ଭୁବନେଶ୍ବର: ସମୟ ସକାଳ ୧୦ଟା। ପିଏମ୍ଜି ପଟୁ ବିଧାନସଭା ଅଭିମୁଖେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସିଲେ କଂଗ୍ରେସ ବିଧାୟକ। ଘଣ୍ଟ, ଝାଞ୍ଜ ପିଟିଲେ। ବିଧାନସଭା ଫାଟକ ବନ୍ଦ କରିଦେଲା ପୁଲିସ। ମୁଖ୍ୟ ଫାଟକ ପୂର୍ବରୁ ଥିବା ଲୁହା ବ୍ୟାରିକେଡ୍ ନିକଟରେ ସେମାନଙ୍କୁ ଅଟକାଇ ଦିଆଗଲା। ପୁଲିସ ଅଧିକାରୀ ସିଧାସଳଖ ଶୁଣାଇଦେଲେ, ଅନୁମତି ନାହିଁ; ଆପଣମାନେ ଯାଇପାରିବେ ନାହିଁ। କେବଳ ଦୁଇ ଜଣ ବିଧାୟକ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନା ଯାଇପାରିବେ।
ବିଧାନସଭା ଗୃହ କାର୍ଯ୍ୟ ବର୍ଜନ କରି ଶୋଭାଯାତ୍ରାରେ ବିଧାନସଭା ପରିସରରୁ ବାହାରକୁ ଯିବା ପାଇଁ ଫାଟକ ନିକଟକୁ ମାଡ଼ି ଆସିଲେ ବିଜେଡି ବିଧାୟକ। ଏସ୍ସି, ଏସ୍ଟି, ଓବିସିଙ୍କ ସଂରକ୍ଷଣ ଦାବିକୁ ସରକାର ମାନୁ ନଥିବାରୁ ଏଜି ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟକୁ ଯିବେ ବୋଲି କହିଲେ। କିନ୍ତୁ କଂଗ୍ରେସ ବିଧାୟକଙ୍କୁ ରୋକିବା ପାଇଁ ପଡ଼ିଥିବା ତାଲା ବିଜେଡି ପାଇଁ ବି ଫିଟିଲାନି। ସେମାନେ ତାଲା ଖୋଲିବାକୁ କହିଥିଲେ। ହେଲେ ସୁରକ୍ଷାକର୍ମୀମାନେ ହଠାତ୍ ନିଷ୍ପତ୍ତି ନେଇ ପାରି ନଥିଲେ। ଫାଟକ ବାହାରେ କଂଗ୍ରେସ ବିଧାୟକ ଓ ଭିତର ପଟେ ବିଜେଡି ବିଧାୟକ। ବାସ୍, ତା’ପରେ ଗଣତନ୍ତ୍ରର ପବିତ୍ର ଗୃହ ବିଧାନସଭା ସାମନାର ଦୃଶ୍ୟପଟ ବଦଳିଗଲା। ଯୁଦ୍ଧକ୍ଷେତ୍ରର ପରିସ୍ଥିତି ସୃଷ୍ଟି ହେଲା। ସେଠାରେ ପୁଲିସ ଛାଉଣି ହୋଇଯାଇଥିଲା। ଭିତର ପଟେ ବିଜେଡି ବିଧାୟକମାନେ ମୁଖ୍ୟ ଫାଟକକୁ ଠେଲିଲେ। ବାହାର ପଟେ କଂଗ୍ରେସ ବିଧାୟକ ଓ କର୍ମୀମାନେ ବ୍ୟାରିକେଡ୍କୁ ଠେଲିଲେ। ମଝିରେ ପୁଲିସ କାହାକୁ ରୋକିବ ଜାଣିପାରିଲା ନାହିଁ। କିଛି ସମୟ ଭିତରେ ବିଜେଡି ବିଧାୟକମାନେ ମୁଖ୍ୟ ଫାଟକକୁ ଠେଲି ଖୋଲି ଦେଇଥିଲେ। ତାହା ପରେ ସେମାନେ ଜବରଦସ୍ତ ବ୍ୟାରିକେଡ୍ ଭାଙ୍ଗି ବାହାରକୁ ଚାଲିଯାଇଥିଲେ। ସେମାନେ ଶୋଭାଯାତ୍ରାରେ ଏଜି ଛକ ଆଡ଼କୁ ଗଲେ।
କଂଗ୍ରେସ ବିଧାୟକଙ୍କୁ ପୂରାଇଦେଲାନି ପୁଲିସ
ବିଜେଡି ବିଧାୟକଙ୍କୁ ବି ବାହାରକୁ ଯିବାକୁ ଦେଲେନି
ଭାଙ୍ଗିଗଲା ଫାଟକ, ବ୍ୟାରିକେଡ୍
କଂଗ୍ରେସ ବିଧାୟକମାନେ ଭଙ୍ଗା ବ୍ୟାରିକେଡ୍ ଡେଇଁ ଆଗକୁ ଆସିଥିଲେ। ମୁଖ୍ୟ ଫାଟକରେ ପୁଲିସ ତାଲା ପକାଇ ଦେଇଥିଲା। ସେମାନେ ଜବରଦସ୍ତ ଭିତରକୁ ପ୍ରବେଶ କରିବାକୁ ଚାହିଁଥିଲେ ବି ପୁଲିସ ସେମାନଙ୍କୁ ବଳପୂର୍ବକ ଅଟକାଇଥିଲା। ସଙ୍ଗେ ସଙ୍ଗେ ଆରମ୍ଭ ହୋଇଯାଇଥିଲା ଠେଲାପେଲା, ଧସ୍ତାଧସ୍ତି। ପୁଲିସ୍ ବିଧାୟକମାନଙ୍କୁ ଜବରଦସ୍ତ ଉଠାଇ ନେଇଥିଲା। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ଅନ୍ୟ ବିଧାୟକମାନଙ୍କୁ ଟେକି ଟେକି ନେଇ ଭ୍ୟାନ୍ରେ ପୂରାଇ ଦେଇଥିଲା। ସେଠାରେ ଉପସ୍ଥିତ ଥିବା କଂଗ୍ରେସ ନେତା ଓ କର୍ମୀଙ୍କ ସହ ପୁଲିସର ଲଢ଼େଇ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ଧକ୍କା ମରାମରି ହୋଇଥିଲେ। ପୁଲିସ କଂଗ୍ରେସ କର୍ମୀଙ୍କୁ ଟାଣୁଥିଲା ବେଳେ ସେମାନେ ବି ପୁଲିସର କଲର୍ ଧରି ଟାଣିଥିଲେ। ଠେଲାପେଲାରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଟୋପି ଖସିପଡ଼ିଥିଲା। କିଛି ସମୟ ପରେ ଆନ୍ଦୋଳନକାରୀଙ୍କୁ ପୁଲିସ୍ ଉଠାଇ ନେଇଥିଲା। ନିଲମ୍ବିତ ହୋଇ ନଥିବା ଦୁଇ ଜଣ ବିଧାୟକଙ୍କୁ ଭିତରକୁ ଛଡ଼ାଯାଇଥିଲା। ସେମାନେ ଘଣ୍ଟ ବାଡ଼େଇ ବିଧାନସଭା ଭିତରକୁ ପଶିଥିଲେ।
ଏହା ପରେ ବିଧାନସଭାର ମୁଖ୍ୟ ଫାଟକକୁ ପୁଣି ବନ୍ଦ କରିଦିଆଯାଇଥିଲା। ବାହାରେ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆଉ ଭିତରକୁ ଛଡ଼ାଯାଇ ନଥିଲା। ବିଜେଡି ବିଧାୟକମାନେ ଏଜି ଛକରୁ ଫେରିଲା ବେଳେ ସେମାନଙ୍କୁ ଆଉ ଗୋଟିଏ ଫାଟକ ଦେଇ ଭିତରକୁ ଯିବାକୁ କୁହାଗଲା। କିଛି ସମୟରେ ସାଂସଦ ସପ୍ତଗିରି ଉଲ୍ଲାକା ଅନ୍ୟ କଂଗ୍ରେସ ନେତାମାନଙ୍କ ସହ ସେଠାରେ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ପୁଲିସ ଭିତରକୁ ଯିବାକୁ ଦେଇ ନଥିଲା। ଏହାକୁ ନେଇ ପୁଲିସ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। କିନ୍ତୁ ଅନୁମତି ନଥିବାରୁ ଛଡ଼ାଯିବ ନାହିଁ ବୋଲି ପୁଲିସ କହିଥିଲା। ଶ୍ରୀ ଉଲ୍ଲାକା ସେଠାରେ ଅସନ୍ତୋଷ ଝାଡ଼ିବା ସହ ଓଡ଼ିଶାରେ ବିଜେପି ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି କହିଥିଲେ। ଏ ପ୍ରସଙ୍ଗ ସେ ସଂସଦରେ ଉଠାଇବେ ବୋଲି କହିଥିଲେ। ଏହା ପରେ ଦିନତମାମ ଆଉ ମୁଖ୍ୟ ଫାଟକକୁ ଖୋଲାଯାଇ ନଥିଲା। ରବୀନ୍ଦ୍ର ମଣ୍ଡପ ପଟ ଫାଟକ ପଟେ ସମସ୍ତେ ଯିବା ଆସିବା କରିଥିଲେ।