ଭୁବନେଶ୍ବର: ‘୬ ବର୍ଷ ଶିକ୍ଷକତା କଲେଣି। ତଥାପି ଆପଣଙ୍କ ଚାକିରି ନିୟମିତ ହେଉ ନାହିଁ। ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଦେଢ଼ ଲକ୍ଷ ଟଙ୍କା ଦେଲେ ଆପଣଙ୍କ ଚାକିରି ନିୟମିତ ହେଇଯିବ। କୌଣସି ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ କି ଅଧିକାରୀଙ୍କୁ ଧରିବାକୁ ପଡ଼ିବନି। ଆମେ ଆପଣଙ୍କ ଚାକିରି ନିୟମିତ କରିଦେବୁ।’
ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏଭଳି ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ଦଲାଲ। ଜଣେ କି ଦୁଇ ଜଣ ନୁହଁନ୍ତି, ବରଂ ରାଜ୍ୟର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏବେ ଦଲାଲଙ୍କ ପଞ୍ଝାରେ ପଡ଼ିଛନ୍ତି। କିଏ ଚାକିରି ନିୟମିତ ହେବାକୁ ଘର ବନ୍ଧା ପକାଇ ଟଙ୍କା ଦେଇଛନ୍ତି ତ ଆଉ କିଏ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି ହେବାକୁ ଦରମା ଟଙ୍କା ଦେଇ ହାତ ଖାଲି କରି ବସିଛନ୍ତି। କେବଳ ନିୟମିତ ହେବାକୁ ଟଙ୍କା ଦେଇଛି ତାହା ନୁହେଁ। ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ଦେବାକୁ କହି ବିଏଡ୍ ତାଲିମଧାରୀଙ୍କଠାରୁ ଟଙ୍କା ଆଦାୟ କରାଯାଇଛି। ଟଙ୍କା ଦେଇ ମାସ ମାସ ଅପେକ୍ଷା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଚାକିରି ନିୟମିତ ହୋଇ ନାହିଁ କି ବଦଳି ହୋଇନି। ଟଙ୍କା ନେଇଥିବା ଦଲାଲ ମଧ୍ୟ ଧରାଛୁଆଁ ଦେଉ ନାହିଁ। ଠକାମିର ଶିକାର ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ସବୁଆଡ଼ୁ ନିରାଶ ହେବା ପରେ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବରସ୍ଥ ହୋଇଛନ୍ତି। ଏ ବାବୁଙ୍କୁ ଟଙ୍କା ଦେଇଥିଲି। ସେ ବାବୁ କହିଥିଲେ ନିୟମିତ କରିଦେବେ ବୋଲି କହିଥିଲେ। ଠକାମିର ଶିକାର ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏଭଳି ଅଭିଯୋଗ ଆଣି ବିଭାଗ ନିକଟରେ ପହଞ୍ଚିଛନ୍ତି।
ଆଦାୟ କରୁଛନ୍ତି ମୋଟା ଅଙ୍କର ଟଙ୍କା
ଓସେପା କାର୍ଯ୍ୟାଳୟ ନାଁରେ ଲୁଟୁଛନ୍ତି
ସମସ୍ତଙ୍କୁ ସତର୍କ କରାଇଲେ ରାଜ୍ୟ ସରକାର
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରାଥମିକସ୍ତରରେ ୧୬ ହଜାର ୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏବେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ବାଣ୍ଟିବା କ୍ଷଣି ଦଲାଲମାନେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ପ୍ରାର୍ଥୀମାନଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ ବିଦ୍ୟାଳୟ ତଥା ଅଞ୍ଚଳରେ ନିଯୁକ୍ତି ମିଳି ନ ଥିବାରୁ ସେମାନେ ଅନ୍ୟତ୍ର ବଦଳି କରିବାକୁ ଚାହୁଁଛନ୍ତି। ଆଉ ଏହାର ସୁଯୋଗ ନେଇ ଦଲାଲମାନେ ସେମାନଙ୍କଠାରୁ ଟଙ୍କା ଆଦାୟ କରିବାରେ ଲାଗି ପଡ଼ିଛନ୍ତି। ଜିଲ୍ଲା ଭିତରେ ବଦଳି ପାଇଁ ଏକ ଲକ୍ଷ ଭିତରେ ଅର୍ଥ ମାଗୁଥିବା ବେଳେ ଜିଲ୍ଲା ବାହାର ବଦଳି କରିବାକୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବା ପରେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଚିନ୍ତାପ୍ରକଟ କରିଛନ୍ତି।
କେତେଜଣ ଦଲାଲ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ରେ କାର୍ଯ୍ୟ କରୁଥିବା ଦର୍ଶାଇ ଲୁଟିଥିବା ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ସତର୍କ କରାଯିବା ସହ ଚେତାବନୀ ଦିଆଯାଇଛି। କୁହାଯାଇଛି ଯେ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, କିଛି ଅସାଧୁ ବ୍ୟକ୍ତି ଚାକିରି ନିୟମିତକରଣ, ବଦଳି ନୀତି, ନୂତନ ଚାକିରି ଓ ବେତନ ବୃଦ୍ଧି ଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ଓସେପା ଅଫିସ ନାମରେ ଟଙ୍କା ସଂଗ୍ରହ କରୁଛନ୍ତି। ଏହାକୁ ଗୁରୁତର ସହ ନିଆଯାଇଛି। ଯେଉଁମାନେ ଏଭଳି କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି ସେମାନେ ନିବୃତ୍ତ ରୁହନ୍ତୁ। ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ବେଆଇନ କାର୍ଯ୍ୟ ପାଇଁ କୌଣସି ଟଙ୍କା ନ ଦେବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।