ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ପଞ୍ଚମ ପାଳି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାୟ ୫୦ ଜଣ ଦିବ୍ୟାଙ୍ଗଙ୍କୁ ଭେଟି ଅଭିଯୋଗ ଶୁଣିଥିଲେ ଓ ଦରଖାସ୍ତ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ମାନବିକତାପୂର୍ଣ୍ଣ ବ୍ୟବହାରରେ ଦିବ୍ୟାଙ୍ଗମାନେ ଖୁସି ପ୍ରକଟ କରିଥିଲେ।
ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ପଞ୍ଚମ ପାଳିରେ ପହଞ୍ଚିଛି। ଲୋକଙ୍କ ସୁବିଧାକୁ ଆଖି ଆଗରେ ରଖି ବର୍ତ୍ତମାନ ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ଅନ୍ଲାଇନ୍ କରାଯାଇଅଛି। ଏହାଦ୍ବାରା ଅଭିଯୋଗକାରୀଙ୍କୁ ଅଯଥାରେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁନାହିଁ। ପ୍ରତି ପାଳିରେ ସମସ୍ତଙ୍କୁ ଉପଯୁକ୍ତ ସମୟ ଦେବାପାଇଁ ସର୍ବାଧିକ ହଜାର ଅଭିଯୋଗକାରୀଙ୍କୁ ଭେଟିବାର ବ୍ୟବସ୍ଥା କରାଯାଇଛି। ନୟାଗଡ଼ ଜିଲ୍ଳାର ବୟସ୍କ ମହିଳା କେତକୀ ନନ୍ଦଙ୍କୁ ପୁଅ ଘରୁ ବାହାରକୁ ବାହାର କରିଦେଇଛି। ତାଙ୍କ ଦୁଃଖ କାହାଣୀ ଶୁଣି ମୁଖ୍ୟମନ୍ତ୍ରୀ ବ୍ୟଥିତ ହୋଇଥିଲେ। ତୁରନ୍ତ ମା’ ଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲା ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ବନିତା ପ୍ରଧାନ ଓ ଅମିତା ପ୍ରଧାନ ଦୁଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ନିଜର ସମସ୍ୟା ଜଣାଇଥିଲେ। ସେମାନଙ୍କ ବାପା ମରିଯାଇଛନ୍ତି, ଦଶାହ କାର୍ଯ୍ୟ କରିବା ପାଇଁ ଦୁଇ ଛୋଟ ଝିଅଙ୍କ ପାଖେ ଅର୍ଥ ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ଶୁଣି ଜିଲ୍ଲାପାଳଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ଦୁର୍ଘଟଣା ପୀଡ଼ିତ ପରିବାରରୁ ୫ଜଣ ମହିଳା ସଦସ୍ୟା ତାଙ୍କ ଘରର ରୋଜଗାରିଆ ସଦସ୍ୟଙ୍କୁ ହରାଇ ବହୁ ଦୁଃଖରେ ଚଳୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ମହିଳାମାନଙ୍କୁ ରୋଜଗାର ଯୋଗାଇଦେଇ ଥଇଥାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଟଣୀରୁ ପ୍ରୀତି ମହାନ୍ତି ଓ ଲକ୍ଷ୍ମୀପ୍ରିୟା ନାୟକଙ୍କ ଅଭିଯୋଗ ଶୁଣି ମୁଖ୍ୟମନ୍ତ୍ରୀ ତୁରନ୍ତ ସମସ୍ୟାର ସମାଧାନ ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହିଭଳି ଅନ୍ୟମାନେ ସ୍ବାସ୍ଥ୍ୟଗତ, ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଭେଟି ସେମାନଙ୍କ ଦରଖାସ୍ତ ଦେଇଥିଲେ ଓ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ପାଇ ଫେରିଥିଲେ। ଅଭିଯୋଗ ନେଇ ଆସିଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭରସା ଦେଇ କହିଥିଲେ, ଧୈର୍ଯ୍ୟ ରଖନ୍ତୁ, ସବୁ ସମସ୍ୟାର ସମାଧାନ ହେବ।
ଆଜି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ସେମାନଙ୍କ ସହିତ ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ।