ଜଳେଶ୍ବର: ଓଏଏସ୍‌ ଚାକିରି କାଳ ଭିତରେ କୁବେର ପାଲଟି ଯାଇଥିଲେ। ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ଦେଖିବା ପରେ ଭିଜିଲାନ୍‌ସର ବି ହୋସ୍‌ ଉଡ଼ିଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଆଜି ଭିଜିଲାନ୍‌ସ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଛି।

Advertisment

ଶନିବାର ଭୋର୍‌ ସମୟରେ ବିଡିଓ ଶ୍ରୀ ଦାସଙ୍କ ଜଳେଶ୍ବରସ୍ଥିତ ସରକାରୀ ବାସଭବନ ସମେତ କଟକ, କେନ୍ଦ୍ରାପଡ଼ା ଆଦି ୬ଟି ସ୍ଥାନରେ ଭିଜିଲାନ୍‌ସର ୫ଟି ଟିମ୍ ଚଢ଼ଉ କରିଥିଲା। କଟକସ୍ଥିତ ଭିଜିଲାନ୍‌ସ ସ୍ବତନ୍ତ୍ର କୋର୍ଟର ଓ୍ବାରେଣ୍ଟ ବଳରେ ୫ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍‌ସର ଏକାଧିକ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ। କଟକ ବୟାଳିଶମୌଜାସ୍ଥିତ ଶ୍ରୀକ୍ରିଷ୍ଣାବିହାର ଝିଙ୍କିରିଆସ୍ଥିତ ୨ ମହଲା ବାସଭବନ, କାଳପଡ଼ାସ୍ଥିତ ୩ ମହଲା କୋଠା, ବିଡିଓଙ୍କ ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ କଟକ ଖପୁରିଆସ୍ଥିତ ସରକାରୀ ପ୍ରେସ୍‌ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ାସ୍ଥିତ ସମ୍ପର୍କୀୟଙ୍କ ଘର, ଜଳେଶ୍ବର ବ୍ଲକରେ ବିଡିଓଙ୍କ ଅଫିସ ଓ ସରକାରୀ ବାସଭବନରେ ଅତର୍କିତ ଚଢ଼ଉ କରିଥିଲା ଭିଜିଲାନ୍‌ସ ଟିମ୍‌।

ଝିଙ୍କରିଆସ୍ଥିତ ୨ ମହଲା କୋଠାର ମୂଲ୍ୟ ୧.୧୦ କୋଟି, କାଳପଡ଼ାସ୍ଥିତ ୩ ମହଲା କୋଠାର ମୂଲ୍ୟ ୧.୨୨ କୋଟି, କଟକ ଓ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ୨୪ଟି ପ୍ଲଟ୍‌, କାଳପଡ଼ାଠାରେ ଏକ ଇଟା କାରଖାନା, ୩୩୦ ଗ୍ରାମର ସୁନାଅଳଙ୍କାର, ୧.୧ କେଜି ରୁପା ଅଳଙ୍କାର, ୪୧ ଲକ୍ଷ ଟଙ୍କା ମୂଲ୍ୟର ୪ଟି ଦାମୀ ଚାରିଚକିଆ ଗାଡ଼ି ଯଥା ସ୍କୋଡା-ରାପିଡ୍‌ ଆକ୍ଟିଭ, ଇନୋଭା, ସ୍କର୍ପିଓ, ନାନୋ ଓ ୩ଟି ଦୁଇଚକିଆ ଗାଡ଼ି ଠାବ କରାଯାଇଛି। ସେପଟେ ବିଡିଓଙ୍କ ସରକାରୀ ବାସଭବନ ସମେତ ଅନ୍ୟ ଗୋଟିଏ ସ୍ଥାନକୁ ମିଶାଇ ନଗଦ ୧ ଲକ୍ଷ ୭୦ ହଜାର ୩୦୦ ଟଙ୍କା ଜବତ ହୋଇଛି। କୋଟି କୋଟି ଟଙ୍କାର ଏସବୁ ସମ୍ପତ୍ତି ଠାବ ହେବା ପରେ ଶ୍ରୀ ଦାସଙ୍କୁ ଜଳେଶ୍ବରସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରି କଟକ ନେଇଯାଇଛି ଭିଜିଲାନ୍‌ସ।