କଟକ: ଓଡ଼ିଶା କ୍ରୀଡ଼ାର ପ୍ରାଣକେନ୍ଦ୍ର ବାରବାଟୀରେ ଏବେ ବଦଳୁଛି ହାୱା। କ୍ରୀଡା ରାଜନୀତିରେ ଏବେ ପଟ୍ଟ ପରିବର୍ତ୍ତନର ଆଭାସ ଚର୍ଚ୍ଚାକୁ ସରଗରମ କରିଛି। ଦୀର୍ଘ ୨୪ ବର୍ଷ ପରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପିର ସରକାର କ୍ରୀଡ଼ା ସଙ୍ଗଠନରେ କର୍ମକର୍ତ୍ତା ପରିବର୍ତ୍ତନର କ୍ଷେତ୍ର ପ୍ରସ୍ତୁତ କରିଛି। ରାଜ୍ୟ ଫୁଟ୍‌ବଲ ସଂଘରୁ ଏହି ପରିବର୍ତ୍ତନ ହୁଏତ ଆରମ୍ଭ ହେବାକୁ ଯାଉଛି। ଫାଓର ସଭାପତି ପଦରୁ ରାଜ୍ୟସଭା ସଦସ୍ୟ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇ ଦେଇଥିବା ବେଳେ ସେହି ପଦ ଏବେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ହାତକୁ ଯାଉଥିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

Advertisment

ଏହି ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ରେ ବି ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି। ୨୦୨୫ରେ ଓସିଏ କର୍ମକର୍ତ୍ତା ନିର୍ବାଚନ ହେବ। ଏବେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଣ ଦାସ (ବବି) ଓସିଏର ସଭାପତି ଥିବା ବେଳେ ତାଙ୍କ ସ୍ଥାନ ନେବା ପାଇଁ ବିଜେପି ନେତା, ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ପୂର୍ବତନ ରଣଜୀ ଖେଳାଳି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବେବି)ଙ୍କୁ ଆଣିବା ଉଦ୍ୟମ ଆରମ୍ଭ ‌ହୋଇଛି। କିନ୍ତୁ ନିର୍ବାଚନ ସମୟରେ ସଂପୂର୍ଣ୍ଣ ଭାବେ ବିଜେଡି ସହ ଛିଡ଼ା ହୋଇଥିବା ବାରବାଟୀର ସର୍ବେସର୍ବା ଏବେ ନିର୍ବାଚନ ଫଳାଫଳ ପରେ ଆଉ ବିଳମ୍ବ ନ କରି ବିଜେପି ମୁହାଁ ହେବା ଘଟଣା କ୍ରୀଡା ରାଜନୀତିକୁ ସରଗରମ କରିଛି। ବାରବାଟୀ ‌ଷ୍ଟାଡିୟମ‌ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ବି ସମ୍ବର୍ଦ୍ଧନା ଦେବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଓସିଏ ସଂପାଦକ ସଂଜୟ ବେହେରା ଓ ଓଡ଼ିଶା ଅଲମ୍ପିକ୍‌ ସଂଘ ସଂପାଦକ ଅଭିଜିତ୍‌ ପାଲ ରାଜ୍ୟ କ୍ରୀଡାମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଫେରିବା ପରେ ବାରବାଟୀରେ ବିଜେପି ପ୍ରବେଶକୁ ନେଇ ଜୋରଦାର ଉଦ୍ୟମ ଆରମ୍ଭ ‌ହୋଇଛି।

ବାରବାଟୀ କବ୍‌ଜା ପାଇଁ ୨୦୦୮-୦୯ରେ ଓଡ଼ିଶା କ୍ରିକେଟ୍‌ ରାଜନୀତିରେ ସବୁଠୁ ବଡ଼ ଲଢେଇ ଦେଖିବାକୁ ମିଳିଥିଲା। ‌ସେତେବେଳର ସଂପାଦକ ଆଶୀର୍ବାଦ ବେହେରାଙ୍କ ବିରୋଧରେ ଏକ ବଡଗୋଷ୍ଠୀ ସାମ୍ନାକୁ ଆସିଥିଲେ। ବିପକ୍ଷ ଗୋଷ୍ଠୀଙ୍କୁ ସମର୍ଥନ ଦେବା ପାଇଁ ସେତେବେଳେ ରାଜ୍ୟ ରାଜନୀତିର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିତ୍ବ ପ୍ୟାରୀମୋହନ ମହାପାତ୍ର ଆଗକୁ ଆସିଥିଲେ। ୟୁନିଅନ୍ ସ୍ପୋର୍ଟିଂରୁ ତାଙ୍କ ନାମ ମଧ୍ୟ ଯାଇଥିଲା। ପ୍ୟାରୀମୋହନ ମହାପାତ୍ରଙ୍କୁ ସଭାପତି ଭାବେ ଲଢିବାକୁ ପାଇଁ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ରହସ୍ୟଜନକ ଭାବେ ପ୍ୟାରୀ ବାବୁ ଓହରିଯାଇଥିଲା। ଆଉ ପରେ ପରେ ଆଶୀର୍ବାଦଙ୍କ ଗୋଷ୍ଠୀକୁ ସମର୍ଥନ ଦେଇଥିଲେ। ଫଳରେ ବିପକ୍ଷ ଗୋଷ୍ଠୀ ପରାଜିତ ହୋଇଥିଲା। ଆଶୀର୍ବାଦ ସଂପାଦକ, ରଂଜୀବ ବିଶ୍ବାଳ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ପ୍ୟାରୀଙ୍କ ସମର୍ଥନରେ ବାରବାଟୀ ରାଜନୀତିକୁ ନେଇ ଆଉ କେହି ମୁହଁ ଖୋଲି ନଥିଲେ।

୨୦୨୨ରେ ବିଜେଡିର ପ୍ରଭାବଶାଳୀ ନେତା ତଥା ସାଂଗଠନିକ ସଂପାଦକ ବବି ଦାସଙ୍କୁ ଓସିଏର ସଭାପତି ଭାବେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ କରାଯାଇଥିଲା। ରାଜ୍ୟ ଶାସନରେ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ବାରବାଟୀ କବ୍‌ଜା କରି ରଖିବାର ରଣନୀତି ଦୀର୍ଘ ଦିନରୁ ଚାଲି ଆସିଥିବା ବେଳେ ସେହି ଧାରାରେ ଏବେ ପଟ୍ଟ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ଯଦିଓ ଦୀର୍ଘ ୨୩ ବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାର ପ୍ରତିନିଧିତ୍ବ ଶୂନ୍ୟ ରହିଛି। ଦେବାଶିଷ ମହାନ୍ତି ଓଡ଼ିଶାରୁ ଶେଷ ଓଡ଼ିଆ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ବର୍ତ୍ତମାନର ଓଡ଼ିଶା କ୍ରିକେଟ ଯେଉଁଭଳି ସ୍ଥିତି ସେଥିରେ ଓଡ଼ିଶାର ପ୍ରତିଭା କେବେ ଜାତୀୟ ଦଳରେ ସୁଯୋଗ ପାଇବେ ତାହା ମଧ୍ୟ ସନ୍ଦେହରେ। ଇଣ୍ଡିଆନ ପ୍ରିମିୟର ଲିଗ୍‌( ଆଇପିଏଲ)ରେ ମଧ୍ୟ ଓଡ଼ିଶାର ପ୍ରତିଭାଙ୍କ ଉପସ୍ଥିତି ଦେଖିବାକୁ ମିଳୁନାହିଁ। ରଣଜୀ ଟ୍ରଫିରେ ବି ଓଡ଼ିଶାର ପ୍ରଦର୍ଶନ ନିରାଶାଜନକ। ଏଭଳି ସ୍ଥିତିରେ ବାରବାଟୀ ଓ ଓସିଏ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି କ୍ରୀଡ଼ାର ବିକାଶ ପାଇଁ କେବେ କାମ କରିବ, ତାହା ଏବେ ଚିନ୍ତାର କାରଣ ହୋଇଛି।