ଭୁବନେଶ୍ବର: କୌଣସି ସପିଂ ମଲ୍, ମଲ୍ଟିପ୍ଲେକ୍ସ, ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଆପାର୍ଟମେଣ୍ଟରେ ଲୋକଙ୍କୁ ପାର୍କିଂ ଫି’ ଦେବାକୁ ପଡ଼ିବନି। ଏହି ସବୁ ସ୍ଥାନରେ ମାଗଣାରେ ପାର୍କିଂ ସୁବିଧା ଉପଲବ୍ଧ ହେବ। ଯିଏ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିବ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହିଭଳି ନିର୍ଦ୍ଦେଶନାମା ବିଡିଏ ପକ୍ଷରୁ ବୁଧବାର ସଂଧ୍ୟାରେ ଜାରି ହୋଇଥିଲା। ହେଲେ ଯେଉଁମାନଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହେଲା, ସେମାନେ ଗତକାଲି କର୍ତ୍ତୃପକ୍ଷଙ୍କୁ ଖୋଲା ଚାଲେଞ୍ଜ ଦେଇ ବେଆଇନ ଭାବେ ପାର୍କିଂ ଫି’ ଆଦାୟ କରିଥିଲେ। ନିର୍ଦ୍ଦେଶନାମା ଜାରି ହେବାର ୨୪ଘଣ୍ଟା ନ ପୂରୁଣୁ ସେମାନେ ପୂର୍ବ ଭଳି ପାର୍କିଂ ଫି’ ଆଦାୟ କରିବାରେ ଲାଗି ପଡ଼ିବା ଖବର ଆଜି ‘ସମ୍ବାଦ’ ଓ ଅନ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ବିରୋଧରେ ବିଡିଏ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
The Enforcement team has seized two parking fee collection machines at Bhawani Mall in Saheed Nagar for defying the BDA order and collecting fees for off-street parking. pic.twitter.com/kX4VWr9mKw
— BDA BBSR (@BDA_BBSR) October 18, 2019
ଶୁକ୍ରବାର ପୂର୍ବାହ୍ଣରେ ବିଡିଏ ଓ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବିଭିନ୍ନ ମଲ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଥିଲା। ସହିଦ ନଗରସ୍ଥିତ ବିଏମସି ଭବାନୀ ମଲରେ ପାର୍କିଂ ଫି ଆଦାୟ କରାଯାଉଥିବା ବେଳେ ଧରିଥିଲା ବିଡିଏ ଓ ବିଏମସି ସ୍କ୍ବାଡ୍। ଏହାପରେ ଆଦାୟକାରୀଙ୍କ ଠାରୁ ପିଓଏସ୍ ମେସିନ୍ ଜବତ କରାଯାଇଥିଲା। ଏହାପରେ ରାଜଧାନୀର ଅନ୍ୟ ସ୍ଥାନରେ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି।