ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ ବିବିଏ, ବିସିଏ ଛାତ୍ରଛାତ୍ରୀ

ବରଗଡ଼ : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା  ବିବିଏ ଓ ବିସିଏ ଛାତ୍ରଛାତ୍ରୀ ସ୍ନାତୋକୋତ୍ତର ପଢ଼ିବାରେ ବଂଚିତ ହେବା ଆଶଂକା ସୃଷ୍ଟି ହୋଇଛି। ବର୍ତମାନ ପର୍ଯ୍ୟନ୍ତ ଏହି ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଶେଷ ସେମିଷ୍ଟାରର କେବଳ ଫର୍ମ ପୂରଣ ହୋଇଛି। କିନ୍ତୁ ପରୀକ୍ଷା ହୋଇନାହିଁ। ଏହାଛଡ଼ା ଏପ୍ରିଲ ମାସରେ ହୋଇଥିବା ପଞ୍ଚମ ସେମିଷ୍ଟାରର ଫଳାଫଳ ମଧ୍ୟ ପ୍ରକାଶ ପାଇନାହିଁ। ଜୁଲାଇ ମାସରୁ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ଓ ଏମ୍‌ସିଏ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏବଂ ଅଗଷ୍ଟ ମାସରେ ଏଥି ସକାଶେ ନାମଲେଖା ମଧ୍ୟ ଆରମ୍ଭ ହୋଇଯିବ। ତେଣୁ ଜୁଲାଇ ମଧ୍ୟରେ ପରୀକ୍ଷା କରି ଫଳାଫଳ ପ୍ରକାଶ ନ କଲେ ଛାତ୍ରଛାତ୍ରୀ ଗୋଟିଏ ବର୍ଷ ହରାଇବା ନିଶ୍ଚିତ। ଯେଉଁ ଛାତ୍ରଛାତ୍ରୀ ଶେଷ ବର୍ଷର ପ୍ରମାଣପତ୍ର ଦେଇ କ୍ୟାମ୍ପସ୍‌ ସିଲେକ୍ସନ୍‌ ପାଇଁ ଇଣ୍ଟରଭ୍ୟୁ ମାଧ୍ୟମରେ ଚାକିରି ପାଇଛନ୍ତି, ସେମାନେ ମଧ୍ୟ ସେଠାରେ ଯୋଗ ଦେଇ ପାରିବେ ନାହିଁ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମ  ପାଇଁ ଏହି ମାସ ପରୀକ୍ଷା କରିବ ବୋଲି ନିଷ୍ପତ୍ତି ନେଇଛି। ତେବେ ବୃତ୍ତିଗତ ପାଠ୍ୟକ୍ରମ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବିଷୟରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କିଛି ନିଷ୍ପତ୍ତି ନେଇ ନାହାନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବହୁ କଲେଜରେ ବିସିଏ ଓ ବିବିଏ ପାଠ୍ୟକ୍ରମ ଚାଲିଛି। ଏହି କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷ ବର୍ଷର ପରୀକ୍ଷା ଖୁବ ଶୀଘ୍ର ସଂପୂର୍ଣ୍ଣ ନ କଲେ ସେମାନଙ୍କର ଭବିଷ୍ୟତ ଅନ୍ଧକାର ଘେରକୁ ଚାଲିଯିବ। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏହି ବୃତ୍ତିଗତ ପାଠ୍ୟକ୍ରମ ଗୁଡ଼ିକ ପାଇଁ ଆରମ୍ଭରୁ ଉଦାସୀନ ରହୁଥିବା ପରିଲକ୍ଷିତ ହେଉଛି ।

ଗତ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ବର୍ତମାନ ପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟାର ପରୀକ୍ଷା ମଧ୍ୟ ହୋଇନାହିଁ। ପ୍ର୍‌ଥମ ବର୍ଷରୁ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଶେଷ ବର୍ଷ ଏହାକୁ ଆଉ ନିୟମିତ କରିବାକୁ କର୍ତୃପକ୍ଷ ସକ୍ଷମ ହେଉନାହାନ୍ତି। ଏହାଛଡ଼‌ା ଖୁବ କମ୍ କଲେଜରେ ଏହି ପାଠ୍ୟକ୍ରମ ଥିବାରୁ  ଛାତ୍ରଛାତ୍ରୀ ସଂଗଠିତ ହୋଇ ଦାବି ମଧ୍ୟ ଉପସ୍ଥାପନ କରିପାରୁନାହାନ୍ତି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଶୀଘ୍ର ପରୀକ୍ଷା ସହ ଫଳାଫଳ ପ୍ରକାଶ ନ କଲେ ସେମାନେ ଗୋଟିଏ ବର୍ଷ ପଛେଇ ଯିବା ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର