ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭ଜଣ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୪୩ ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୨ଜଣ ଚିହ୍ନଟ ହୋଇଥିବା ବେଳେ ୩୧ଜଣ ସ୍ଥାନୀୟ ସଂକ୍ରମଣ ଶିକାର ହୋଇଛନ୍ତି।

Advertisment

ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ୧୨ଜଣଙ୍କ ମଧ୍ୟରେ ବରମୁଣ୍ଡା, କଳିଙ୍ଗନଗର ଓ ସୌଭାଗ୍ୟ ନଗରରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଡ଼ଗଡ଼, ଆଇଆରସି ଭିଲେଜ, ଝାରପଡ଼ା, ପୋଖରୀପୁଟ, ଶୈଳଶ୍ରୀ ବିହାର ଓ ୟୁନିଟ-୬ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ସ୍ଥାନୀୟ ସଂକ୍ରମଣ ଶିକାର ହୋାଇଥିବା ୩୧ଜଣଙ୍କ ମଧ୍ୟରେ ସୌଭାଗ୍ୟ ନଗରରୁ ସର୍ବାଧିକ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନା ମୁତାବକ, ଆଜି ରାଜ୍ୟରେ ପୁଣି ୬୩୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୬୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୯୬୧ ଛୁଇଁଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୪ ହଜାର ୯୦୮ ଜଣ। ଏବେ ବି ସକ୍ରିୟ ଅଛନ୍ତି ୭ ହଜାର ୩୬୦ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ କରୋନାରେ ପୁଣି ୧୫ ଜଣଙ୍କର ମୃତ୍ୟୁ ଘଟିଛି।