ବିଡିଓଙ୍କୁ ଉଠାଇନେଲେ, ସାଢ଼େ ୩ ଘଣ୍ଟା ପରେ ଉଦ୍ଧାର : ବ୍ଲକ ଉପାଧ୍ୟକ୍ଷ ମାଷ୍ଟରମାଇଣ୍ଡ, କଂ‌ଗ୍ରେସରୁ ବିଦା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇଁତଲା ବିଡିଓ ସରୋଜ ମିଶ୍ରଙ୍କୁ ଦୁର୍ବୃତ୍ତମାନେ ଅଫିସରୁ ଉଠାଇନେଇଥିଲେ। ସାଢ଼େ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିବା ପରେ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି। ଠିକା କାମକୁ ନେଇ ଅପହରଣ କରାଯାଇଥିବାବେଳେ ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୪ଟା ସମୟରେ ବିଡିଓ ଶ୍ରୀ ମିଶ୍ର ତାଙ୍କ ଚ୍ୟାମ୍ବରରେ ବସିଥିଲେ। ଏ ସମୟରେ ଏକ ଧଳା ସ୍କର୍ପିଓରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗୁରାଣ୍ଡିଙ୍କ ସହ ୮ରୁ ୧୦ ଜଣ ଯୁବକ ଭିତରେ ପଶିଥିଲେ। କିଛି ସମୟ ପରେ ବିଡିଓଙ୍କୁ ଧକ୍କା ମାରି ମାରି ବାହାରକୁ ଆଣିବା ସହିତ ସ୍କର୍ପିଓରେ ବସାଇଥିଲେ। ବିଡିଓଙ୍କୁ ଅପହରଣ କରାଯାଉଥିବା ସମୟରେ ଉପସ୍ଥିତ ଥିବା ୩ ଜଣ ଯୁବକ ସଙ୍ଗେସଙ୍ଗେ ପୁଲିସ୍‌କୁ ଖବର କରିଥିଲେ। ପୁଲିସ ଖବର ପାଇ ତୁରନ୍ତ ପହଞ୍ଚିଥିଲା। ହେଲେ ଦୁର୍ବୃତ୍ତମାନେ ସୋନପୁର ରାସ୍ତାରେ ଫେରାର ହୋଇଯାଇଥିଲେ।

ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ଟ୍ରାକିଂ କରାଯାଇ ଦୁର୍ବୃତ୍ତମାନଙ୍କ ପୁଲିସ୍‌ ପିଛା କରିଥିଲା। ସିସିଟିଭି ଏକ୍ସପର୍ଟଙ୍କୁ ଅଣାଯାଇ ଭିଜୁଆଲ ଯାଞ୍ଚ କରାଯାଇଥିଲା। ଏହାସହ କାର୍ଯ୍ୟାଳୟର ବରିଷ୍ଠ କିରାଣି ଓ ଅନ୍ୟମାନଙ୍କୁ ପୁଲିସ ପଚରାଉଚୁରା କରିଥିଲା। ପ୍ରଥମରୁ ହିଁ ଅପହରଣ ପଛରେ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଶେଷରେ ତାହା ସ୍ପଷ୍ଟ ହୋଇଥିଲା।

ବିଡିଓ ଘଟଣାର ସାଢ଼େ ୩ ଘଣ୍ଟା ପରେ ବଲାଙ୍ଗୀର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଆଲୋଚନା ପରେ ରାତି ୮ଟା ୩୦ରେ ଏସପି ବିଡିଓଙ୍କୁ ଅପହରଣ କରାଯାଇଥିଲା ବୋଲି ସ୍ପଷ୍ଟୀକରଣ ଦେବା ସହ ଘଟଣାରେ ବ୍ଲକ୍‌ ଉପାଧ୍ୟକ୍ଷ ହିଁ ମାଷ୍ଟରମାଇଣ୍ଡ ବୋଲି କହିଥିଲେ। ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ରାତି ସୁଦ୍ଧା ସମସ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।
ଅନ୍ୟପକ୍ଷରେ, ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡିଙ୍କୁ ନିଲମ୍ବନ କରିଛି ବଲାଙ୍ଗୀର ଜିଲ୍ଲା କଂଗ୍ରେସ। ଶ୍ରୀ ଗୁରାଣ୍ଡି କଂଗ୍ରେସ ଦଳର ଜଣେ ସକ୍ରିୟ ନେତା ଭାବେ ପୁଇଁନ୍ତଲା ବ୍ଲକ ଅଂଚଳରେ ଜଣାଶୁଣା। ଅପହରଣ ମାମଲାରେ ସଂପୃକ୍ତି ଥିବା ନେଇ ବଲାଙ୍ଗୀର ଏସପି ସୂଚନା ଦେବା ପରେ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା କଂଗ୍ରେସ ଦଳରୁ ସନ୍ତୋଷଙ୍କୁ ନିଲମ୍ବନ କରିଥିବା ନେଇ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର