ଭୁବନେଶ୍ବର: ଯେତେ କହିଲେ ବି ମାନୁନାହାନ୍ତି। କିଛି ନିୟମ ଉଲ୍ଲଂଘନକାରୀଙ୍କ ଯୋଗୁଁ ସଂକ୍ରମଣ ହାର ବୃଦ୍ଧି ପାଉଛି। ଆସନ୍ତା ବୁଧବାରଠାରୁ ଏପରି ନିୟମ ଉଲ୍ଲଂଘନାରୀଙ୍କୁ ସ୍ଥାନୀୟ ପ୍ରଶାସନ ଓ ପୁଲିସ କଠୋର ଦଣ୍ଡବିଧାନ କରିବ। ଆଜି କୋଭିଡ୍ ସଂକ୍ରମଣ ନେଇ ସୂଚନା ଦେବାବେଳେ ଏପରି ସତର୍କ କରାଇ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା।
ଶ୍ରୀ ଜେନା କହିଛନ୍ତି, ସେପ୍ଟେମ୍ବର ମାସରୁ ରାଜ୍ୟରେ ଲକ୍ଡାଉନ୍ ଓ ସଟ୍ଡାଉନ୍ କଟକଣା କୋହଳ ହେବା ପରେ ବିଶେଷ କରି କଟକ ଓ ଭୁବନେଶ୍ବରରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ସଂକ୍ରମଣ ପ୍ରତିରୋଧ ପାଇଁ ଜନସାଧାରଣ ସବୁ ପ୍ରକାର ସତର୍କତାମୂଳକ ମୂଳକ ପଦକ୍ଷେପ ନେବା ଦରକାର। ଓଡ଼ିଶାରେ ଏ ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ୨୪ ହଜାର ଲୋକ କୋଭିଡ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଦୈନିକ ରାଜ୍ୟରେ ୬୦ ହଜାରରୁ ୬୫ ହଜାର ପରୀକ୍ଷଣ କରାଯାଉଛି। ରାଜ୍ୟରେ ୫୦ଟି କୋଭିଡ ହସ୍ପିଟାଲ କରାଯାଇଛି। ଯେଉଁଥିରେ କୋଭିଡ୍ ରୋଗୀଙ୍କୁ ଚିକିତ୍ସା ପାଇଁ ୭୩୨ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାପ୍ତ ସଂଖ୍ୟକ କୋଭିଡ୍ କେୟାର୍ ସେଣ୍ଟର, କୋଭିଡ୍ କେୟାର ହୋମ୍, କ୍ଲଷ୍ଟର୍ ଓ ଟିଏମ୍ସି କରାଯାଇଛି। କିନ୍ତୁ ସଂକ୍ରମଣ ରୋକିବା ପାଇଁ ଲୋକମାନଙ୍କର ବ୍ୟାବହାରିକ ଓ ଜୀବନଯାପନ ଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆସିବା ଆବଶ୍ୟକ। ଲକ୍ଡାଉନ୍ ଓ ସଟ୍ଡାଉନ୍ ଦ୍ବାରା ରାଜ୍ୟ ଓ ଦେଶର ଅର୍ଥନୀତି ପ୍ରଭାବିତ ହେଉଛି। ତେଣୁ ଜୀବନ ଓ ଜୀବିକାର ସନ୍ତୁଳନ ପାଇଁ ଜନସାଧାରଙ୍କୁ ଆହୁରି ଦାୟିତ୍ବବାନ ହେବାକୁ ପଡ଼ିବ। ପରିବାର ମୁରବୀ, ସମାଜର ସଚେତନ ନାଗରିକ, ଗୋଷ୍ଠୀ ସ୍ତରରେ ନେତୃବୃନ୍ଦ, ସାହି ମୁରବୀ ଓ ନାଗରିକ କଲ୍ୟାଣ କର୍ମକର୍ତ୍ତା ନିଜ ନିଜ ସ୍ତରରେ କୋଭିଡ୍ ସଚେତନତା ସୃଷ୍ଟି କରିବା ନିମନ୍ତେ ଶ୍ରୀ ଜେନା ଆହ୍ବାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/fh98sdf7987hs98shhfhhfsfhhfs.jpg)