ଭଦ୍ରକ/ବନ୍ତ : ବିଡିଓଙ୍କ ସହ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ମଧ୍ୟରେ ଚାଲିଥିଲା କଥା କଟାକଟି। କେହି ଜଣେ ପଛରୁ ଉସ୍କାଉଥିଲେ। କହୁଥିଲେ, ବଜା ବଜା ଭଲ କରି ତା କର୍ଣ୍ଣମୂଳିକୁ ବଜା। ତୁ.. ତା.. ବେ..ବା.. ଭିତରେ ହଠାତ୍ ସ୍କୁଲ ସଭାପତିଙ୍କ ଗାଲରେ ଠାଏ କରି ଶକ୍ତ ଚଟକଣାଟିଏ କଷିଦେଲେ ବିଡିଓ। ସ୍କୁଲ ସଭାପତି ବି ନଛୋଡ଼ବନ୍ଧା, ପାଲଟା ପ୍ରତିକ୍ରିୟାରେ ବିଡିଓଙ୍କୁ ଥାପଡ଼ରେ ଦେଲେ ଜବାବ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ନୋଡାଲ୍ ହାଇସ୍କୁଲରେ ଆଜି ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ , ୫-ଟି ଯୋଜନାରେ ଶିଆଳିଆ ନୋଡାଲ୍ ହାଇସ୍କୁଲକୁ ସାମିଲ୍ କରାଯିବା ପରେ ଆଜି ଶିଳାନ୍ୟାସ ପାଇଁ ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ବିଡିଓ ପ୍ରଦୀପ କୁମାର ସେଠୀ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, କନିଷ୍ଠଯନ୍ତ୍ରୀ ପ୍ରଜ୍ଞାପାରମିତା ମହାନ୍ତି ପ୍ରମୁଖ ବିଦ୍ୟାଳୟରେ ପହଞ୍ଚିଥିଲେ। ତେବେ, ଶିଳାନ୍ୟାସକୁ ସ୍କୁଲ୍ ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ବାରିକ, ଏସ୍ଏମ୍ସି ସଭ୍ୟଙ୍କ ସମେତ ଗ୍ରାମବାସୀ ବିରୋଧ କରିଥିଲେ। କହିଥିଲେ, ବିଦ୍ୟାଳୟରୁ ବଦଳି ହୋଇଥିବା ପ୍ରଧାନଶିକ୍ଷକ ବେଣୁଧର ନାୟକଙ୍କୁ ଫେରାଇ ନ ଆଣିବା ଯାଏ ରୂପାନ୍ତରଣ କାର୍ଯ୍ୟ ବନ୍ଦ ରଖାଯାଉ ବୋଲି ଦାବି କରିଥିଲେ।
ଅପରପକ୍ଷେ, ଶିକ୍ଷକ ବଦଳିରେ ତାଙ୍କର କିଛି ଭୂମିକା ନାହିଁ ଏବଂ ଶିଳାନ୍ୟାସ ହେବ ବୋଲି ବିଡିଓ କହିଥିଲେ। ଫଳରେ, ବ୍ଲକ୍ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ମଧ୍ୟରେ ପାଟିତୁଣ୍ତ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ବିଡିଓ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। କେହି କିଛି ବୁଝିବା ପୂର୍ବରୁ ସ୍କୁଲ୍ କମିଟି ସଭାପତି ଶ୍ରୀ ବାରିକଙ୍କୁ ହଠାତ୍ ଏକ ଶକ୍ତ ଚାପୁଡା ମାରିଥିଲେ ବିଡିଓ। ପାଲଟା ଜବାବରେ ଶ୍ରୀ ବାରିକ ମଧ୍ୟ ବିଡିଓଙ୍କ ଉପରକୁ ହାତ ଉଠାଇବାକୁ ପଛାଇ ନଥିଲେ। ଖବର ପ୍ରଚାର ହେବା କ୍ଷଣି ଗାଁରୁ ଲୋକେ ଉଠି ଆସିବା ସହ ବିଡିଓଙ୍କୁ ବିରୋଧ କରିଥିଲେ।
ଏହି ଘଟଣାର ତଦନ୍ତ ନିେର୍ଦ୍ଦଶ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର।