ଓଡ଼ିଶାରେ ଲଟେରୀ ଲୁଟେରା : ‘କେବିସି’ ନାମରେ ଠକେଇ

‘୪୧୦’ ଏସ୍‌ଟିଡି କୋଡ୍‌କୁ କ୍ରାଇମ୍‌ବ୍ରାଞ୍ଚର ବାରଣ

କଟକ : ଆପଣଙ୍କ ମୋବାଇଲ୍‌ ହ୍ଵାଟସ୍‌ଆପ୍‌କୁ ଆମେରିକୀୟ ଏସ୍‌ଟିଡି କୋଡ୍‌(୪୧୦)ରେ କୌଣସି ମ୍ୟାସେଜ ଆସୁଛି କି? ହୁସିଆର୍‌! ଅନ୍ତର୍ଜାତୀୟ ସାଇବର ଅପରାଧୀ ଭାରତର ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡ ପତି’ରେ ୨୫ ଲକ୍ଷ ଟଙ୍କା ଜିତିବାର ଲୋଭ ଦେଖାଇ ଲୁଟୁଛନ୍ତି କୋଟିକୋଟି ଟଙ୍କା। ଗତ ୩ ତାରିଖରେ ସମ୍ବଲପୁରରେ ଜଣେ ବ୍ୟକ୍ତି ଠକେଇର ଶିକାର ହେବା ପରେ କ୍ରାଇମ୍‌ବ୍ରାଞ୍ଚ ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରିଛି। ସାଇବର୍‌ ସେଲ୍‌ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଆରମ୍ଭ କରିଛି। ଏଭଳି ଏସ୍‌ଟିଡି କୋଡ୍‌ରେ କୌଣସି ହ୍ଵାଟସ୍‌ଅପ୍‌ କଲ୍‌ କିମ୍ବା ମ୍ୟାସେଜ୍‌ ଆସିଲେ, ତାକୁ ଅଣଦେଖା କରିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସର୍ତକ କରାଯାଇଥିବା ସୂଚନା ମିଳିଛି।

ସମ୍ବଲପୁର ବରଗାଁର ଗୋବିନ୍ଦ ମିରିଗ ନାମକ ଜଣେ ବ୍ୟକ୍ତିଙ୍କ ହ୍ଵାଟସ୍‌ଆପ୍‌କୁ ଗତ ୩ ତାରିଖରେ ‘କୌନ୍‌ ବନେଗା କରୋଡ ପତି’ ପକ୍ଷରୁ ଏକ ମ୍ୟାସେଜ୍‌ ଆସିଥିଲା। ଏଥିରେ ଗୋବିନ୍ଦ ୨୫ ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କୁହାଯାଇଥିଲା। ସେ କିପରି ଏହି ଟଙ୍କା ପାଇବେ, ସେ ସମ୍ପର୍କରେ ଏକ ଅଡ଼ିଓ ମାଧ୍ୟମରେ ତାଙ୍କୁ ଅବଗତ କରାଯାଇଥିଲା। ମୁମ୍ବାଇର ଏକ ରାଷ୍ଟ୍ରାୟାତ ବ୍ୟାଙ୍କରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜରଙ୍କ ଆକାଉଣ୍ଟକୁ ୧୬ ହଜାର ୧୦୦ ଟଙ୍କା ପଠାଇବାକୁ କୁହାଯାଇଥିଲା। ସେହି ଆଧାରରେ ସେ ଟଙ୍କା ଜମା କରିଥିଲେ। ପୁଣି ତାଙ୍କୁ ୨୫ ହଜାର ଟଙ୍କା ଜମା କରିବାକୁ କୁହାଯିବାରୁ ଠକେଇ ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ଅନ୍ତର୍ଜାତୀୟ ର‍୍ୟାକେଟ୍‌ କାର୍ଯ୍ୟ କରୁଥିବା କୁହାଯାଉଛି। ଏଭଳି ଘଟଣା ଘଟିଥିବା ବେଳେ ପୂର୍ବରୁ ଦିଲ୍ଲୀ, ବାଙ୍ଗାଲୁରରେ ଏଭଳି ଘଟଣା ଘଟିଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ମୁଖ୍ୟତଃ ଏହି ର‍୍ୟାକେଟ୍‌ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ପୂର୍ବରୁ ଏହି ଲଟେରୀ ଟଙ୍କା ପାଇଥିବା କିଛି ବ୍ୟକ୍ତିଙ୍କ ଭିଡିିଓ ଓ ଫଟୋ ହ୍ଵାଟସ୍‌ଆପ୍‌ରେ ପଠାଉଛନ୍ତି। ହ୍ଵାଟସ୍‌ଆପ୍‌ରେ ମ୍ୟାସେଜ୍‌ ଆସିଥିବା ବ୍ୟକ୍ତିଙ୍କୁ ପ୍ରଭାବିତ କରିବା ପାଇଁ ଅମିତାଭ ବଚ୍ଚନଙ୍କ ରିୟଲିଟି ସୋ ପକ୍ଷରୁ ଲକି ନମ୍ବର ଭାବେ ଚୟନ କରାଯାଇଥିବା କୁହାଯାଉଛି। ଅଧିକ ସୂଚନା ଜାଣିବା ପାଇଁ କେବଳ ଫୋନ୍‌ ନମ୍ବର ୮୫୪୬୯୯୭୦୫୧ରେ କେବଳ ହ୍ଵାଟସ୍‌ଆପ୍‌ ମାଧ୍ୟମରେ ଫୋନ୍‌ କରିବାକୁ ସେପଟୁ ନିର୍ଦ୍ଦେଶ ଆସୁଛି। ବେଙ୍ଗାଲୁର୍‌ରେ ଗତ ୨୦୧୭ ଜାନୁଆରି ୫ ତାରିଖରେ ଇସ୍‌ମାଇଲ୍‌ ସରିଫ୍‌ ନାମକ ଜଣେ କାର୍‌ ମେକାନିକ୍‌ ହ୍ଵାଟସ୍‌ଅପ୍‌କୁ ଏହି ସୋ ମାଧ୍ୟମରେ ୩୫ ଲକ୍ଷ ଟଙ୍କା ପୁରୁସ୍କାର ଜିତିଥିବା କୁହାଯାଇଥିଲା। ପୁରସ୍କାର ପାଇବା ଲୋଭରେ ତାଙ୍କର ୧ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ୨୦୧୭ ଅଗଷ୍ଟ ୫ ତାରିଖରେ ସୁନ୍ଦରଗଡ଼ର ବଣ୍ଡମୁଣ୍ଡା ପୁଲିସ ପକ୍ଷରୁ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର