ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ରେ ପୁଣି ଗୋଟିଏ ଦୁର୍ନୀତି ପଦାକୁ ଆସିଛି। ଏଥର ଜଣେ ତଳିଆ କର୍ମଚାରୀ ସରକାରୀ ଅନୁଦାନ ହଡ଼ପ କରିବାକୁ ବିଡିଓଙ୍କ ଜାଲ୍ ଦସ୍ତଖତ କରିବାକୁ ପଛାଇ ନାହାନ୍ତି। କରାସାଦି ଧରାପଡ଼ିଯିବାରୁ ସଂପୃକ୍ତ କର୍ମଚାରୀ ଜଣକ ଫେରାର ହୋଇ ଯାଇଛନ୍ତି। ଅପରପକ୍ଷରେ ବିଡିଓ ସତ୍ୟନାରାୟଣ ମେହେର ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଜଣେ ତଳିଆ କର୍ମଚାରୀ ଏଭଳି ଜାଲିଆତି କରିବାକୁ ଏତେ ସାହସ କେଉଁଠୁ ପାଇଲେ ବୋଲି ପ୍ରଶ୍ନ ଉଠିଛି। ନିଶ୍ଚିତ ରୂପେ ଏହା ପଛରେ କୌଣସି ଅଧିକାରୀଙ୍କ ସଂପୃକ୍ତି ଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ଝରିଗାଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରତ୍ୟେକ ନଳକୂପରେ ନୂଆ ଚାନ୍ଦିନୀ ସହ ଜଳ ସଂରକ୍ଷଣ ପାଇଁ କୁଣ୍ଡ ନିର୍ମାଣ ଚାଲିଛି। ଏହି ପ୍ରକଳ୍ପର ତଦାରଖ ଦାୟିତ୍ବ ବିଆରସି ବିଜୟ କୁମାର ମାନସିଂଙ୍କୁ ଦିଆଯାଇଥିଲା। ତେବେ ନିର୍ମାଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ପଞ୍ଚାୟତସ୍ତରରେ ୱାର୍ଡସଭ୍ୟମାନେ ଅଭିଯୋଗ କରି ଆସୁଥିଲେ। ଏପରିକି ସଂପୃକ୍ତ ବିଆରସି ନିଜ ଇଚ୍ଛା ଅନୁସାରେ ନିମ୍ନମାନର କାମ କରାଉଥିବା ବେଳେ ଠିକାଦାରଙ୍କୁ କାମ ଦେଇ ଲକ୍ଷାଧିକ ଟଙ୍କା ହଡ଼ପ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା। ଅଭିଯୋଗ ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନଥିବାରୁ ସନ୍ଦେହ ବଢ଼ି ଚାଲିଥିଲା। ପାଇଖାନା ଦୁର୍ନୀତିରେ ତତ୍କାଳୀନ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ବଳି ପଡ଼ିଥିଲେ। ତେଣୁ ଏହି ପ୍ରକଳ୍ପରେ ବି କିଛି ଅଧିକାରୀ ଅକଳରେ ପଡ଼ିବେ ବୋଲି ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ତେବେ ସମସ୍ତ ଚର୍ଚ୍ଚାରେ ଆଜି ବିରାମ ଲାଗିଛି। ଝରିଗାଁ ବିଡିଓ ସତ୍ୟନାରାୟଣ ମେହେର ଥାନାରେ ଏତଲା ଦେବାରୁ ପୂରା ଘଟଣାର ମୋଡ଼ ବଦଳି ଯାଇଛି। ସମ୍ପୃକ୍ତ ବିଆରସି କାର୍ଯ୍ୟାଦେଶ ଏବଂ ଅର୍ଡର ସିଟ୍ରେ ବିଡିଓଙ୍କ ଜାଲ୍ ଦସ୍ତଖତ କରିଥିଲେ ବୋଲି ଜଣାପଡ଼ିଛି। ଜାଲିଆତି କରି ୧୧ଲକ୍ଷ ୧୦ହଜାର ଟଙ୍କାର ବିଲ୍ କରି ଅନୁଦାନ ହଡ଼ପ ପାଇଁ ଯୋଜନା କରିଥିଲେ। କିନ୍ତୁ ଏହି କାରସାଦିରେ ସଫଳ ନ ହେବାରୁ ଫେରାର ହୋଇଯାଇଛନ୍ତି।