ଭୋଟ୍‌ ଗଣତି ପୂର୍ବରୁ ବିଜେବି କଲେଜ ଷ୍ଟ୍ରଙ୍ଗ୍‌ ରୁମ୍‌ ସାମ୍ନା ପାଲଟିଲା ରଣକ୍ଷେତ୍ର

ଇଭିଏମ୍‌ ଟ୍ୟାମ୍ପରିଂ ଅଭିଯୋଗ ଆଣିଲା ବିଜେପି, କର୍ମଚାରୀଙ୍କୁ ପିଟିଲେ, ପୁଲିସକୁ ଢେଲାମାଡ଼, ଲାଠିଚାର୍ଜ କଲା ପୁଲିସ୍‌

ଭୁବନେଶ୍ୱର : ଆଜି ଭୋଟ୍‌ ଗଣତି। ପ୍ରଶାସନ ଏ ନେଇ ପ୍ରସ୍ତୁତି ଚଳାଇଥିବା ବେଳେ ଷ୍ଟ୍ରଙ୍ଗ୍‌ରୁମ୍‌ ହୋଇଥିବା ବିଜେବି କଲେଜରେ ଘଟିଛି ତୁମୁଳକାଣ୍ଡ। ଷ୍ଟ୍ରଙ୍ଗ୍‌ରୁମ୍‌ରେ କର୍ମଚାରୀ ପଶି ଇଭିଏମ୍‌ ଟ୍ୟାମ୍ପରିଂ କରିଥିବା ଅଭିଯୋଗ ଆଣିଛି ବିଜେପି। ଏହାକୁ ନେଇ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଓ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ଥିବା କର୍ମଚାରୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବିଜେପି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ମାରପିଟ୍‌ରେ ପୁଲିସ କର୍ମଚାରୀଙ୍କ ସମେତ ପ୍ରାୟ ୩ଜଣ ଗୁରୁତର ହୋଇଥିବାବେଳେ ଆଉ ୫ଜଣ ଆହତ ହୋଇଛନ୍ତି। ପରେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲାଠିଚାର୍ଜ କରିବା ସହିତ ବିଜେବି କଲେଜ ଚାରି ପାର୍ଶ୍ବରେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଏହାସହିତ ଚାରିପଟେ ଥିବା ଉଠାଦୋକାନଗୁଡ଼ିକ ମଧ୍ୟ ବନ୍ଦ କରାଯାଇଥିଲା। ଆଗକୁ କୌଣସି ଅଘଟଣ ଆଶଙ୍କାରେ ବିଜେବି କଲେଜ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି।

ସିସିଟିଭି ବନ୍ଦ ହୋଇନାହିଁ, ଧରାପଡ଼ିଥିବା ଯୁବକ ସ୍ବୀକୃତିପ୍ରାପ୍ତ: ନିର୍ବାଚନ ଅଧିକାରୀ

 

ପୂରା ଘଟଣା ଏହିପରି: ଗତକାଲି ଇଭିଏମ୍‌ଗୁଡ଼ିକୁ ଅଣାଯାଇ ବିଜେବି କଲେଜ ଷ୍ଟ୍ରଙ୍ଗ୍‌ରୁମ୍‌ରେ ରଖାଯାଇଥିଲା। ଆର୍ଟସ୍‌ ବ୍ଲକ୍‌ର ପ୍ରଥମ ଓ ଦ୍ବିତୀୟ ମହଲାରେ ଏହି ଷ୍ଟ୍ରଙ୍ଗ୍‌ରୁମ୍‌ ହୋଇଥିଲା। ଏଠାରେ ଇଭିଏମ୍‌ ସୁରକ୍ଷିତ ଅଛି ଜାଣିବା ପାଇଁ ସିସିଟିଭି ଲଗାଯାଇଥିଲା। ଏହାର ଜୀବନ୍ତ ଚିତ୍ର ଦେଖିବା ପାଇଁ ବାହାରେ ଏଲ୍‌ଇଡି ମାଧ୍ୟମରେ ବ୍ୟବସ୍ଥା କରାଯାଇଥିଲା। ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ବସି ଏହି ଜୀବନ୍ତ ଚିତ୍ର ଦେଖୁଥିଲେ। ବିଜେପିର ଅଭିଯୋଗ ମୁତାବକ, ହଠାତ୍‌ ଏହି ସ୍କ୍ରିନ୍‌ ଅନ୍ଧାର ହୋଇ ଯାଇଥିଲା। ଏଣୁ ଭିତରେ କିଛି କାରବାର ଚାଲିଥିବା ସେମାନଙ୍କର ସନ୍ଦେହ ହୋଇଥିଲା। ସେଠାରେ କାର୍ଯ୍ୟରତ ଅଧିକାରୀଙ୍କ ଠାରୁ ସେମାନେ ଏହାର ଉତ୍ତର ଚାହିଁଥିଲେ। ଷ୍ଟ୍ରଙ୍ଗ୍‌ରୁମ୍‌କୁ କେହି ଯାଇ ନାହାନ୍ତି, ଇଭିଏମ୍‌ ସୁରକ୍ଷିତ ଅଛି ବୋଲି ଅଧିକାରୀ କହିଥିଲେ। ଏତିକିବେଳେ ଜଣେ ଯୁବକ ଷ୍ଟ୍ରଙ୍ଗ୍‌ରୁମ୍‌ ଆଡ଼ୁ ଆସିଥିଲେ। ଜିଲ୍ଲା ପ୍ରଶାସନର ଅଧିକୃତ ଅଧିକାରୀ କିମ୍ବା ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ିଦେଲେ ସେଠାରେ ଆଉ କେହି ଯିବା ଉଚିତ ନୁହେଁ। ଏଣୁ ଏ ଯୁବକ କିଏ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଯୁବକ ଜଣକ ସରକାରୀ କର୍ମଚାରୀ ବୋଲି ଯେଉଁ ପରିଚୟ ପତ୍ର ଦେଖାଇଥିଲେ, ତାହାର ଅବଧି ଶେଷ ହୋଇ ଯାଇଥିଲା। ଏଣୁ ଲୋକଙ୍କର ସନ୍ଦେହ ବଢ଼ିଥିଲା। ସେମାନେ ଯୁବକଙ୍କୁ ଘେରି ଯାଇଥିଲେ।

ଭିଡ଼ ଭିତରୁ ଜଣେ କେହି କହିଥିଲେ ‘ଯୁବକଙ୍କୁ ମୁଁ ଜଣେ ବିଜେଡି ବିଧାୟକଙ୍କ ସହ ଶୋଭାଯାତ୍ରାରେ ଦେଖିଛି’। ବାସ୍‌, ଏତିକି ପରେ ଆରମ୍ଭ ହୋଇ ଯାଇଥିଲା ମାଡ଼। ଯୁବକକୁ ପିଟି ଲହୁଲୁହାଣ କରିଥିଲେ ଉତ୍ତ୍ୟକ୍ତ ଲୋକ। ସେମାନଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୁଲିସ କର୍ମଚାରୀ ବି ମାଡ଼ରୁ ବର୍ତ୍ତି ନଥିଲେ। କିଛି ଲୋକ ସମ୍ପୃକ୍ତ ଯୁବକକୁ ପିଟୁଥିବାବେଳେ ଆଉ କିଛି ପୁଲିସ କର୍ମଚାରୀଙ୍କୁ ପିଟିଥିଲେ। ଶେଷରେ ପୁଲିସ ବି ଏହି ଟ୍ୟାମ୍ପରିଂରେ ସାମିଲ ଅଛି କହି ସମସ୍ତେ ସମ୍ପୃକ୍ତ ଯୁବକକୁ ଛାଡ଼ି ପୁଲିସକୁ ପିଟିଥିଲେ। ମାତ୍ର କେଇ ମିନିଟ୍‌ ଭିତରେ ବିଜେବି କଲେଜ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ପରିସ୍ଥିତି ସମ୍ଭାଳିବାକୁ ଯାଇ ପୁଲିସ ମୃଦୁ ଲାଠିଚାଳନା କରିଥିଲା। ଫଳରେ ପରିସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା। ପୁଲିସ ଗୋଡ଼ାଇବାରୁ ଲୋକ ଦଉଡ଼ିଥିଲେ। କିଛିଦୂର ଯିବାପରେ ଅନ୍ଧାରରୁ ଢେଲା ମାଡ଼ କରିଥିଲେ। ଫଳରେ ଏଭଳି କାଣ୍ଡ ପାଇଁ ପ୍ରସ୍ତୁତ ନଥିବା ପୁଲିସ ହରଡ଼ଘଣାରେ ପଡ଼ିଯାଇଥିଲା। ଅନ୍ଧାରରୁ ଟେକା ଆସି କେବଳ ପୁଲିସ ନୁହେଁ, ଜିଲ୍ଲା ପ୍ରଶାସନର କେତେକ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ପଡ଼ିଥିଲା। ଯିଏ ଯୁଆଡ଼େ ପାରିଥିଲେ ଲୁଚି ଜୀବନ ବଞ୍ଚାଇଥିଲେ। ପରେ ସଶସ୍ତ୍ର ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲା।

ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଡିସିପିଙ୍କ ସହ ଉଭୟ ଅଧିକାରୀ ଆଲୋଚନା କରିଥିଲେ। ଗଣମାଧ୍ୟମକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର କହିଥିଲେ ଯେ ଲୋକମାନଙ୍କ ଦ୍ବାରା ଅଟକ ଥିବା ଯୁବକ ସ୍ବୀକୃତିପ୍ରାପ୍ତ ଏବଂ ସେ ଡିଜି ସେଟ୍ ମରାମତି କରିବାକୁ ଯାଇଥିଲେ। ମରାମତି କରି ଫେରିବାବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏହାସହିତ ଷ୍ଟ୍ରଙ୍ଗରୁମ୍‌ର ସିସି କ୍ୟାମେରା ବନ୍ଦ ହୋଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଗଣ୍ଡଗୋଳ ଥମିବା ପରେ ପୁଲିସ୍‌ ସହ ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ଷ୍ଟ୍ରଙ୍ଗ୍‌ରୁମ୍ ପରିସରକୁ ଯାଇ ସିସି କ୍ୟାମେରା ଦେଖିଥିଲେ। ଶ୍ରୀ ସିଂହ କହିଛନ୍ତି, ୧୩ଟା ଷ୍ଟ୍ରଙ୍ଗ୍‌ରୁମ୍‌ର ସିସି କ୍ୟାମେରାର ସଂପୂର୍ଣ୍ଣ ଦୃଶ୍ୟ ଦେଖିବା ସମ୍ଭବ ନୁହେଁ। ତେଣୁ ଭିତରେ ଯାଇଥିବା ଉକ୍ତ ଯୁବକଙ୍କ କାର୍ଯ୍ୟକଳାପ ସନ୍ଦେହଘେରରେ। କାରଣ ଯେଉଁ ଯୁବକ ଭିତରକୁ ଯାଇଥିଲେ ସେ ବିଜେଡି ମେୟର ପ୍ରାର୍ଥୀଙ୍କ ସହିତ ନିର୍ବାଚନ ପ୍ରଚାର କରୁଥିଲେ। ତେଣୁ ଗୋଟିଏ ଦଳ ପାଇଁ ପ୍ରଚାର କରୁଥିବା ବ୍ୟକ୍ତି କେମିତି ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହୋଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହିତ ବିନା ପରିଚୟ ପତ୍ରରେ ଭିତରକୁ କେମିତି ଯାଇଥିଲେ? ଯଦି ଯୁବକ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ, ତେବେ ତାଙ୍କ ପକେଟ୍‌ରୁ ୧ରୁ ୧୫୨ ବୁଥ୍ ଲେଖାଥିବା ଏକ କାଗଜ କେଉଁଠୁ ଆସିଲା ?

ଅପରପକ୍ଷରେ ବଡ଼ଗଡ଼ ଥାନା ପୁଲିସ ଆଜିର ଅଘଟଣ ପରେ ନିଜଆଡ଼ୁ ଏକ ମାମଲା ରୁଜୁ କରିଛି। ନିର୍ବାଚନୀ ହିଂସା, ଗଣ୍ଡଗୋଳ, ଆକ୍ରମଣ ଭଳି ଏକାଧିକ ସଙ୍ଗୀନ ଦଫାରେ ମାମଲା ହୋଇଛି। ଏକାଧିକ ଗାଡ଼ି ପୁଲିସ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର