ଚେତିଲେ: ବାଣ ଦୋକାନ ହଟାଇବାକୁ ରେଳବାଇ ନିର୍ଦ୍ଦେଶକ

ରାଉରକେଲା: ରେଳନଗରୀ ବନ୍ଧମୁଣ୍ଡା ସେକ୍ଟର-ସିରେ ବିନା ଅନୁମତିରେ ଖୋଲା ଯାଇଥିବା ବାଣ ଦୋକାନ ହଟାଇବାକୁ ଆଜି ବନ୍ଧମୁଣ୍ଡା ରେଲେଓ୍ଵ ଅଧିକାରୀ ପି.ଗୋସ୍ୱାମୀ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଦୋକାନୀ ନହଟାଇଲେ ଆର୍‌ପିଏଫ୍‌କୁ ପ୍ରୟୋଗ କରାଯିବ ବୋଲି ଶ୍ରୀ ଗୋସ୍ୱାମୀ ସତର୍କ କରାଇ ଦେଇଛନ୍ତି। ଗତକାଲି ରାତିରେ ନିଆଁ ଲାଗି ରାଉରକେଲା ବାଣ ବଜାର ପାଉଁଶ ହୋଇଯିବା ଓ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯିବା ଘଟଣା ପରେ ରେଳ ବିଭାଗ ଏଭଳି ତରବରିଆ ନିର୍ଦ୍ଦେଶ ଜାରି କରିବା ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁସାରେ ରେଳ ବିଭାଗର ଜମିରେ ବିନା ଅନୁମତିରେ ସେକ୍ଟର-ସିରେ ବାଣ ଦୋକାନ ଲାଗିଛି। ଅନୁମତି ନଥିବାରୁ କାହାର କେଉଁଠି ଷ୍ଟଲ୍‌ ଲାଗିଛି ଜାଣିବା ମୁସ୍କିଲ। ଅନ୍ୟପଟେ ଦୋକାନଗୁଡ଼ିକରେ ଅଗ୍ନିଶମର କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ବେଳେ ପ୍ରଶାସନ ସବୁ ଦେଖି ବି ଚୁପ୍‌ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ରେଲେଓ୍ଵ ଅଧିକାରୀଙ୍କ ୨୪ ଘଣ୍ଟିଆ ନୋଟିସ ପରେ ବନ୍ଧମୁଣ୍ଡା ଥାନା ଅଧିକାରୀ ସୁଶାନ୍ତ ଦାସ ଦୋକାନ ସାମ୍ନାରେ ପାଣି ଟ୍ୟାଙ୍କର ଓ ବାଲି ମହଜୁଦ୍‌ ରଖିବାକୁ ବାଣ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତାକାଲି ଦୀପାବଳି ଓ ବାଣ ଫୁଟା ପର୍ବ ଥିବା ବେଳେ ଦିନକ ପୂର୍ବରୁ ଅଧିକାରୀମାନଙ୍କ ଏଭଳି ନିର୍ଦ୍ଦେଶ ବାହାଘର ବେଳେ ବାଇଗଣ ରୁଆ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର