ଭୁବନେଶ୍ୱର: ବିପର୍ଯ୍ୟୟର ମୁକାବିଲା ଠିକ୍ ଭାବେ ହେବା ଦରକାର। ଏହାର ସୁପରିଚାଳନା କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରରେ ଅଧିକାରୀମାନଙ୍କର ଦକ୍ଷତା ଅଭିବୃଦ୍ଧି କରିବାକୁ ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ କହିଛନ୍ତି।
ଆଜି ସଚିବାଳୟରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନ୍ତର୍ଗତ ଗଠିତ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଶ୍ରୀ ପାଢୀ ଅଧ୍ୟକ୍ଷତା କରି ନିର୍ଦ୍ଦେଶ ଦେଇଛନ୍ତି ଯେ, ବିପର୍ଯ୍ୟୟରେ ପ୍ରାଣ ହରାଉଥିବା ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସହାୟତା ରାଶି ତୁରନ୍ତ ପ୍ରଦାନ କରାଯିବା ଲାଗି ବିଭାଗଗୁଡ଼ିକ ଆବଶ୍ୟକୀୟ ପଦକ୍ଷେପ ନେବେ। ମରୁଡି ସେଲ୍କୁ ସୁଦୃଢ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ମରୁଡି, ପୋକ ଆକ୍ରମଣ ଏବଂ ଅଦିନିଆ ଲଘୁଚାପ ବର୍ଷା ଯୋଗୁଁ ଖରିଫ ଫସଲ କ୍ଷତି ବାବଦକୁ ଦିଆଯାଉଥିବା ଇନପୁଟ୍ ସବସିଡି ପ୍ରଦାନ ପ୍ରକ୍ରିୟାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ବୈଠକରୁ ଜଣାପଡ଼ିଛି ଯେ, ରାଜ୍ୟରେ ଦେଖାଦେଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ହୋଇଥିବା କ୍ଷୟକ୍ଷତିର ସହାୟତା ପାଇଁ ରାଜ୍ୟ ସହାୟତା ପାଣ୍ଠିରୁ ଚଳିତ ଜାନୁଆରି ୧୧ ତାରିଖ ସୁଦ୍ଧା ୯୧୯କୋଟି ୮୮ଲକ୍ଷ ଟଙ୍କା ଇନପୁଟ୍ ସବ୍ସିଡ ଏବଂ ଅନ୍ୟାନ୍ୟ ସହାୟତା ଏବଂ ଭିତ୍ତିଭୂମିର ମରାମତି ପାଇଁ ଯୋଗାଇ ଦିଆଯାଇଛି। ଏଥିରୁ ୮୫୨୧୫.୫୫୨ ଲକ୍ଷ ଟଙ୍କା କ୍ଷତିଗ୍ରସ୍ତ ଜିଲ୍ଲା ଏବଂ ୬୭୭୨.୫୨୮ ଲକ୍ଷ ଟଙ୍କା ବିଭିନ୍ନ ବିଭାଗକୁ ଯୋଗାଇ ଦିଆଯାଇଛି। ଏହା ସହିତ ବଜ୍ରପାତ, ଅଗ୍ନିକାଣ୍ଡ , ସାପ କାମୁଡ଼ା, ପାଣିରେ ବୁଡ଼ି ମୃତ୍ୟୁବରଣ ଆଦି ନିମନ୍ତେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆ ଯାଇଛି। ଏହି ବୈଠକରେ ‘ସ୍କୁଲ ସେଫଟି ପଲିସି-୨୦୧୭’ ଆଧାରରେ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବିଦ୍ୟାଳୟ ନିରାପତ୍ତା ଉପଦେଷ୍ଟା କମିଟି ଗଠନ, ରାଜ୍ୟ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ଓ ରାଜ୍ୟ ତଥା ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ପରିଚାଳନା ନିଷ୍ପତ୍ତି ସହାୟତା ବ୍ୟବସ୍ଥା ସ୍ଥାପନ ସମ୍ପର୍କରେ ଆଲୋଚନା ହୋଇଥିଲା।
ଆଜିର ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, କୃଷି ଓ କୃଷକ ସଶକ୍ତି କରଣ ପ୍ରମୁଖ ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଡିକେ ସିଂହ , ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ବୀରବିକ୍ରମ ଯାଦବଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ।
ବିପର୍ଯ୍ୟୟ ସହାୟତା ତୁରନ୍ତ ପ୍ରଦାନ କର
/sambad/media/post_attachments/wp-content/uploads/2017/11/cyclone.jpg)