ବାତ୍ୟା ‘ଅସାନି’: ୪ ଜିଲ୍ଲାର ୧୫ଟି ବ୍ଲକ୍‌ର ଲୋକ ସ୍ଥାନାନ୍ତର ହେବେ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ରବିବାର ଦିନ ଭୀଷଣ ବାତ୍ୟାରେ ପରିଣତ ହେବା ସହ ଘଣ୍ଟା ପ୍ରତି ପ୍ରାୟ ୧୪କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ସମୁଦ୍ର ଭିତରେ ଘଣ୍ଟାକୁ ୯୦ରୁ ୧୧୫କିମି ବେଗରେ ପବନ ବହୁଥିବାରୁ ମଝି ସମୁଦ୍ର ଅଶାନ୍ତ ହେଲାଣି। ପୁରୀର ଦକ୍ଷିଣ ପୂର୍ବ ଦିଗରେ ୯୩୦କିମି ଦୂରରେ ବାତ୍ୟା ‘ଅସାନି’ ଥିଲେ ହେଁ ୧୦ତାରିଖ ସଂଧ୍ୟା ବେଳକୁ ସମୁଦ୍ର ମଧ୍ୟରେ ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଛି। ଏହାପରେ ଗତିପଥ ବଦଳାଇ ଉତ୍ତର-ପୂର୍ବ ଦିଗରେ ଯିବା ସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳ ମୁହାଁ ହେବ। ବାତ୍ୟା ସ୍ଥଳଭାଗ ନଛୁଇଁଲେ ବି କିଛି ସମୟ ପାଇଁ ପବନ ଆଶଙ୍କା ଥିବାରୁ ଉପକୂଳ ୪ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି।

ବାତ୍ୟାର ଗତିପଥ ଦେଖି ରାଜ୍ୟ ସରକାର ୪ଟି ଜିଲ୍ଲାର ୧୫ଟି ବ୍ଲକ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଏହାସହ ପ୍ରବଳ ବର୍ଷା, ପବନ ହେବାକୁ ଥିବାରୁ ୧୦ତାରିଖ ଅପରାହ୍ନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଅସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳରେ ମାଟି ଘର ଓ କୁଡ଼ିଆ ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଏସ୍‌ଆର୍‌ସି ପ୍ରଦୀପ ଜେନା ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

republicworld.com

ସେହିପରି ୧୫ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରି ଯତ୍ନ ନେବାକୁ କୁହାଯାଇଛି। ସୋମବାର ସକାଳ ସୁଦ୍ଧା ୬ଟି ଓଡ୍ରାଫ୍ ଟିମ୍ ପୁରୀ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ, ଗଞ୍ଜାମ, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରିବାକୁ କୁହାଯାଇଛି। ବାତ୍ୟା ସମୟରେ ହେବାକୁ ଥିବା ବର୍ଷା ଦ୍ବାରା ତଳିଆ ଅଞ୍ଚଳରେ ଜଳମଗ୍ନ ହେବାର ସମ୍ଭାବନା

ଥିବାରୁ ୧୮ଟି ଜିଲ୍ଲାର ଜିଲ୍ଲାପାଳ, ଭୁବନେଶ୍ବର, କଟକ, ବ୍ରହ୍ମପୁର ମହାନଗର ନିଗମର କମିସନରମାନେ ଜଳ ନିଷ୍କାସନ ପାଇଁ ଆଗୁଆ ପଦକ୍ଷେପ ନେବାକୁ କୁହାଯାଇଛି। ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ,ନଗର ଉନ୍ନୟନ, ଶକ୍ତି, ପଞ୍ଚାୟତିରାଜ ବିଭାଗ ସମସ୍ତ କର୍ମଚାରୀ, ମେସିନ୍ ସଜାଗ ରଖିବାକୁ କୁହାଯାଇଛି। ସମସ୍ତ ପଶୁ ଚିକିତ୍ସାଳୟରେ ଆବଶ୍ୟକ ପଶୁ ‌ଔଷଧ ମହଜୁଦ୍‌ ରଖିବେ, ପଶୁ ଆହାର ଯୋଗାଉଥିବା ଯୋଗାଣକାରୀ ସଂସ୍ଥାଙ୍କ ତାଲିକା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ସମୁଦ୍ରରୁ ଫେରାଇ ଅଣାଯାଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି।

ଇତିମଧ୍ୟରେ ପରିସ୍ଥିତିର ମୁକାବିଲା ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ଅଞ୍ଚଳରେ ଉତ୍ସର୍ଗୀକୃତ ଦ୍ରୁତ ପ୍ରଶମନ ଟିମ୍‌ ମୁତୟନ କରାଯାଇଛି। ଯେ କୌଣସି ପ୍ରକାର ଜରୁରୀକାଳିନ ସେବା ପାଇଁ ୨୪ ଘଣ୍ଟିଆ କଲ୍‌ସେଣ୍ଟର ଖୋଲା ଯାଇଛି ବୋଲି ଏ ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର