ନୟାଗଡ଼ : କରୋନା କଟକଣାବେଳେ, ଯେଭଳି ସାଧାରଣ ଜନତା ବିଶେଷ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀଙ୍କୁ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ବିଡିଓଙ୍କ ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯାଇଛି। କିନ୍ତୁ କରୋନା ମୁକାବିଲା କରିବାକୁ ଯାଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଡିଓ ଦେବୀପ୍ରସାଦ ମହାନ୍ତି ସାକେଣୀ ଗ୍ରାମରେ ପଶି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପ୍ଲାଷ୍ଟିକ ପାଇପ୍ରେ ପିଟିବା ସହ ଗାଳିଗୁଲଜ କରିଥିବା ଦେଖାଯାଇଛି। ଏଭଳି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ଲକ୍ ଅଧୀନ ତେଣ୍ଟାବାଡ଼ି ପଞ୍ଚାୟତର ସାକେଣୀ ଗ୍ରାମ ହରିଜନବସ୍ତି ନିକଟରେ ଥିବା ସ୍କୁଲ୍କୁ ସଂଗରୋଧ କେନ୍ଦ୍ର କରାଯାଇଥିଲା। ବାହାରୁ ଫେରିଥିବା ୧୫ ଜଣ ଲୋକଙ୍କ ସମ୍ପର୍କରେ ସ୍ଥାନୀୟ ଆଶାକର୍ମୀ ବ୍ଲକ୍ରେ ଜଣାଇବା ପରେ ଉକ୍ତ କେନ୍ଦ୍ରରେ ୧୫ ଜଣ ବ୍ୟକ୍ତିଙ୍କୁ ରଖାଯାଇଥିଲା। ଏହାକୁ ସ୍ଥାନୀୟ ହରିଜନବସ୍ତିର ଲୋକ ବିରୋଧ କରିବା ସହ ଆଶାକର୍ମୀଙ୍କୁ ଗାଳିଗୁଲଜ କରିଥିଲେ। ଆମ ଘର ନିକଟରେ ସଂଗରୋଧ କେନ୍ଦ୍ର କରାଯାଇଥିବାରୁ ଆମକୁ ରୋଗ ବ୍ୟାପିବ ବୋଲି କହିଥିଲେ। ଆଶାକର୍ମୀ ଜଣକ ଏ ବାବଦରେ ବିଡିଓଙ୍କୁ ଜଣାଇବା ପରେ ବିଡିଓ ଶ୍ରୀ ମହାନ୍ତି ଓ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡ, ଦଶପଲ୍ଲା ପୁଲିସ, ବ୍ଲକ୍ ଜେଇ, ଜିଆରଏସ୍ ସଦଳବଳେ ସାକେଣୀରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ଉପରେ ବିଡିଓ ଶ୍ରୀ ମହାନ୍ତି ଘରୁ ଟାଣି ଆଣି ଲୋକଙ୍କୁ ପିଟୁଥିଲେ। ଏଥିରେ ବିଡିଓଙ୍କୁ ଦଶପଲ୍ଲା ଥାନାର କନେଷ୍ଟବଳ ବିଶ୍ବଜିତ ମହାପାତ୍ର ସହଯୋଗ କରିଥିଲେ।
ବିଡିଓ ଶ୍ରୀ ମହାନ୍ତି ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଓ ମାଡ଼ ମାରୁଥିବା ଏହି ୫ ମିନିଟ୍ ୧୯ ସେକେଣ୍ଡ୍ର ଭିଡିଓଟି ଚାରିରୁ ପାଞ୍ଚ ଦିନ ତଳର ବୋଲି ଜଣାପଡ଼ୁଛି। ଏପରିକି ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତିକୁ ବି ମାଡ଼ ମାରୁଥିବା ଏବଂ ତାଙ୍କ ବାପା ନେହୁରା ହେବାରୁ ତାଙ୍କୁ ବି ଆକ୍ରମଣ କରିଥିବା ଦେଖାଯାଇଛି। ଏବାଦରେ ବିଡିଓ ଶ୍ରୀ ମହାନ୍ତିଙ୍କୁ ପଚାରିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବାହାରକୁ ଚାଲିଯିବାରୁ ଆମେ ଏଭଳି କରିବାକୁ ବାଧ୍ୟ ହେଲୁ ବୋଲି ସଫେଇ ଦେଇଛନ୍ତି। ଘଟଣାଟି ୪/୫ ଦିନ ତଳର। ସେଦିନ ଗ୍ରାମବାସୀ ଆଶାକର୍ମୀଙ୍କୁ ଆକ୍ରମଣ କରିବାରୁ ଆମେ ସଦଳବଳେ ଉକ୍ତ ଗ୍ରାମକୁ ଯାଇଥିଲୁ। ଗ୍ରାମବାସୀ ଯଦି ଆଶାକର୍ମୀଙ୍କୁ ଆକ୍ରମଣ କଲେ କାହିଁକି ଏତଲା ଦେଲେନି ବୋଲି ପଚାରିବାରୁ, ବିଡିଓ ଶ୍ରୀ ମହାନ୍ତି ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/nayagarh-f-1.jpg)