କଟକ: ଗ୍ରାହକଙ୍କ ସହ ଅନ୍‌ଲାଇନ୍‌ ଅର୍ଥ କାରବାର ପାଇଁ ଦୋକାନରେ କ୍ୟୁଆର୍ କୋଡ୍ ସ୍କାନର୍ ଲଗାଉଛନ୍ତି କି? ସତର୍କ ରୁହନ୍ତୁ। କ୍ୟୁଆର୍ କୋଡ୍ ସ୍କାନର୍ ଲଗାଇବା ପାଇଁ ଆସୁଥିବା କମ୍ପାନିର ଏଜେଣ୍ଟଙ୍କ ପରିଚୟ ଯାଞ୍ଚ କରନ୍ତୁ। ନଚେତ ଅନ୍‌ଲାଇନ୍‌ ଋଣଯନ୍ତାରେ ଫସିଯିବେ। ଏବେ ସାଇବର୍ ଠକ କମ୍ପାନିର ଏଜେଣ୍ଟ ପରିଚୟ ଦେଇ ଦୋକାନୀଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି। ସ୍କାନର୍‌ ଲଗାଇବା ବଦଳରେ ଅନ୍‌ଲାଇନ୍‌ରେ ଋଣ ପାଇଁ ଆବେଦନ କରୁଛନ୍ତି। ଏହାପରେ ଦୋକାନୀ ସାଇବର୍‌ ଠକଙ୍କ ଜାଲରେ ଫସିଯିବା ଭଳି ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି।

Advertisment

ସମଗ୍ର ରାଜ୍ୟର ପ୍ରାୟ ପ୍ରତ୍ୟେକ ଦୋକାନରେ ବ୍ୟବସାୟୀମାନେ ଗ୍ରାହକଙ୍କ ସହ ଅର୍ଥ କାରବାର ପାଇଁ ଅନ୍‌ଲାଇନ୍‌ ମାଧ୍ୟମ ବାଛୁଛନ୍ତି। ଏଥିପାଇଁ ଫୋନ୍ ପେ’, ପେଟିଏମ୍, ଗୁଗୁଲ୍‌ ପେ’ ସମେତ ବିଭିନ୍ନ ଜାତୀୟକରଣ ଓ ଘରୋଇ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ କ୍ୟୁଆର୍ କୋଡ୍‌ ସ୍କାନର୍ ବ୍ୟବହାର କରାଯାଉଛି। ଖୁଚୁରା ପ୍ରଦାନରେ ସମସ୍ୟା ହେଉଥିବାରୁ ଗ୍ରାହକମାନେ ବି’ ଅନ୍‌ଲାଇନ ବ୍ୟବସ୍ଥାକୁ ଆପଣାଉଛନ୍ତି। ଏହା ଲୋକପ୍ରିୟ ହେବା ପରେ ସାଇବର୍ ଅପରାଧୀମାନେ ଦୋକାନୀଙ୍କୁ ଫସାଇବା ପାଇଁ ନୂଆ କୌଶଳ ବାଛିଛନ୍ତି। ସାଇବର୍ ଠକମାନେ ଉପରୋକ୍ତ କମ୍ପାନିଗୁଡ଼ିକର ଏଜେଣ୍ଟ ପରିଚୟ ଦେଇ ଦୋକାନକୁ ଯାଉଛନ୍ତି। ଏହି କମ୍ପାନିର କ୍ୟୁଆର୍‌ କୋଡ୍‌ ସ୍କାନର୍‌ ଦୋକାନରେ ଲଗାଇବାକୁ ପରାମର୍ଶ ଦେଉଛନ୍ତି। ଏଥିପାଇଁ କୌଣସି ଦେୟ ପଡ଼ୁ ନ ଥିବା କହୁଛନ୍ତି। ଦୋକାନୀ ରାଜି ହୋଇଯିବା ପରେ ତାଙ୍କ ନିକଟରୁ ଆଧାର୍‌ କାର୍ଡ ଓ ପ୍ୟାନ୍ କାର୍ଡ ତଥ୍ୟ ନେଉଛନ୍ତି ଏଜେଣ୍ଟ ରୂପରେ ଆସିଥିବା ସାଇବର୍‌ ଠକ। ଦୋକାନୀଙ୍କ ସମ୍ମୁଖରେ ସମ୍ପୃକ୍ତ ଠକ ଅନ୍‌ଲାଇନ୍‌ରେ କ୍ୟୁଆର୍‌ କୋଡ୍‌ ସ୍କାନର୍‌ ପାଇଁ ଆବେଦନ କରିଥିବା ଦର୍ଶାଉଛନ୍ତି। ମାତ୍ର ପ୍ରକୃତରେ ସେମାନେ ଅନ୍‌ଲାଇନ୍‌ ‘ଲୋନ୍‌ ଆପ୍‌’ରେ ଋଣ ପାଇଁ ଆବେଦନ କରି ଦୋକାନୀଙ୍କ ଅଜାଣତରେ ମୋବାଇଲ୍‌ରୁ ଓଟିପି ନେଇଯାଉଛନ୍ତି। ଋଣ ଆବେଦନ ସମୟରେ କମ୍ପାନି ଏଜେଣ୍ଟ ପରିଚୟ ଦେଉଥିବା ଠକ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଉଛନ୍ତି। ଫଳରେ ଋଣ ଅର୍ଥ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଆସୁଛି। ଦିନେରୁ ଦୁଇଦିନ ଭିତରେ କ୍ୟୁଆର୍ କୋଡ୍ ଆସିବ ବୋଲି କହି ଠକ ଏଜେଣ୍ଟ ଦୋକାନରୁ ଚାଲି ଯାଉଛନ୍ତି। ଏହାପରେ ଅନ୍‌ଲାଇନ୍ ‘ଲୋନ୍‌ ଆପ୍‌’ର କର୍ମଚାରୀ ୫ଦିନ ପରଠାରୁ ବ୍ୟବସାୟୀଙ୍କୁ ଫୋନ୍ କରିବା ଆରମ୍ଭ କରିଦେଉଛନ୍ତି। ଦୋକାନୀଙ୍କୁ ୧୦ ଦିନ ମଧ୍ୟରେ ଟଙ୍କା ଦେବାକୁ କହୁଛନ୍ତି। ଏଥିପାଇଁ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହୁଛନ୍ତି। ବାରମ୍ବାର ମେସେଜ୍‌ ବି ପଠାଉଛନ୍ତି। ୧୦ ଦିନରେ ଟଙ୍କା ନ ଦେଲେ ସୁଧ ବଢ଼ି ଚାଲିବ ବୋଲି ଧମକ ଦେଉଛନ୍ତି। ଏଭଳି ପରିସ୍ଥିତିରେ ଅନ୍‌ଲାଇନ୍ ଋଣ କାରବାର ସମ୍ପର୍କରେ କିଛି ଜାଣି ନ ଥିବା ଦୋକାନୀ ଅଜାଣତରେ ଋଣଯନ୍ତାରେ ଫସି ଯାଉଛନ୍ତି।

ଏହି ଅନଲାଇନ୍‌ ‘ଲୋନ୍‌ ଆପ୍‌’ର ମାଷ୍ଟରମାଇଣ୍ଡ ହେଉଛନ୍ତି ଚାଇନାର ଲିୟୁ ଇ। କ୍ରାଇମବ୍ରାଞ୍ଚ ଅନୁରୋଧକ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ୍‌(ବିଓଆଇ) ଚାଇନିଜ୍ ଲୋନ୍ ଆପର କାର୍ପଟଦାର ଲିୟୁ ଇ ବିରୋଧରେ ୨୦୨୨ ଜୁଲାଇ ୧୨ ତାରିଖ ଲୁକ୍‌ଆଉଟ୍‌ ନୋଟିସ୍ ଜାରି କରିଥିଲା। ଏହି ଠକ ଚାଇନାର ହାଙ୍ଗଜୋ ସହରରେ ଥିଲା ବେଳେ ୨୦୧୯ରେ ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏଭଳି ବ୍ୟବସାୟ ଆରମ୍ଭ କରିଥିଲା। ଚାଇନାରେ ପ୍ରସ୍ତୁତ ହେଉଥିବା ଏଭଳି ଜାଲି ଲୋନ୍‌ ଆପ୍‌କୁ ଏବେ ବିହାର, ଝାଡ଼ଖଣ୍ଡ, ଗୁଜରାଟ, ଛତିଶଗଡ଼ରେ ସାଇବର୍ ଠକ ନିୟନ୍ତ୍ରଣ କରୁଛନ୍ତି। ସାଇବର୍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଆଧାର ଓ ପ୍ୟାନ୍ କାର୍ଡ କାହାକୁ ଦିଅନ୍ତୁ ନାହିଁ। ମୋବାଇଲ୍‌କୁ ଆସୁଥିବା ଓଟିପି କେଉଁ କାରଣ ପାଇଁ ଆସୁଛି, ସେ ସଂକ୍ରାନ୍ତରେ ଉଲ୍ଲେଖ ଥାଏ। ଏହା ସବୁବେଳେ ଦେଖିବା ଉଚିତ। ନ ହେଲେ କ୍ୟୁଆର୍ କୋଡ୍ ସ୍କାନର୍‌ ଆବେଦନ କରିବା ବଦଳରେ ଅନ୍‌ଲାଇନ୍ ଲୋନ୍‌ ଆପରେ ଫସିଯିବାର ଯଥେଷ୍ଟ ଆଶଙ୍କା ରହିଛି। ଏହାସତ୍ତ୍ବେ କୌଣସି ଦୋକାନୀ ଏହାର ଶିକାର ହେଲେ ଭୟଭୀତ ନ ହୋଇ ତୁରନ୍ତ ସାଇବର୍‌ ଥାନାରେ ଅଭିଯୋଗ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ପରାମର୍ଶ ଦେଇଛନ୍ତି।