ମହିଳା ବିଡିଓଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଲେ ତାରା, କଥା କଟାକଟି ପରେ କ୍ଷମା ପ୍ରାର୍ଥନା କଲେ ଅଧିକାରୀ

୧୬ ଦଫା ଦାବି ନେଇ କଂଗ୍ରେସର ଚାଲିଥିଲା ଧାରଣା

ପାପଡାହାଣ୍ଡି/ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସମ୍ମୁଖରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପାପଡାହାଣ୍ଡି ବ୍ଲକ ମହିଳା ବିଡିଓ ରଂଜିତା ମଲ୍ଲିକ ମୁହାଁମୁହିଁ ହୋଇଛନ୍ତି। ବିଡିଓଙ୍କୁ ସିଧାସଳଖ ଟାର୍ଗେଟ କରି ତାରା କହିଥିଲେ ମୁଁ କହୁଛି, ତୁମେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ। ଏହି ବିଡିଓଙ୍କ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଗରିବ ଲୋକଙ୍କ ଉପରେ ଅନ୍ୟାୟ ଅତ୍ୟାଚାର କରାଯାଇଛି। ଲୋକଙ୍କୁ ନ୍ୟାୟ ମିଳୁନି। ହଜାର ହଜାର ଲୋକଙ୍କ ଠାରୁ ବିଡିଓ ଅର୍ଥ ଖାଇଛନ୍ତି। ଗରିବ ଲୋକଙ୍କ ଆବାସ ଯୋଜନାରେ ଦୁର୍ନୀତି ହୋଇ ଲୋକଙ୍କୁ ଦିଆଯାଇନାହିଁ। ଲୋକଙ୍କୁ କହିଥିଲେ, ଏ ବିଡିଓଙ୍କ ସହ କଥା ହୁଅନ୍ତୁନି। ସେ ଦରକାର ପଡିଲେ ଏଟ୍ରୋସିଟି କେସ କରିବେ। ତାଙ୍କ ଆଗପଛ ବୋଲି କିଛି ନାହିଁ। ତାଙ୍କର କେବଳ ପଇସା ଦରକାର। ଜଣେ ମହିଳା ଓ ଦଳିତ ନାମରେ ଲୋକଙ୍କୁ କେସ କରିବା ପାଇଁ ଧମକାଇ ରଖିଛନ୍ତି ।

ଏ ମଧ୍ୟରେ ବିଡିଓ ତାରାଙ୍କୁ କାଉଣ୍ଟର ଦେଇ କହି କହିଥିଲେ ତୁମେ ମୋତେ ଦଳିତ ବୋଲି କହୁଛ। ମୁଁ ନିଜକୁ ଦଳିତ ବୋଲି ଭାବୁନି। ବିଡିଓଙ୍କୁ ତାରା ପାଲଟା ଜବାବ ଦେଇ କହିଥିଲେ ତୁମେ ଆଙ୍ଗୁଠି ଉଠାଇ କଥା ହେଉଛ। ତୁମେ ସଂସ୍କାର ଶିଖିନ ବୋଲି କହିବାରୁ ବିଡିଓ ବି ତାରାକୁ କହିଥିଲେ ତୁମେ ସଂସ୍କାର ଶିଖିନ। ତୁମ ବାପା-ମା’ ତୁମକୁ ଭଲ ବ୍ୟବହାର ଦେବାର ଶିଖାଇନାହାନ୍ତି ବୋଲି ତାରା କହିଥିଲେ। ତାରା କହିଥିଲେ, ବିଡିଓ ଏ ଅଞ୍ଚଳରେ ବହୁତ ଶୋଷଣ କରିଛନ୍ତି। ବିଡିଓ ରଂଜିତା ମଲ୍ଲିକ ଜୟପୁରରେ ତହସିଲଦାର ଥିବା ବେଳେ ବି ବହୁ ଦୁର୍ନୀତି କରିଛନ୍ତି ବୋଲି କହିଥିଲେ।

ସୂଚନା ଥାଉକି ଗତକାଲି ଠାରୁ ୧୬ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା। ଆଜି ଧାରଣାସ୍ଥଳକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇଥିଲେ। ପ୍ରାୟ ପୂର୍ବାହ୍ନ ୧ ଘଣ୍ଟା ବେଳକୁ ବିଡିଓ ରଂଜିତା ମଲ୍ଲିକ ଖାଇବା ପାଇଁ ଅଫିସରୁ ବାହାରିବା ସମୟରେ ବିଧାୟକ କହିଥିଲେ, ଆମେ ଧାରଣାରେ ବସିଥିବା ସମୟରେ ଦାବିର ସମାଧାନ ନକରି କିପରି ଚାଲି ଯାଉଛନ୍ତି। ଏପରି ସମୟରେ ବିଧାୟକ ଓ ବିଡିଓଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କିଛି ସମୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ ହସ୍ତକ୍ଷେପ କରି ବିଡିଓଙ୍କୁ ତାଙ୍କ ଚାମ୍ବରକୁ ନେଇଯାଇଥିଲା। ଏହି ସମୟରେ ବିଧାୟକ ଶ୍ରୀ ବାହିନୀପତି ଓ କଂଗ୍ରେସ କର୍ମୀମାନେ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିରେ ଧାରଣାରେ ବସିରହିଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ଧାରଣାରେ ବସିରହିବା ପରେ ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଧାରଣାସ୍ଥଳରେ ପହଞ୍ଚିଥିଲେ। ଅତିରିକ୍ତ ଜିଲ୍ଲାପାଳ ବିଡିଓଙ୍କୁ ବୁଝାଶୁଝା କରିବା ପରେ ବିଡିଓ ଧାରଣାସ୍ଥଳକୁ ଆସି କ୍ଷମା ପ୍ରାର୍ଥନା କରିଥିଲେ। ଶେଷରେ ୧୬ ଦଫା ଦାବି ନେଇ ବିଧାୟକ ଶ୍ରୀ ବାହିନୀପତି ମୁଖ୍ୟ ଶାସନ ସଚିବ, ପଞ୍ଚାୟତରାଜ ସଚିବ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏକ ମାସ ମଧ୍ୟରେ ଦାବିଗୁଡିକ ପୂରଣ ନେଇ ଉଦ୍ୟମ କରାଯିବ ବୋଲି ପ୍ରତିଶୁତି ମିଳିବା ପରେ କଂଗ୍ରେସ ପକ୍ଷରୁ ଧାରଣା ଭଙ୍ଗ କରାଯାଇଥିଲା।

ସମ୍ବନ୍ଧିତ ଖବର