ସାବଧାନ! ବୁଲୁଛନ୍ତି ନାମଲେଖା ଦଲାଲ୍‌, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସତର୍କ କରାଇଲା ଡିଏମ୍‌ଇଟି

ଦୃଷ୍ଟିକୁ ଆସିଲେ ଥାନାରେ ଏତଲା ଦିଅନ୍ତୁ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ‘ସରକାରୀ ନର୍ସିଂ ସ୍କୁଲରେ ପଢ଼ିବାକୁ ଚାହୁଁଛନ୍ତି କି? କମ୍‌ ମାର୍କ ଥାଉ ପଛେ ଆମେ ଆପଣଙ୍କୁ ସିଟ୍‌ କରାଇଦେବୁ। ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏବେ ୨୦ ହଜାର ଟଙ୍କା ପଇଠ କରନ୍ତୁ। ଆମେ ଆଗୁଆ ସିଟ୍‌ ବୁକିଂ କରି ଦେବୁ। ନ ହେଲେ ସିଟ୍‌ ମିଳିବନି। ଘରୋଇ ନର୍ସିଂ ସ୍କୁଲରେ ଦୁଇ ଲକ୍ଷ ଟଙ୍କା ଦେଇ ପଢ଼ିବେ।’ ସରକାରୀ ନର୍ସିଂ ସ୍କୁଲ ଓ କଲେଜରେ ନାମ ଲେଖାଇଦେବାକୁ କହି ଦଲାଲ୍‌ମାନେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏଭଳି ଭାବେ ଠକି ଚାଲିଛନ୍ତି। କଟକ କି ଭୁବନେଶ୍ବର ନୁହେଁ, ସାରା ଓଡ଼ିଶାରେ ନାମଲେଖା ଦଲାଲ୍‌ମାନେ ଦଶମ ଓ ଦ୍ବାଦଶ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ଫୋନ୍‌ କରି ଏଭଳି ଲୋଭ ଦେଖାଉଛନ୍ତି। ଆଉ ଦଲାଲ୍‌ଙ୍କ ଜାଲରେ ପଡ଼ି ଛାତ୍ରଛ‌ାତ୍ରୀ ଓ ଅଭିଭାବକ ହଜାର ହଜାର ଟଙ୍କା ପାଣିରେ ପକାଉଛନ୍ତି।

ରାଜ୍ୟର କୋଣ ଅନୁକୋଣରେ ଶତାଧିକ ଛାତ୍ରଛାତ୍ରୀ ଏଭଳି ଠକାମିର ଶିକାର ହେଉଥିବା ନଜରକୁ ଆସିଛି। ଯାହାକୁ ରୋକିବା ସରକାରୀସ୍ତରରେ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଛାତ୍ରଛାତ୍ରୀଙ୍କୁ କିଭଳି ନାମଲେଖା ଦଲାଲ୍‌ଙ୍କ ଜାଲ୍‌ରୁ ରକ୍ଷା କରାଯାଇପାରିବ ସେଥିପାଇଁ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦେଶାଳୟ(ଡିଏମ୍‌ଇଟି) ଏବେ ସତର୍କ ସୂଚନା ଜାରି କରିଛି। ଡିଏମ୍‌ଇଟିର ରାଜ୍ୟ ନର୍ସିଂ ସିଲେକ୍ସନ କମିଟିର ଆବାହକଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ କିଛି ଅସାଧୁ ବ୍ୟକ୍ତି ସରକାରୀ ନର୍ସିଂ ସ୍କୁଲ ଓ କଲେଜଗୁଡ଼ିକରେ ସିଟ୍‌ କରାଇଦେବା କହି ଅର୍ଥ ଦାବି କରୁଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ଛାତ୍ରଛାତ୍ରୀ/ଅଭିଭାବକ ଏପରି ବ୍ୟକ୍ତିଙ୍କ ପରୋଚନାରେ ପଡ଼ନ୍ତୁ ନାହିଁ। ଏହାପରେ ଯଦି ‌କୌଣସି ଅଭିଭାବକ ଠକାମିର ଶିକାର ହୁଅନ୍ତି, ‌‌ତେବେ କର୍ତୃପକ୍ଷ ଦାୟୀ ରହିବେ ନାହିଁ। ଯଦି ଏହିପରି କିଛି ଘଟଣା ନଜରକୁ ଆସେ ତେବେ ମୋବାଇଲ୍‌ ନମ୍ବର(୯୪୩୯୯୯୧୨୪୭)ରେ ଯୋଗାଯୋଗ କରନ୍ତୁ।

ଦଲାଲ୍‌ମାନେ କେବଳ ଯେ ସରକାରୀ ନର୍ସିଂ ସ୍କୁଲ କିମ୍ବା କଲେଜରେ ନାମଲେଖା ଲାଗି ଏଭଳି ପ୍ରଲୋଭନ ଦେଖାଉଛନ୍ତି ତାହା ନୁହେଁ। ସାମ୍‌ସ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଯୁକ୍ତ୨ ଓ ଯୁକ୍ତ୩ ନାମଲେଖା ହେଉଛି। ତା’ପରେ ବି ନାମଲେଖା ଦଲାଲ୍‌ମାନେ ଏଠାରେ ବି ଛାତ୍ରଛାତ୍ରୀଙ୍କ ନାମ ଲେଖା କରାଇ ଦେବାକୁ କହି ଅର୍ଥ ଆଦାୟ କରୁଛନ୍ତି। ୧୦ରୁ ୧୫ ହଜାର ଟଙ୍କା ଦେଲେ ଭୁବନେଶ୍ବର ସହରର ନାମକରା କଲେଜରେ ସିଟ୍‌ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ବିଶେଷକରି ଯେଉଁ ଛାତ୍ରଛାତ୍ରୀ ନାମକରା ଯୁକ୍ତ୨ ଓ ଯୁକ୍ତ୩ କଲେଜରେ ସିଟ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ଦଲାଲ୍‌ମାନେ ଟାର୍ଗେଟ୍‌ କରୁଛନ୍ତି। ସେମାନେ କଲେଜ ନିକଟରେ ଛିଡ଼ା ହୋଇ ନିରାଶ ହେଉଥିବା ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରୁଛନ୍ତି। ଭୁବନେଶ୍ବର ସହରରେ ଥିବା ଏକ ନାମକରା ସରକାରୀ କଲେଜ ଅଧ୍ୟକ୍ଷ ଏଭଳି ଘଟଣାକୁ ନେଇ ଆଜି ହଟହଟା ହୋଇଛନ୍ତି। ଜଣେ ମହିଳା ଅଭିଭାବକ କଲେଜ ଅଧ୍ୟକ୍ଷଙ୍କ ରୁମ୍‌ରେ ପହଞ୍ଚି ତାଙ୍କ ପିଲାର ନାମଲେଖା କାହିଁକି ହେଲାନି ବୋଲି ପ୍ରଶ୍ନ କରିଥିଲେ। କି ନାମଲେଖା ବୋଲି ଅଧ୍ୟକ୍ଷ ପଚାରିବାରୁ ମହିଳା ଜଣକ କହିଲେ ମୋ ପିଲାର ନାମଲେଖା ପାଇଁ ଆପଣଙ୍କୁ ଡକ୍ୟୁମେଣ୍ଟ ଦେଇଥିଲି। କେବେ ଓ କେଉଁଠି ଡକ୍ୟୁମେଣ୍ଟ ଦେଇଥିଲ ବୋଲି ଅଧ୍ୟକ୍ଷ ପଚାରିବାରୁ ଅଭିଭାବକ ଜଣଙ୍କ କହିଲେ ଫାଟକ ବାହାରେ କେତେଜଣ ଯୁବକ ମୋ’ଠାରୁ ସାର୍ଟିଫିକେଟ୍‌ ନେଇ ଆପଣଙ୍କୁ ଦେବେ ବୋଲି କହିଥିଲେ। ମହିଳାଙ୍କ ଏଭଳି ଉତ୍ତର ଶୁଣି କଲେଜ ଅଧ୍ୟକ୍ଷ ତାଜୁବ୍‌। ଏହାପରେ କଲେଜ ଅଧ୍ୟକ୍ଷ କ୍ୟାମ୍ପସର ସୁରକ୍ଷା ବଢ଼ାଇବା ସହ ଆଗକୁ କିଭଳି ଓ କେମିତି ଏଭଳି ଘଟଣା ନ ହୁଏ ସେଥିପ୍ରତି ନଜର ରଖିବାକୁ କଲେଜର ସୁରକ୍ଷା କର୍ମୀଙ୍କୁ ନିର୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯୁକ୍ତ୨ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ସାମ୍‌ସ ମାଧ୍ୟମରେ ହେଉଛି। ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ଅନୁଯାୟୀ କଲେଜ ଓ ସିଟ୍‌ ମିଳିବ। ବେଆଇନ ଭାବେ ନାମଲେଖାର କୌଣସି ସୁଯୋଗ ନାହିଁ। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିପ୍ରତି ସାବାଧାନ ରୁହନ୍ତୁ। ଦଲାଲ୍‌ଙ୍କୁ ଅର୍ଥ ଦେଲେ ମଧ୍ୟ ନାମ ଲେଖାଇବାର କୌଣସି ସୁଯୋଗ ନାହିଁ। ସ୍ପଟ୍‌ ସିଲେକ୍ସନରେ ନାମଲେଖା ବେଳେ ଦଲାଲ୍‌ଗିରି ହେଉଥିବା ନଜରକୁ ଆସିବା ପରେ ତାହାକୁ ଏବେ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଯଦି କେଉଁଠାରେ ନାମଲେଖା ଦଲାଲ୍‌ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଦୃଷ୍ଟିକୁ ଆସେ ତେବେ ତୁରନ୍ତ ନିକଟସ୍ଥ ଥାନାରେ ଏତଲା ଦେବାକୁ ଅଭିଭାବକଙ୍କୁ ସେ ପରାମର୍ଶ ଦେଇଛନ୍ତି। ଯଦି କୌଣସି କଲେଜ କର୍ତୃପକ୍ଷ ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼େ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର