ଭୁବନେଶ୍ବର: ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍ସିଜେନ ସୁବିଧା ସବୁଠାରୁ ବଡ ପ୍ରାଥମିକତା। ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକ। ଅଧିକ କୋଭିଡ ସଂଖ୍ୟା ଥିବା ଅଞ୍ଚଳ ଗୁଡିକରେ ନମୁନା ପରୀକ୍ଷା, ଟ୍ରେସିଂ ଓ କଣ୍ଟେନ୍ମେଣ୍ଟକୁ ଜୋରଦାର କର। ଆଇସିୟୁ ଓ ଏଚ୍ଡିୟୁ ଦାୟିତ୍ବରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ମତାମତ ନେଇ ତା' ଅନୁସାରେ ପଦକ୍ଷେପ ନିଅ। ଓଡ଼ିଶାରେ ସଂକ୍ରମଣ ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ରହିଥିବା ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀମାନଙ୍କୁ କୋଭିଡ୍ ପରିଚାଳନା କ୍ଷେତ୍ରରେ ଏଭଳି ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି। ଏଥିସହିତ ତୃତୀୟ ଲହର ପାଇଁ ଏବେଠାରୁ ସତର୍କ ରହିବା ଲାଗି ଚେତାଇ ଦେଇଥିଲେ।
ଆଜି ଭିଡିଓ କନଫରେନ୍ସିଂ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଏକ ମାସ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କୋଭିଡ ସଂଖ୍ୟା ବହୁ ପରିମାଣରେ ବଢିଥିଲେ ମଧ୍ୟ କୋଭିଡ ଯୋଦ୍ଧା ମାନଙ୍କର ଦୃଢ ପରିଶ୍ରମ ଓ ଜନସାଧାରଣଙ୍କ ସହଯୋଗ ଯୋଗୁ ପରିସ୍ଥିତିକୁ ଠିକ୍ ଭାବରେ ପରିଚାଳନା କରାଯାଇପାରିଛି। ତଥାପି ଆହ୍ବାନ ବହୁତ ବଡ ଏବଂ ଏହି ଯୁଦ୍ଧ ବହୁତ ଲମ୍ବା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଲକ୍ଡାଉନ ଲାଗୁ କରାଯାଇଛି। ଏହା ଠିକ୍ ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏଥିରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି। ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମେ ସଫଳତା ପାଇଛୁ ଏବଂ ଏହି କୋଭିଡ ମହାମାରୀ କ୍ଷେତ୍ରରେ ମଧ୍ୟ ଏହା ହିଁ ଉପଯୁକ୍ତ ପନ୍ଥା। କେବଳ ସେତିକି ନୁହେଁ, ଟିକାକରଣ କାର୍ଯ୍ୟକ୍ରମ ସବୁଠାରୁ ଗୁରୁତ୍ବପୂର୍ଣ୍ଣ।ଏଥିପାଇଁ ତ୍ରୁଟି ଶୂନ୍ୟ ବ୍ୟବସ୍ଥା ହେବା ଉଚିଚ୍। ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କର ଯତ୍ନ ନେବା ସହିତ ଯେତେଶୀଘ୍ର ସମ୍ଭବ ଅଧିକ ସଂଖ୍ୟକ ଟିକା ସଂଗ୍ରହ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି।
ରଥଯାତ୍ରା ପୂର୍ବରୁ ପୁରୀର ସବୁ ସେବାୟତ ଓ ପରିବାରଙ୍କୁ ଟିକା ଦିଆଯିବ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି ରଖାଯିବା ଉଚିତ୍। ସେମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଭିତରେ ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ। ଯଦି ସେମାନେ ଏହା ନ କରନ୍ତି, ତେବେ ସଂପୃକ୍ତ ହସ୍ପିଟାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। କୋଭିଡ ହସ୍ପିଟାଲ ଗୁଡିକରେ ହେଲ୍ପ ଲାଇନ ଗୁଡିକୁ ଅଧିକ କ୍ରିୟାଶୀଳ କରାଯିବା ଏବଂ ରୋଗୀଙ୍କ ପରିବାର ବର୍ଗଙ୍କୁ ନିୟମିତ ସୂଚନା ଦିଆଯିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏଭଳି କଠିନ ସମୟରେ ଦୁଃଖ ଓ ଦୁର୍ଦଶାରେ ଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବ୍ୟବହାର କରି ସାହାଯ୍ୟ କରିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ, ଦେଶର ଅଳ୍ପ କେତେକ ରାଜ୍ୟଙ୍କ ମଧ୍ୟରେ ଓଡିଶା ହେଉଛି ଏକ ରାଜ୍ୟ ଯେଉଁ ଠାରେ କି କୋଭିଡର ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା, ରହିବା ସୁବିଧା, ଖାଦ୍ୟ ଓ ଔଷଧ ପର୍ଯ୍ୟନ୍ତ ସବୁକିଛି ସରକାର ମାଗଣାରେ ଦେଉଛନ୍ତି। ଏହାଦ୍ବାରା ସବୁବର୍ଗର ଲୋକ, ବିଶେଷ କରି ଗରିବ ଲୋକମାନେ ଭଲ ଭଲ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ନିର୍ଭୟରେ ଆଗେଇ ଆସୁଛନ୍ତି। ଏଥିପାଇଁ ସରକାର ତାଙ୍କ ସମ୍ବଳର ଏକ ବଡ ଅଂଶ ଖର୍ଚ୍ଚ କରୁଛନ୍ତି। ତେଣୁ ଲୋକଙ୍କୁ ଉତ୍ତମ ମାନର ସେବା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟିକାକରଣ ହେଉଛି ଆମର ମୁଖ୍ୟ ରଣନୀତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ। ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ହାତ ଧୁଆ ଓ ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ଅନାବଶ୍ୟକ ଭାବେ ବାହାରେ ନ ବୁଲି ଘରେ ରହିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସଂପୂର୍ଣ୍ଣ ଟିକାକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ ହସ୍ପିଟଲ ଗୁଡିକରେ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। କୋଭିଡ ପର୍ଯ୍ୟବେକ୍ଷକମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅକ୍ସିଜେନ ବ୍ୟବସ୍ଥାର ୨୪ ଘଣ୍ଟିଆ ତଦାରଖ କରାଯାଉଛି। କୋଭିଡ କେୟାର କେନ୍ଦ୍ର ଗୁଡିକରେ ଅଧିକ ଆଇସିୟୁ ଓ ଭେଣ୍ଟିଲେଟର ଶଯ୍ୟାର ବ୍ୟବସ୍ଥା କରାଯାଇଛି ଏବଂ ଆହୁରି ଅଧିକ ଶଯ୍ୟା ପାଇଁ ପଦକ୍ଷେପ ଜାରି ରହିଛି।
ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କୋଭିଡ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ସାରା ବିଶ୍ବରେ ବର୍ତ୍ତମାନ ଭାରତର କୋଭିଡ ସଂକ୍ରମଣ ସଂଖ୍ୟା ୫୪ ପ୍ରତିଶତ ରହିଛି। ଓଡିଶାର କୋଭିଡ ସଂଖ୍ୟା ବର୍ତ୍ତମାନ ଦେଶର କୋଭିଡ ସଂଖ୍ୟାର ୨.୭ ପ୍ରତିଶତ ରହିଛି। ସର୍ବଭାରତୀୟ ସ୍ତରରେ ମୃତ୍ୟୁ ହାର ୧.୦୯ ଥିବାବେଳେ ଓଡିଶାରେ ଏହା ୦.୪୦ ରହିଛି। ଖୋର୍ଦ୍ଧା ଓ କଟକ ଜିଲ୍ଲା ବ୍ୟତୀତ ଛତିଶଗଗଡ ସୀମାରେ ଜିଲ୍ଲା ଗୁଡିକରେ ଅଧିକ ପଜିଟିଭ କେସ୍ ରହୁଛି ବୋଲି ସେ କହିଥିଲେ। ଓଡିଶାର ବର୍ତ୍ତମାନ ଟେଷ୍ଟ ପଜିଟିଭିଟି ଗତ ୧୫ ଦିନ ଧରି ୨୦.୨ ରହିଛି। ଓଡିଶାରେ ଅକ୍ସିଜେନ ଉପଲବ୍ଧତା ଉପରେ ସୂଚନା ଦେଇ ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଦୈନିକ ୫୨.୯ ମେଟ୍ରିକ ଟନ୍ ଅକ୍ସିଜେନ ଖର୍ଚ୍ଚ ହେଇଛି।
ପୁଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ ନିୟମାବଳୀର ଅନୁପାଳନ ଦିଗରେ ପୁଲିସ ପଦକ୍ଷେପ ସଂପର୍କରେ ସୂଚନା ଦେବା ସହିତ କହିଥିଲେ ଯେ କୋଭିଡ ନିୟମାବଳୀର ଉଲଘଂନ ପାଇଁ ବର୍ତ୍ତମାନ ସୁଦ୍ଧା ୨୮ କୋଟି ୯୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସଂପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ। ବୈଠକରେ ସମ୍ବଲପୁର, ବରଗଡ, ପୁରୀ, କଟକ ଓ ଭୁବନେଶ୍ବର ମହାନଗର ନିଗମରେ କୋଭିଡ ପରିଚାଳନା ସଂପର୍କରେ ଜିଲ୍ଲାପାଳ ଓ କମିସନର ମାନେ ସୂଚନା ଦେଇଥିଲେ । ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/naveen-patnaik.jpg)