୍ଚିବାରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା । ସମଗ୍ର ବ୍ଳକ ପରିସର ପୁଲିସ ସୁରକ୍ଷା ବଳୟରେ ରହିଛି । ଆହତ ଥାନାଧିକାରୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସନ୍ଧ୍ୟା ସୁଦ୍ଧା ଏନେଇ ଥାନାରେ ଅଭିଯୋଗ ହୋଇନଥିବା ବେଳେ ବର୍ତ୍ତମାନ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି ।

ସମ୍ବନ୍ଧିତ ଖବର