ନବଙ୍କ ଦ୍ବା‌ଦଶାହକୁ ନେଇ ବୟାନବାଜି

ଭୁବନେଶ୍ବର : ଝାରସୁଗୁଡ଼ାରେ ସ୍ବର୍ଗତ ନବକିଶୋର ଦାସଙ୍କ ଗୁରୁବାର ହୋଇଥିବା ଦ୍ବାଦଶାହ ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛି। ଶ୍ରଦ୍ଧାଞ୍ଜଳି ସଭାକୁ ରାଜନୈତିକ ଉଦ୍ଦେଶ୍ୟରେ ଆୟୋଜନ କରାଯାଇଛି ବୋଲି ସମାଲୋଚନା କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ଏହା ଶ୍ରଦ୍ଧାଞ୍ଜଳି ସଭା ନା ଡ୍ରାମା ସେ ଜାଣିପାରୁନାହାନ୍ତି। କୌଣସି ବ୍ୟକ୍ତିଙ୍କ ଦ୍ୱାଦଶାହକୁ ରାଜନୈତିକ ଉଦ୍ଦେଶ୍ୟରେ ଆୟୋଜନ କରାଯିବା ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ବିଜେଡି ଜଣେ ରାଜନେତାଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁଛି। ଏଭଳି ମାନସିକତା ରଖି ସେମାନେ କେମିତି ଓଡ଼ିଶାବାସୀଙ୍କ ଭଲ ଚିନ୍ତା କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କୁ ଶ୍ରଦ୍ଧାଞ୍ଜଳି ସଭାକୁ ନିମନ୍ତ୍ରଣ କରାଯାଇଥିଲା କି ବୋଲି ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ, ଏହି ରାଜନୈତିକ କାର୍ଯ୍ୟକ୍ରମକୁ ତାଙ୍କୁ କାହିଁକି ନିମନ୍ତ୍ରଣ କରାଯିବ? ଏହା ସମ୍ପୂର୍ଣ୍ଣ ଭାବେ ବିଜେଡି କାର୍ଯ୍ୟକ୍ରମ।

ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟର ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ ନବ ଦାସଙ୍କ ହତ୍ୟାକାଣ୍ଡ ପରି ଏକ ସ୍ପର୍ଶକାତର ମାମଲାରେ ବରିଷ୍ଠ ବିଜେପି ନେତା ଶ୍ରୀ ମିଶ୍ର ବାରମ୍ବାର ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ସେ ମାନସିକ ଭାରସାମ୍ୟ ହରାଇଛନ୍ତି। ସ୍ବର୍ଗତ ଦାସଙ୍କ ଦ୍ବାଦଶାହ ଶ୍ରଦ୍ଧାଞ୍ଜଳି ସଭା ଝାରସୁଗୁଡ଼ାରେ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ। କିନ୍ତୁ ଶ୍ରୀ ମିଶ୍ର ଏହି ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ଅରୁଚିକର ଓ ଆଶୀଳନ ଭାଷା ପ୍ରୟୋଗ କରିଛନ୍ତି। ତାଙ୍କ ପରି ଜଣେ ଅଭ୍ୟାସଗତ ଅପରାଧୀଙ୍କ ଠାରୁ ଆଉ ଅଧିକ କ’ଣ ଆଶା କରାଯାଇପାରେ?

ସମ୍ବନ୍ଧିତ ଖବର