ସମ୍ବଲପୁର, ୨୧।୨ (ଇମିସ): ବର୍ତ୍ତମାନ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍(ଏଚ୍ଏସ୍ଆର୍ପି) ଲଗାଇ ନାହାନ୍ତି ଯଦି ଯଥାଶୀଘ୍ର ଆବେଦନ କରି ଦିଅନ୍ତୁ। ନଚେତ ଆପଣଙ୍କୁ ୫ ହଜାର ଟଙ୍କା ଜରିମାନା ପଡ଼ିଯିବ। କାରଣ ସମ୍ବଲପୁର ଜିଲ୍ଲାରେ ଏଚ୍ଏସ୍ଆର୍ପି ଯାଞ୍ଚ କଡାକଡି ଆରମ୍ଭ ହୋଇସାରିଛି। ଏଚ୍ଏସ୍ଆର୍ପି ପ୍ଲେଟ୍ ନଥିବାରୁ ଗତ ୧୭ ତାରିଖ ସୁଦ୍ଧା ଜିଲ୍ଲାରେ ୧୩୧ଟି ଗାଡ଼ି ମାଲିକଙ୍କୁ ଜରିମାନା କରାଯାଇଥିବା ସମ୍ବଲପୁର ଆର୍ଟିଓ ରାମ୍ଦାସ ଟୁଡୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରେଜିଷ୍ଟ୍ରେସନ୍ ନମ୍ବରର ଶେଷ ସଂଖ୍ୟା ୧, ୨, ୩, ୪, ୫ ଓ ୬ ଥିବା ପୁରୁଣା ଗାଡ଼ିଗୁଡ଼କର ଏଚ୍ଏସ୍ଆର୍ପି ସଂଲଗ୍ନ କରିବାର ସମୟସୀମା ୨୦୨୨ ଡିସେମ୍ବର ୩୧ରେ ଶେଷ ହୋଇଥିଲା। ସେଭଳି ୭ ଓ ୮ ଥିବା ଗାଡ଼ି ପାଇଁ ସମୟସୀମା ୨୦୨୩ ଜାନୁଆରି ୩୧ରେ ଶେଷ ହୋଇଥିବା ବେଳେ ୯ ଓ ୦ ଥିବା ଗାଡ଼ିଗୁଡିକ ପାଇଁ ଏଚ୍ଏସ୍ଆର୍ପି ସଂଲଗ୍ନ କରିବାର ଶେଷ ତାରିଖ ୨୦୨୩ ଫେବ୍ରୁଆରି ୨୮ ତାରିଖ ରହିଛି। ଜାନୁଆରିରୁ ମୋଟର ଯାନ ନିୟମ ଉଲ୍ଲଙ୍ଘନ କରିଥିବା ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହାଯାଇଥିଲା। ଏହି କ୍ରମରେ ସମ୍ବଲପୁରରେ ମଧ୍ୟ ଏଚ୍ଏସ୍ଆର୍ପି ନମ୍ବର ପ୍ଲେଟ୍ ଉପରେ ଯାଞ୍ଚ କଡ଼ାକଡ଼ି ଆରମ୍ଭ ହୋଇଯାଇଛି।
ଆର୍ଟିଓ ରାମଦାସ ଟୁଡୁଙ୍କ ସୂଚନା ଅନୁଯାୟୀ, ଫେବ୍ରୁଆରି ୧୭ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଉପରେ ୧୩୧ଟି ଗାଡ଼ିର ଚାଲାଣ କଟାଯାଇଛି। ଏଚ୍ଏସ୍ଆରପି ନମ୍ବର ପ୍ଲେଟ୍ ଆବେଦନ କରି ନଥିବା ତଥା ଲଗାଇ ନଥିବା ଗାଡ଼ିମାଲିକଙ୍କୁ ୫୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଥିବା ସେ କହିଛନ୍ତି। ଜିଲ୍ଲାରେ ସର୍ବାଧିକ ୭୮ଟି ୨ ଚକିଆ ଗାଡ଼ିର ଚାଲାଣ କଟାଯାଇଥିବା ବେଳେ ୧୯ଟି ୩ ଚକିଆ ଗାଡ଼ି, ୪ଟି କାର୍, ୮ଟି ଟ୍ରକ୍ ଓ ୨୧ଟି ବଡ଼ଗାଡ଼ିର ଚାଲାଣ କଟାଯାଇଥିବା ଶ୍ରୀ ଟୁଡ଼ୁ କହିଛନ୍ତି। ଫେବ୍ରୁଆରି ପରେ ସବୁ ଗାଡ଼ି ପାଇଁ ସମୟସୀମା ଶେଷ ହେବାକୁ ଥିବା ବେଳେ ମାର୍ଚ୍ଚ ପ୍ରଥମରୁ ଏହି ଯାଞ୍ଚ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି। ତେବେ ଏଚ୍ଏସ୍ଆର୍ପି ପାଇଁ ଯଦି ଆପଣ ଆବେଦନ କରିଦେଇଛନ୍ତି, ତାହାଲେ ଆପଣ ଜରିମାନାରୁ ବଞ୍ଚିପାରିବେ।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ସାବଧାନ
/sambad/media/post_attachments/wp-content/uploads/2023/02/9-18.jpg)