ନିଆରା ପ୍ରୟାସ: ୩୦୦ ପ୍ରଜାତିର ଫୁଲ ଗଛରେ ସଜେଇ ହୋଇଛି ବ୍ଲକ କାର୍ଯ୍ୟାଳୟ ପରିସର

ଭୁବନେଶ୍ବର: ଯୁଆଡେ ଦେଖିବେ ଫୁଳର ପସରା । ରଙ୍ଗବେରଙ୍ଗର ଫୁଲ ମନମୋହୁଛି । ଆମେ କହୁଛୁ ଯାଜପୁର ଜିଲ୍ଳା ରସୁଲପୁର ବ୍ଲକର କଥା । ବିଡିଓ ଉମାକାନ୍ତ ପରିଡାଙ୍କ ନିଆରା ପ୍ରୟାସରେ ଫୁଲରେ ସଜେଇ ହୋଇଛି ବ୍ଲକ ପରିସର ।

ନାମୀ ଦାମୀ ଫୁଲଙ୍କ ହସରେ ମହକୁଛି ବ୍ଲକ ପରିସର । ପାଖାପାଖି ତିନିଶହ ପ୍ରଜାତିର ଫୁଲ ଗଛ ବଢାଉଛି ରସୁଲପୁର ବ୍ଲକର ଶୋଭା । ଏହି ସୁନ୍ଦର ପରିସର ପଛରେ ଅଛି କାର୍ଯ୍ୟରତ ବିଡିଓ ଉମାକାନ୍ତ ପରିଡାଙ୍କ ଫୁଲ ପ୍ରେମ । ସରକାରୀ କାମରୁ ଫୁରସତ ମିଳିଲେ ସେ ଲାଗିପଡନ୍ତି ଗଛ ଲଗା କାମରେ । ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ନିଜର କର୍ମ କ୍ଷେତ୍ରକୁ ଏମିତି ରୂପ ଦେଇଛନ୍ତି ବ୍ଲକ ଉନ୍ନୟନ ଅଧିକାରୀ ।

ବିଡିଓଙ୍କ ନିଆରା ପ୍ରୟାସ ଯୋଗୁଁ ବ୍ଲକ ପରିସର ଏବେ ଅନେକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବିଭିନ୍ନ କାମରେ ବ୍ଲକକୁ ଆସୁଥିବା ଲୋକେ ଫୁଲର ପସରା ଦେଖି ଘଡିଏ ଅଟକି ଯାଉଛନ୍ତି । ପ୍ରାୟ ୨ହଜାର ୫ଶହ କୁଣ୍ଡରେ ଶୋଭା ପାଉଛି ବିଭିନ୍ନ ରକମର ଫୁଲ । ବିଡିଓଙ୍କ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି ସ୍ଥାନୀୟ ଲୋକେ । ବିଡିଓ ଉମାକାନ୍ତ ପରିଡାଙ୍କ ଏହି ନିଆରା ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ।

ସମ୍ବନ୍ଧିତ ଖବର