ମାଲକାନଗିରି: ରାଜ୍ୟ ସରକାରଙ୍କର ଫୋକସରେ ରହିଥିଲା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା। ଏହି ବ୍ଲକର ଉନ୍ନତିକୁ ନେଇ ସରକାର ଲଗାତାର ତଦାରଖ କରିଆସୁଥିଲେ। ସେହିପରି ଏହି ବ୍ଲକର ବିଛିନ୍ନାଞ୍ଚଳକୁ ସରକାର ଗୁରୁପ୍ରିୟା ସେତୁ ଭେଟି ଦେବା ପରେ ସ୍ବାଭିମାନ ଅଂଚଳ ବୋଲି ଘୋଷଣା କଲେ। ଏହାର ଉନ୍ନତି ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କଲେ। ତେବେ ଚିତ୍ରକୋଣ୍ଡା ବିଡିଓ ଏବଂ ଯନ୍ତ୍ରୀ ତଥା ଠିକାଦାର ମିଳିତ ଭାବେ ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣରେ ଲକ୍ଷ ଲକ୍ଷ ଟଂକାର ଘୋଟାଲା କଲେ। ଏନେଇ ପ୍ରଥମେ ସମ୍ବାଦ ହିଁ ପର୍ଦାଫାସ କରିଥିଲା।

Advertisment

publive-image

ପ୍ରାୟ ୭ ଶହରୁ ଉର୍ଦ୍ଧ୍ବ ପାଇଖାନା ଗାଏବ ରହିବା ସହ କେଉଁଠି ପ୍ୟାନ ନଥିଲା ତ ଆଉ କେଉଁଠି ପାଇଖାନା ଘର ନଥିଲା। କାଗଜ କଲମରେ ସବୁ ଠିକଠାକ ଦର୍ଶାଇ ଲକ୍ଷ ଲକ୍ଷ ଟଂକା ଯନ୍ତ୍ରୀ, ଠିକାଦାର ଏବଂ ବିଡିଓ ମାରିଖାଇଗଲେ। ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଅନ୍ୟ ଗଣମାଧ୍ୟମ ମଧ୍ୟ ଏହି ଖବରକୁ ପ୍ରସାରଣ କରିଥିଲେ, ଯାହାଫଳରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଵାଲ ଏକ ଟିମ ଗଠନ କରି ତଦନ୍ତ ଭାର ଦେଇଥିଲେ। ତଦନ୍ତରେ ପାଇଖାନା ଘୋଟାଲର ଅସଲି ଚିତ୍ର ପଦାକୁ ଆସିଥିଲା। ଜିଲ୍ଲା ପ୍ରଶାସନ ରିପୋର୍ଟ ପାଇବା ପରେ ଯନ୍ତ୍ରୀ ରାଜେନ୍ଦ୍ର ସିଂଙ୍କୁ ନିଲମ୍ବନ କରିଥିଲେ। ତେବେ ଘୋଟାଲାରେ ସାମିଲ ବିଡିଓଙ୍କ ପାଳି କେବେ ବୋଲି ପ୍ରଶ୍ନ କରାଯାଇଥିଲା। ସରକାର ବିଡିଓଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଘୋଟାଲା ହୋଇଥିବା ଜାଣିବା ପରେ ଆଜି ଚିତ୍ରକୋଣ୍ଡା ବିଡିଓ ଲରିମନ ଖରସେଲଙ୍କୁ ନିଲମ୍ବନ କରିଛନ୍ତି।

ନିଲମ୍ବନ ଆଦେଶ ପାଇବା ପରେ ପିଡି ଡିଆରଡିଏରେ ହାଜର ହେବାକୁ ନିର୍ଦେଶ ରହିଛି। ନିଲମ୍ବନ ନହଟିବା ପର୍ଯ୍ୟନ୍ତ ସେ ମାଲକାନଗିରି ପିଡି, ଡିଆରଡିଏଙ୍କ କାର୍ଯ୍ୟାଳୟରେ ଉପସ୍ଥାନ ପକାଉଥିଲେ। ବିନା ପିଡି, ଡିଆରଡିଏଙ୍କ ନିର୍ଦେଶରେ ସେ ବାହାରକୁ ଯାଇପାରିବେ ନାହିଁ ବୋଲି ନିଲମ୍ବନ ପତ୍ରରେ ଉଲ୍ଲେଖ କରାଯାଇଛି। ପାଇଖାନା ନିର୍ମାଣରେ ବିଡିଓଙ୍କ ସଂପର୍କୀୟ ଠିକାଦାର, ଜିଆରଏସ ସାମିଲ ଥିଲେ। ଏମାନେ ପାଇଖାନା ନିର୍ମାଣ ନକରି ଟଂକା ହଡପ କରି ଚମ୍ପଟ ମାରିଥିଲେ।

ପ୍ରକାଶ ଥାଉକି ଗତ ମାସରେ କଂଗ୍ରେସର ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଚିତ୍ରକୋଣ୍ଡା ଗସ୍ତକରି ପାଇଖାନା ଦୁର୍ନୀତିର ପର୍ଦାଫାସ ମଧ୍ୟ କରିଥିଲେ। ତୁରନ୍ତ ବିଡିଓ ଏବଂ ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଧମକ ଦେଇଥିଲେ। ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳକୁ ସରକାର ନିଜ ହୃଦୟରେ ରଖିଥିବା ବେଳେ ଏଠାରେ କିନ୍ତୁ ସରାକରୀ ବାବୁମାନେ କାମ ନକରି କୋଟି କୋଟି ଟଂକା ହଡପ କରୁଥିବା ଜଣାପଡିଥିଲା। ପାଇଖାନା ଦୁର୍ନୀତି ଯାହାର ଜ୍ବଳନ୍ତ ଉଦାହରଣ। ଅନ୍ୟ ବିଭାଗରେ ମଧ୍ୟ କିପରି କାର୍ଯ୍ୟ ହୋଇଛି ତାହାର ତଦନ୍ତ ହେଲେ ବହୁ ସରକାରୀ ବାବୁ ଫସିବେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।