ଗରଦପୁର: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ର କୁଦାନଗରୀ ଥାନା ଅନ୍ତର୍ଗତ କୁଦାନଗରୀସ୍ଥିତ ଶୁକ ପରିଷଦ ଆଶ୍ରମରେ ମାଘ ମେଳା ଉପଲକ୍ଷେ ଆୟୋଜିତ ଅପେରାରେ ଆଇଟମ୍ ଗାର୍ଲଙ୍କ ନୃତ୍ୟକୁ ନେଇ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ରାତିରେ ଯାତ୍ରା ଆରମ୍ଭରୁ ଆଇଟମ୍ ଗାର୍ଲଙ୍କ ନୃତ୍ୟକୁ ବିରୋଧ କରୁଥିବା ଏବଂ ସପକ୍ଷ ଗୋଷ୍ଠୀ ମଧ୍ୟରେ ବଚସା ପରେ ଧସ୍ତାଧସ୍ତି, ମାରପିଟ୍, ଚେୟାର୍ ଭଙ୍ଗାରୁଜା ଯୋଗୁଁ ଅପେରା ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ଏଥିରେ ବହୁ ଦର୍ଶକ ଆହତ ହୋଇଥିଲେ। ସେହିପରି ଯାତ୍ରା ଅଧାରୁ ବନ୍ଦ ହେବା ପରେ ଘରକୁ ଫେରୁଥିବା ଦୁଇଜଣ କମିଟି ସଦସ୍ୟଙ୍କୁ ମାରଣାସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ସୂଚନା ମୁତାବକ, ମାଘ ମେଳାରେ ପ୍ରତିବର୍ଷ କୁଦାନଗରୀସ୍ଥିତ ଶୁକ ପରିଷଦ ସାଂସ୍କୃତିକ ପରିଷଦ ପକ୍ଷରୁ ଯାତ୍ରା ପରିବେଷଣ କରାଯାଉଛି। ଚଳିତବର୍ଷ ଅନ୍ୟ ଏକ କମିଟି ପକ୍ଷରୁ ମଧ୍ୟ ଯାତ୍ରାର ଆୟୋଜନ କରାଯାଇଥିଲା। ଫଳରେ ଶୁକ ପରିଷଦ କମିଟି ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଆଣିଥିଲା। ନିଶା ନୃତ୍ୟ ଆରମ୍ଭ କରିବାର କିଛି କ୍ଷଣ ପରେ କେତେକ ଦର୍ଶକ ଛିଡ଼ା ହୋଇ ଏହାକୁ ବନ୍ଦ କରିବା ପାଇଁ ହୋହଲ୍ଲା କରିଥିଲେ। ଏପଟେ ଯାତ୍ରା କମିଟି ଓ କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି ଜିଦ୍ ଧରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ନିଶା ପୁନର୍ବାର ନୃତ୍ୟ ଆରମ୍ଭ କରିବା କ୍ଷଣି ତାଙ୍କ ଉପରକୁ କେତେକ ଦର୍ଶକ ଜଳନ୍ତା ସିଗାରେଟ୍ ଫୋପାଡ଼ିଥିଲେ। ଫଳରେ ନିଶା ପେଣ୍ଡାଲ୍ରୁ ଚାଲି ଯାଇଥିଲେ। ଏହାପରେ ଗଣ୍ଡଗୋଳ ଉଗ୍ରରୂପ ନେବା ସହ ଅପେରା ମଞ୍ଚ, ପରିସର ଓ ପଡ଼ିଆ ଯୁଦ୍ଧକ୍ଷେତ୍ର ପାଲଟି ଯାଇଥିଲା। ଏହା ଦେଖି ଦର୍ଶକମାନେ ଛିନ୍ଛତ୍ର ହୋଇ ପଳାଇ ଯାଇଥିଲେ।
ପୁଲିସ ଅବହେଳାକୁ ଦାୟୀ କଲା ଯାତ୍ରା କମିଟି
ଅଶ୍ଳୀଳ ନୃତ୍ୟଗୀତ ନିଷେଧ କରାଯାଇଥିଲା: ପୁଲିସ
ଏହି ସମୟରେ କିଛି ଯୁବତୀ ଓ ମହିଳା ଅଶୋଭନୀୟ ଆଚରଣର ଶିକାର ହୋଇଥିବା ମଧ୍ୟ ଜଣାପଡ଼ିଛି। ଯାତ୍ରା କମିଟି ଓ କେତେକ ଦର୍ଶକ ଗଣ୍ଡଗୋଳକାରୀଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସୁଫଳ ନ ମିଳିବାରୁ ନାଟକ ପରିବେଷଣ ବନ୍ଦ କରାଯାଇଥିଲା। ଅନ୍ୟପଟେ, ନାଟକ ବନ୍ଦ ହେବା ପରେ ନିଜ ଘର ବଡ଼ବେତ୍ରା ଫେରୁଥିବା ଯାତ୍ରା କମିଟିର ଦୁଇଜଣ ସଦସ୍ୟ ସ୍ବପ୍ନଜିତ୍ ମହାପାତ୍ର ଓ ଜିତେନ୍ଦ୍ର ସାହୁଙ୍କୁ ନାଗଣପୁର ଗ୍ରାମ ନିକଟରେ ସଂଘବଦ୍ଧ ଭାବେ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ସ୍ବପ୍ନଜିତ୍ଙ୍କ ମୁଣ୍ଡ ଓ ହାତରେ ଛୁରାମାଡ଼ କରିଥିଲା ବେଳେ ଜିତେନ୍ଦ୍ରଙ୍କୁ ଲୁହାଛଡ଼ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦୁଇ ଯୁବକ ରାସ୍ତାରେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ସେଠାରୁ ଚାଲି ଯାଇଥିଲେ। ଖବର ପାଇ କମିଟି ସଦସ୍ୟ ଓ ପରିବାର ଲୋକ ସେଠାରେ ପହଞ୍ଚି ଉଭୟଙ୍କୁ ଚିକିତ୍ସା ପାଇଁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ନେଇଥିଲେ। ଏ ସମ୍ପର୍କରେ ଯାତ୍ରା କମିଟି ପକ୍ଷରୁ ସଭାପତି ଜ୍ଞାନରଞ୍ଜନ ରାଉତ, ବନବିହାରୀ ପାତ୍ର, ଅକ୍ଷୟ କୁମାର ସାହୁ, ଶାରଦାପ୍ରସାଦ ବାରିକ, ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ କୁଦାନଗରୀ ଥାନାରେ ଏତଲା ଦେବା ସହ ଯାତ୍ରାପାର୍ଟିର କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦାବି କରିଛନ୍ତି। ସେହିପରି ଆକ୍ରମଣକାରୀଙ୍କ ବିରୋଧରେ ଆହତ ସ୍ବପ୍ନଜିତ୍ ଓ ଜିତେନ୍ଦ୍ର ଥାନାରେ ପୃଥକ୍ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ଏଭଳି ଘଟଣା ପାଇଁ ଯାତ୍ରା କମିଟି କୁଦାନଗରୀ ପୁଲିସକୁ ଦାୟୀ କରିଛି। ମେଳାକୁ ହଜାର ହଜାର ଲୋକ ଆସୁଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଟି ପକ୍ଷରୁ ଥାନାରେ ଲିଖିତ ଭାବେ ଜଣାଇ ଦିଆଯାଇଥିଲା। ଏଥିପ୍ରତି ଗୁରୁତ୍ବ ଦିଆ ନ ଯାଇ କେବଳ ଚାରିଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଥିସହ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆ ନ ଯିବାରୁ ଏଭଳି ଘଟଣା ଘଟିଲା ବୋଲି ଯାତ୍ରା କମିଟିର ପୂର୍ବତନ ସମ୍ପାଦକ ଜ୍ଞାନବଲ୍ଲଭ ମହାନ୍ତି ଓ ବନବିହାରୀ ପାତ୍ର ଅଭିଯୋଗ କରିଛନ୍ତି। କମିଟି ସଦସ୍ୟମାନେ ଆଜି ଏସ୍ପିଙ୍କୁ ସାକ୍ଷାତ କରି ଘଟଣାର ତଦନ୍ତ ଓ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିବା ଜଣାଯାଇଛି। ଅନ୍ୟପଟେ, ଯାତ୍ରା ପରିବେଷଣ ସମୟରେ ଆଇଟମ୍ ଗାର୍ଲଙ୍କ ନୃତ୍ୟ କିମ୍ବା ଅଶ୍ଳୀଳ ନାଚଗୀତ ଓ ଜୁଆ ଖେଳ ନ କରିବାକୁ କୁହାଯାଇଥିଲା ବୋଲି ପୁଲିସ କହିଛି। ତେବେ ଥାନାରେ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଅମ୍ବିକା ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/10/hBgvj60oyXseb83NsN2K.jpg)