ବ୍ରହ୍ମପୁର/ପାରଳାଖେମୁଣ୍ଡି: ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ (ବିସିସି ବ୍ୟାଙ୍କ୍‌)ର ପାରଳାଖେମୁଣ୍ଡି ମହିଳା ଶାଖାରେ ନକଲି ସୁନା ଅଳଙ୍କାର ବନ୍ଧକ ରଖି ଋଣ ହଡ଼ପ ଘଟଣାରେ ପରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ବ୍ୟାଙ୍କ୍‌ର ଅଧିକୃତ ସୁନାରୀ ତଥା ଋଣଗ୍ରହୀତା କେ.ଗୋପୀଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳା ଶାଖାର ପ୍ରାକ୍ତନ ବ୍ୟାଙ୍କ୍‌ ମ୍ୟାନେଜର ତଥା ବର୍ତ୍ତମାନର କାଶୀନଗର ବିସିସି ବ୍ୟାଙ୍କ୍‌ ଶାଖା ପରିଚାଳକ ଆର.ଭୁଜଙ୍ଗ ରାଓ ଫେରାର୍‌ ହୋଇ ଯାଇଥିବା ପୁଲିସ କହିଛି। ଏହି ଘଟଣା ପରେ ବିସିସି ବ୍ୟାଙ୍କ୍‌ ମୁଖ୍ୟ ଶାଖାର କାର୍ଯ୍ୟଧାରା ସନ୍ଦେହ ପରିସରକୁ ଆସିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡି ବିସିସି ବ୍ୟାଙ୍କ୍‌ ମହିଳା ଶାଖାରୁ ବ୍ୟାଙ୍କ୍‌ର ଅଧିକୃତ ସୁନାରୀ କେ.ଗ‌ୋପୀ ନିଜେ ସୁନା ବନ୍ଧକ ରଖି ଋଣ ଉଠାଇଥିଲେ। ମୂଳ ଓ ସୁଧ ମିଶି ୧୧ଲକ୍ଷ ୫୩ ହଜାର ୬୬୧ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। ମହିଳା ଶାଖାର ତତ୍‌କାଳୀନ ବ୍ୟାଙ୍କ୍‌ ମ୍ୟାନେଜର ଆର.ଭୁଜଙ୍ଗ ରାଓ ଋଣ ଭାର ବଢ଼ି ଚାଲିଥିଲେ ହେଁ ସୁନାର ନିଲାମ ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ। ସେ ଜାଣିଶୁଣି ଏଭଳି ସମୟ ଗଡ଼ାଉଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଥିଲା। ବର୍ତ୍ତମାନ ବିସିସି ବ୍ୟାଙ୍କ୍‌ ପ୍ରଶାସକ ଥିବା ଗଞ୍ଜାମ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରୁ ବନ୍ଧକ ସୁନା ନକଲି ବୋଲି ଜଣାପଡ଼ିଛି। ତେବେ ବିସିିସି ବ୍ୟାଙ୍କର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସମୁଦାୟ ୨୨ଟି ଶାଖା ରହିଛି। ଏଥିମଧ୍ୟରୁ ୭ରୁ ୮ଟି ଶାଖାରେ ସୁନା ବନ୍ଧକ ରଖି ଋଣ ଦେବାର ବ୍ୟବସ୍ଥା ରହିଛି। ବନ୍ଧକ ରହିଥିବା କୌଣସି ସୁନା ଋଣ ପରିଶୋଧ ହୋଇ ନ ଥିଲେ ମୁଖ୍ୟ ଶାଖା ପକ୍ଷରୁ ଯାଞ୍ଚ୍‌ କରାଯିବା କଥା। ଦୀର୍ଘ ଦିନ ହେଲା ପରାଳାଖେମୁଣ୍ଡି ମହିଳା ଶାଖାରେ ବନ୍ଧକ ସୁନା ପରିଶୋଧ ନ ହୋଇ ପଡ଼ିଥିବା ବେଳେ ତାହା ଯାଞ୍ଚ୍‌ କରାଗଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି। ମୁଖ୍ୟ ଶାଖାା ନିୟନ୍ତ୍ରଣରେ ବାକି ଶାଖା ଗୁଡ଼ିକ ନ ଥିବା ଏଥିରୁ ପ୍ରମାଣିତ ହେଉଛି। ତେଣୁ ନକଲି ସୁନା ବନ୍ଧକରେ ଋଣ ଦେଣନେଣ କାରବାରର ଚେର ଆହୁରି ଗଭୀରକୁ ଲମ୍ବିଥିବା ସନ୍ଦେହ କରାଯାଉଛି। ତେଣୁ ବ୍ୟାଙ୍କ୍‌ ସୁନା ବନ୍ଧକ ରଖି ଋଣ ବ୍ୟବସ୍ଥା ଥିବା ଶାଖା ଗୁଡ଼ିକର ସମୀକ୍ଷା କରିବା ଜରୁରୀ ହୋଇପଡ଼ିଛି। ଏ ଦିଗରେ ବ୍ୟାଙ୍କ୍‌ ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

‌ ସୂଚନାଯୋଗ୍ୟ , ବ୍ୟାଙ୍କ୍‌ ଦ୍ବାରା ଅଧିକୃତ ସୁନାରୀ କେ.ଗ‌ୋପୀ ସୁନା ବନ୍ଧକ ରଖି ନିଜ ନାମରେ ୪ଟି ଋଣ ନେଇଥିଲେ। ଦୀର୍ଘ ଦିନ ହେଲା ପରିଶୋଧ ନ ହେବାରୁ ସୁଧମୂଳ ମିଶି ୧୧ଲକ୍ଷ ୫୩ ହଜାର ୬୬୧ଟଙ୍କା ପହଞ୍ଚିଥିଲା। ଏହାକୁ ନେଇ ସନ୍ଦେହ ଉପୁଜିବାରୁ ବ୍ୟାଙ୍କ ପ୍ରଶାସକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡିଆରସିସି ବିଶ୍ବରଞ୍ଜନ ଦାସ ଅଚାନକ ଚଢ଼ଉ କରି ବନ୍ଧକ ଥିବା ସୁନାର ମାନ ଯାଞ୍ଚ କରିବା ପରେ ନକଲି ସୁୁନା ବୋଲି ଜଣା ପଡ଼ିଥିଲା। ଡିଆରସିଏସ୍‌ଙ୍କ ନିର୍ଦ୍ଦେଶ କ୍ରମେ ମହିଳା ବ୍ୟାଙ୍କ ଶାଖା ମ୍ୟାନେଜର ସେତେବେଳର ମହିଳା ବ୍ୟାଙ୍କ୍‌ ଶାଖା ମ୍ୟାନେଜର୍‌ ତଥା ବର୍ତ୍ତମାନର କାଶୀନଗର ବିସିସି ବ୍ୟାଙ୍କ୍‌ ଶାଖା ପରିଚାଳକ ଆର.ଭୁଜଙ୍ଗ ରାଓ ଏବଂ ବଣିଆ ତଥା ଋଣଗ୍ରହୀତା କେ.ଗ‌ୋପୀଙ୍କ ନାମରେ ପରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ‌ଦେଇଥିଲେ। ପାରଳାଖେମୁଣ୍ଡି ଥାନା ପୁଲିସ ଗତକାଲି ମାମଲା‌ ରୁଜୁ କରିଥିଲା।