ପୁରୀ: ପାଗ ଅନୁକୂଳ ହେଲେ ଡିସେମ୍ବର ୪ରେ ପୁରୀ ସମୁଦ୍ରକୂଳରେ ଅନୁଷ୍ଠିତ ହେବ ନୌସେନା ଦିବସ। ଯୁଦ୍ଧ ଜାହାଜ ସହ ଏୟାର ସୋ’ ଜରିଆରେ ଭାରତୀୟ ନୌବାହିନୀର ବୀରତ୍ବର କୌଶଳ ପ୍ରଦର୍ଶିତ ହେବ। ବହୁ ସଂଖ୍ୟାରେ ଯୁଦ୍ଧ ଜାହାଜ ଓ ଉଡ଼ାଜାହାଜ ପୁରୀ ଉପକୂଳରେ ସାମରିକ କୌଶଳ ପ୍ରଦର୍ଶନ କରିବେ। ଏଥିପାଇଁ ୪ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ନୌସେନା। ଆଜି ନୌସେନା ମୁଖ୍ୟ ଆଡ୍ମିରାଲ୍ ଦିନେଶ କେ.ତ୍ରିପାଠୀ ପୁରୀ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶନିବାର ପୂର୍ବାହ୍ଣରେ ସେ ପହଞ୍ଚିବା ପରେ ବ୍ଲୁ-ଫ୍ଲାଗ ବିଚ୍ରେ ଅପରେସନ୍ ଡେମୋ-୨୪ ସ୍ଥଳ ବୁଲି ଦେଖିବା ସହ ସ୍ଥିତି ପରଖିଛନ୍ତି। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ପରେ ନୌସେନାର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରି ଅପରାହ୍ଣରେ ଦିଲ୍ଲୀ ଫେରିଯାଇଛନ୍ତି। ନୌସେନା ଅଧିକାରୀମାନେ ଆଜି ପୁରୀ ସମୁଦ୍ର କୂଳରେ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ତଟକୂଳର ସର୍ବେକ୍ଷଣ ଓ ମାପଚୁପ କରିଛନ୍ତି। ଗତକାଲି ୨ଟି ଜାହାଜ ପୁରୀ ଉପକୂଳରେ ଲାଗିଥିଲା। ଆଜି ଆଉ ତିନି ଜାହାଜ ପୁରୀ ଉପକୂଳରେ ପହଞ୍ଚିଛି। ଏମାନେ ତଟ ଉପରେ ସଂପୂର୍ଣ୍ଣ ନଜର ରଖିଛନ୍ତି।
ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ୪୦ରେ ବାୟୁସେନାର ହେଲିକପ୍ଟର ଯୋଗେ ଆସି ତାଳବଣିଆ ହେଲିପ୍ୟାଡ୍ରେ ନୌସେନା ମୁଖ୍ୟ ଶ୍ରୀ ତ୍ରିପାଠୀ ଅବତରଣ କରିବା ପରେ ପ୍ରଥମେ ବ୍ଲୁ-ଫ୍ଲାଗ ବିଚ୍ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ସାଙ୍ଗରେ ଆସିଥିବା ବରିଷ୍ଠ ଅଧିକାରୀଙ୍କ ସହ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବଳିଆପଣ୍ଡାସ୍ଥିତ ହୋଟେଲ କୋକୋପାମ୍କୁ ଯାଇ ବରିଷ୍ଠ ଅଧିକାରୀଙ୍କ ସହ ପ୍ରାକ୍ ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ। ବେଳାଭୂମିର ସ୍ଥିତି ଅନୁଧ୍ୟାନ କରୁଥିବା ଅଧିକାରୀମାନେ କହିଛନ୍ତି, ଡିସେମ୍ବର ୪ ପାଇଁ ନୌସେନାର ଯୁଦ୍ଧ ଜାହାଜ ଆସିଛି। ସୁରକ୍ଷା ପ୍ରସଙ୍ଗରେ ଏହି ଜାହାଜ ଆସିନି। ଡିସେମ୍ବର ୪ରେ ପୁରୀ ଉପକୂଳରେ ନୌସେନା ଦିବସ ପାଳନ ପୂର୍ବରୁ ଭୌଗଳିକ ସ୍ଥିତି ଅନୁଧ୍ୟାନ ସହ ଆବଶ୍ୟକ ସର୍ଭେ ଓ ମାପଚୁପ କରାଯାଇଛି। ଆଗକୁ ଆହୁରି ଜାହାଜ ଆସିବ ବୋଲି ନୌସେନା ଅଧିକାରୀମାନେ କହିଛନ୍ତି।