ରଥଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଚିନ୍ତା : ବାହୁଟକଣ୍ଟ ପାଇଁ ବାଡ଼ି ଅଣ୍ଡାଳୁଛି ପ୍ରଶାସନ, ବିଶ୍ବନାଥପୁରରୁ ଚିହ୍ନଟ ହେଲା ବଉଳ ଗଛ
ପୁରୀ : ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଚିନ୍ତା ଘାରିଛି ଶ୍ରୀମନ୍ଦିର ପ୍ରଶାସନକୁ। ବାହୁଟକଣ୍ଟ ଓ ସେନାପଟ ପାଇଁ ବଉଳ କାଠର ଘୋର ସଙ୍କଟ ଦେଖା ଦେଇଥିବା ବେଳେ ଏଥର ମଧ୍ୟ କାଠ ଖୋଜିବାକୁ ଯାଇ ନୟାନ୍ତ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ବହୁ ଖୋଜାଖୋଜି ପରେ ଶ୍ରୀମନ୍ଦିର ପ୍ରଶାସନର ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ସହିତ ଏକ ପ୍ରତିନିଧି ଦଳ ଆଜି ବାହୁଟକଣ୍ଟ ଓ ସେନାପଟ ପାଇଁ ବଉଳ କାଠର ସନ୍ଧାନ ପାଇଛନ୍ତି। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିଶ୍ବନାଥପୁର ଗ୍ରାମର ଅମୂଲ୍ୟ ମିଶ୍ର ଓ ମହାଦେବ ମିଶ୍ରଙ୍କ ବାଡ଼ିରୁ ବାହୁଟକଣ୍ଟ ପାଇଁ ଏକ ଯୋଗ୍ୟ ତଥା ବୟସ୍କ ବଉଳ ଗଛକୁ ଠାବ କରିଛି ଏହି ପ୍ରତିନିଧି ଦଳ। ଖୁବ ଶୀଘ୍ର ଏହି ଗଛ କଟାଯାଇ ଏଥିରୁ ବାହୁଟକଣ୍ଟ ପ୍ରସ୍ତୁତ କରାଯିବ ବୋଲି ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି। ଅନ୍ୟପକ୍ଷରେ ଗୃହକର୍ତ୍ତା ମଧ୍ୟ ମହାପ୍ରଭୁଙ୍କ ସେବା ପାଇଁ ଏହି ଗଛ ଦାନ କରିବାକୁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ପ୍ରତିବର୍ଷ ମନ୍ଦିର ପ୍ରଶାସନ ଲୋକଙ୍କ ବାଡ଼ିବଗିଚା ଅଣ୍ଡାଳି ବଉଳ ଗଛ ଚିହ୍ନଟ କରୁଛି। ଏଥି ପାଇଁ ସ୍ଥାୟୀ ବ୍ୟବସ୍ଥା କିଛି କରାଯାଉନାହିଁ। ଫଳରେ ପ୍ରତ୍ୟେକ ବର୍ଷ ବଉଳ କାଠ ପାଇଁ ମନ୍ଦିର ପ୍ରଶାସନକୁ ହଇରାଣ ହେବାକୁ ପଡୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀଜିଉଙ୍କ ପହଣ୍ଡି ବିଜେ ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ବାହୁଟକଣ୍ଟ ଓ ସେନାପଟ (ମହାପ୍ରଭୁଙ୍କ ହସ୍ତ ଓ ଶରୀର ସୁରକ୍ଷା ନିମନ୍ତେ ବଉଳ କାଠରେ ତିଆରି ହୋଇଥିବା ସ୍ବତନ୍ତ୍ର ଢିରା) ଏକାନ୍ତ ଅପରିହାର୍ଯ୍ୟ। ବଉଳ କାଠର ପଟାରୁ ହିଁ ବାହୁଟକଣ୍ଟ ନିର୍ମାଣ ହୋଇଥାଏ। ବାହୁଟକଣ୍ଟ ଓ ସେନାପଟା ଲାଗି ନଥିଲେ ଶ୍ରୀଜିଉଙ୍କ ପହଣ୍ଡି ସମ୍ଭବ ନୁହେଁ। ଏଥି ପାଇଁ ଆବଶ୍ୟକ ହୋଇଥାଏ ଏକ ସାଇଜ୍ ବଉଳ ଗଛ, ଯାହାର ଲମ୍ବ ଓ ଓସାର ପଟା ପାଇଁ ଉପଯୋଗୀ ହୋଇଥାଏ। ମହାପ୍ରଭୁଙ୍କ ଦାରୁ ଚୟନ ଭଳି, ବଉଳ ଗଛଟି ହୃଷ୍ଟପୁଷ୍ଟ ହେବା ସହିତ ବୟସ ୪୦ ବର୍ଷରୁ ଅଧିକ ହୋଇଥିଲେ ଏହାକୁ ବାହୁଟକଣ୍ଟ/ସେନାପଟା ପାଇଁ ଚୟନ କରାଯାଇଥାଏ। ପ୍ରତିବର୍ଷ ସାକ୍ଷୀଗୋପାଳ ଅଞ୍ଚଳରୁ ମନ୍ଦିର ପ୍ରଶାସନ ବଉଳ ଗଛ ସଂଗ୍ରହ କରିଥାଏ। ହେଲେ ଏଥର ବାତ୍ୟା ‘ଫନି’ ମାଡ଼ରେ ବହୁ ବଉଳ ଗଛ ଧରାଶାୟୀ ହୋଇଯାଇଛି। ଅବଶ୍ୟ ଆଗ ଭଳି ଆଉ ବଉଳ ଗଛ ବିଶେଷ ଦେଖିବାକୁ ମିଳୁନାହିଁ। ଖାସ୍ କରି ବଉଳ ଗଛର ସନ୍ଧାନ ପାଇଁ ଗତ କିଛି ବର୍ଷ ହେଲା ମନ୍ଦିର ପ୍ରଶାସନ ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରି ଲୋକଙ୍କ ବାଡ଼ିରେ ପହଞ୍ଚୁଛି। ବଉଳ ଭଳି ତାଳ ଓ ଫାଶୀକାଠର ମଧ୍ୟ ଘୋର ଅଭାବ ଦେଖାଦେଲାଣି। ଏଥି ପାଇଁ ମନ୍ଦିର ପ୍ରଶାସନକୁ ବଦାନ୍ୟ ବ୍ୟକ୍ତିଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ନୟାଗଡ ଜିଲ୍ଲାରେ ଜଗନ୍ନାଥ ପ୍ରେମୀ ପ୍ରତିବର୍ଷ ନିଜ ବାଡ଼ିରୁ ଫାଶୀକାଠ ଦାନ କରୁଛନ୍ତି। ଅନୁରୂପ ଭାବେ ରଥ ପାଇଁ ଆବଶ୍ୟକ ପଡ଼ୁଥିବା କିଛି କାଠ ମଧ୍ୟ ଦୁର୍ଲଭ ହେବାରେ ଲାଗିଛି। ଯଦିଓ ଏହି ସମସ୍ୟାରୁ ମୁକୁଳିବା ଲାଗି ମନ୍ଦିର ପ୍ରଶାସନ କିଛି ପଦକ୍ଷେପ ନେଇଛି, ତାହା କିନ୍ତୁ ପର୍ଯ୍ୟାପ୍ତ ନୁହେଁ। ଆଜିକୁ ୯ ବର୍ଷ ତଳେ ସାକ୍ଷୀଗୋପାଳ ଅଞ୍ଚଳରେ କିଛି ବଉଳ ଚାରା ରୋପଣ କରାଯାଇଛି। ବାହୁଟକଣ୍ଟ ପାଇଁ ଏହି ଗଛ ଯୋଗ୍ୟ ହେବାକୁ ଅତି କମ୍ରେ ୪୦ ବର୍ଷ ଲାଗିବ। ଏଥି ପାଇଁ ଢେର୍ ଦିନ ଅପେକ୍ଷା କରିବାକୁ ପଡିବ ବୋଲି ଶ୍ରୀ ମେକାପ କହିଛନ୍ତି। ସେହିଭଳି ପ୍ରତିବର୍ଷ ଚାରମାଳ ନିମନ୍ତେ ଆବଶ୍ୟକ ତାଳକାଠର ମଧ୍ୟ ସଙ୍କଟ ଦେଖାଦେଇଛି। ସୂଚନାଯୋଗ୍ୟ, ରଥ ଉପରକୁ ଚଢିବା ପାଇଁ ଚାରମାଳର ଆବଶ୍ୟକ ପଡିଥାଏ।