ସାବଧାନ! ଅନ୍‌ଲାଇନ ପାଠପଢ଼ା ସାଜିପାରେ ବିପଦ

ମୋବାଇଲ୍‌ରେ ପଢ଼ିଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ
ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ବର : ଆପଣଙ୍କ ପିଲା ଅନ୍‌ଲାଇନ୍‌ରେ କ୍ଲାସ କରୁଛନ୍ତି କି? ଘଣ୍ଟା ଘଣ୍ଟା ମୋବାଇଲ୍‌କୁ ଆଖି ଆଗରେ ଧରି ପଢ଼ୁଛନ୍ତି କି? ତେବେ ଏବେଠୁ ସାବଧାନ। କାରଣ ଏହି ଅନଲାଇନ୍ ପାଠପଢ଼ା ଯୋଗୁଁ ଛାତ୍ରଛାତ୍ରୀଙ୍କ ଆଖି ପ୍ରଭାବିତ ହୋଇପାରେ। ଦୃଷ୍ଟି ଶକ୍ତି କମିବାର ସମ୍ଭାବନା ରହିଛି। ଏମିତି କି ସେମାନଙ୍କ ମନସିକତା ଉପରେ ବି ପ୍ରଭାବ ପଡ଼ିପାରେ। କମ ବୟସରୁ ଆଖିକୁ କମ୍‌ ଦେଖାଯିବା, ଆଖିରୁ ଲୁହ ବୋହିବା, ଆଖି କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।

କୋଭିଡ୍‌-୧୯ କଟକଣା ଯୋଗୁଁ ଦେଶର ୨୪ କୋଟି ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ସେମାନଙ୍କୁ କ୍ଲାସରୁମ୍‌ ଶିକ୍ଷା ମିଳିପାରୁନି। ୪ ମାସ ହେଲା ଘରେ ରହିଛନ୍ତି। ଏଭଳି ସମୟରେ ସେମାନଙ୍କ ପାଇଁ ବିକଳ୍ପ ସାଜିଛି ଅନ୍‌ଲାଇନ୍‌ ଶିକ୍ଷା। ଦେଶର ଅଧିକାଂଶ ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସେମାନଙ୍କ ପିଲାଙ୍କୁ ଅନ୍‌ଲାଇନ୍‌ରେ ପଢ଼ାଉଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ପାଳି କରି ଦିନରୁ ୪ରୁ ୫ ଘଣ୍ଟା କ୍ଲାସ ନେଉଛନ୍ତି। ଏକାଥରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଭିଡିଓ କନ୍‌ଫରେନ୍ସିଂରେ ରଖି ଶିକ୍ଷକମାନେ ପଢ଼ାଉଥିବା ବି ଦେଖିବାକୁ ମିଳିଛି। କୋମଳମତି ପିଲାମାନେ ମୁହଁ ସମ୍ମୁଖରେ ମୋବାଇଲ୍‌ ରଖି ଶିକ୍ଷକ, ଶିକ୍ଷୟିତ୍ରୀ ପଢ଼ାଉଥିବା ପାଠକୁ ବୁଝୁଛନ୍ତି। ହୋମ୍‌ୱାର୍କ ବି କରୁଛନ୍ତି। ସ୍କୁଲ ଛାତ୍ରଛାତ୍ରୀଙ୍କ ବୟସ କମ୍‌ ହୋଇଥିବାରୁ ସେମାନଙ୍କ ଆଖି ଉପରେ ମୋବାଇଲ୍‌ କ’ଣ ପ୍ରଭାବ ପକାଉଛି ତାହା ସେମାନେ ଜାଣିପାରନ୍ତି ନାହିଁ। ଏମିତିକି ଆଖିଠାରୁ କେତେ‌ ଦୂରରେ ମୋବାଇଲ୍‌ ରଖିବା ଆବଶ୍ୟକ ସେ ବିଷୟରେ ଅବଗତ ନାହାନ୍ତି। ପରିଣାମ ସ୍ବରୂପ ସେମାନଙ୍କୁ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଖି ନଷ୍ଟ ହେବାର ଆଶଙ୍କା ରହିଥିବା ଡାକ୍ତର ଓ ଶିକ୍ଷାବିତ୍‌ମାନେ ମତପୋଷଣ କରିଛନ୍ତି।

ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିର୍ଦେଶାବଳୀ ଜାରି ହୋଇଛି। ପ୍ରାକ୍‌ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେବାକୁ ଗୋଟିଏ ଦିନରେ ସେମାନଙ୍କ ପିତାମାତାଙ୍କ ସହ ଆଲୋଚନାର ସୁବିଧା ରହିବ। ଏହା ୩୦ ମିନିଟରୁ ଅଧିକ ହେବ ନାହିଁ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏନ୍‌ସିଇଆରଟିର ବିକଳ୍ପ ଶୈକ୍ଷିକ କ୍ୟାଲେଣ୍ଡର ଅନୁସରଣ କରିବାକୁ ହେବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ସିନ୍‌କ୍ରୋନ୍‌ସ ଲର୍ଣ୍ଣିଂ ଦୁଇଟି ସେସ୍‌ନରୁ ଅଧିକ ହେବ ନାହିଁ। ଏହି ସେସ୍‌ନର ଅବଧି ୩୦ରୁ ୪୫ ମିନିଟ ମଧ୍ୟରେ ସୀମିତ ରହିବ। ପ୍ରାଇମେରି ସେକ୍ସନ ପାଇଁ ରାଜ୍ୟ ସରକାର ଅନ୍‌ଲାଇନର ସମୟ ନିର୍ଦ୍ଧାରଣ କରିବେ। ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ ସିନ୍‌କ୍ରୋନ୍‌ସ ଲର୍ଣ୍ଣିଂ ୪ଟି ସେସ୍‌ନରୁ ଅଧିକ ହେବନାହିଁ। ପ୍ରତ୍ୟେକ ସେସ୍‌ନର ଅବଧି ୩୦ରୁ ୪୫ ମିନିଟ ରହିବ। ଏହି କାର୍ଯ୍ୟରେ ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ, ଅନ୍ୟାନ୍ୟ ସଂପୃକ୍ତ କର୍ତ୍ତୃପକ୍ଷ ସହଯୋଗ କରି ଆସେସମେଣ୍ଟ, ପ୍ଲାନିଂ, ସାଇବର ନିରାପତ୍ତା ଓ ଏହାର କାର୍ଯ୍ୟକାରିତା ଆଦି ବ୍ୟବସ୍ଥା କରିବେ।

ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ‌ଯେ ମୋବାଇଲରେ ପାଠ ପଢିବା ସମୟରେ ମୁହଁଠାରୁ ଏକ ଫୁଟ ଦୂରରେ ମୋବାଇଲ ରଖନ୍ତୁ। ଆଖିର ସ୍ଥିତି କ’ଣ ରହିଛି ସେନେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ପରୀକ୍ଷା କରାଇ ନିଅନ୍ତୁ। ପାଠ ପଢୁଥିବା ସ୍ଥାନର ସରାଉଣ୍ଡିଂ ଲାଇଟ ଭଲ ରହିବା ଦରକାର। ପଢୁଥିବା ଛାତ୍ରଛାତ୍ରୀଙ୍କ ପଛପଟେ ଏକ ଲାଇଟ ଜଳିବା ଆବଶ୍ୟକ। ଏହାଦ୍ୱାରା ମୋବାଇଲ ଲାଇଟର ପ୍ରଭାବକୁ କମ୍‌ କରିହେବ। ମୋବାଇଲ ଉପରେ ଅଲଟ୍ରା ଭାୟୋଲେଟରେ କଭର ରହିବା ନିହାତି ଆବଶ୍ୟକ। ଯଦି ଛାତ୍ରଛାତ୍ରୀ ଏସବୁ ନିୟମକୁ ନ ମାନି ଘଣ୍ଟା ଘଣ୍ଟା ଧରି ମୋବାଇଲରେ ପାଠ ପଢ଼ନ୍ତି, ତେବେ ସେମାନଙ୍କ ଦୃଷ୍ଟିଶକ୍ତି କମିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର