ପୁରୀ: ବେଳାଭୂମିକୁ ବ୍ଲୁ-ଫ୍ଲାଗ ବିଚ୍ର ରୂପ ଦେବା ପାଇଁ ଚାଲିଛି ନିର୍ମାଣ କାର୍ଯ୍ୟ। ପର୍ଯ୍ୟଟକଙ୍କୁ ଦିଗବାରେଣୀରୁ ଷ୍ଟର୍ଲିନ ପର୍ଯ୍ୟନ୍ତ ଲ୍ୟାଣ୍ଡ ସ୍କେପିଂ ଅନୁଭବ ଭେଟିଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ମାତ୍ର ଲ୍ୟାଣ୍ଡ ସ୍କେପିଂ ପାଇଁ ଲଗାଯାଇଥିବା ଝାଉଁଗଛ ମରିଗଲାଣି। ପ୍ରକଳ୍ପ ଆରମ୍ଭରୁ ଉଜୁଡ଼ିଗଲାଣି। ଫଳରେ ଲ୍ୟାଣ୍ଡ ସ୍କେପିଂର ରୂପ ଦେବାକୁ ଅଣାଯାଇଥିବା ଶହଶହ ଗଛ ନଷ୍ଟ ହୋଇଯାଇଛି। ଚାରା ରୋପଣ କରାଯାଇଥିଲେ ହେଁ ଯତ୍ନ ଅଭାବରୁ ସେଗୁଡ଼ିକ ମରିଯାଇଛି। ୧୦୨ କୋଟି ଟଙ୍କା ବିନିମୟରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିଲେ ବି ଗୋଦରା କୋଡ଼େ ଯେତେ ମାଡ଼େ ସେତେ ଭଳି ସ୍ଥିତି ଉପୁଜିଛି।
ବେଳାଭୂମି ସହ ବେଳାମାର୍ଗକୁ ନୂଆ ରୂପ ଦେବା ପାଇଁ ପ୍ରାୟ ୧୦୨ କୋଟି ଟଙ୍କାର ବଜେଟ୍ ହୋଇଛି। ଦିଗବାରେଣୀ ଛକଠାରୁ ଷ୍ଟର୍ଲିନ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ କିଲୋମିଟର ବେଳାମାର୍ଗ ଓ ବେଳାଭୂମିର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି। ବାଲୁକା ରାଶିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ଅଞ୍ଚଳକୁ ବ୍ଲୁ ଫ୍ଲାଗ୍ ବିଚ୍ର ଲ୍ୟାଣ୍ଡ ସ୍କେପିଂ ରୂପ ଦେବାକୁ ପ୍ରୟାସ କରାଯାଉଛି। ଗଛଗୁଡ଼ିକୁ ପ୍ରାୟ ୬ ଫୁଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପର୍ଯ୍ୟଟକଙ୍କୁ ନୂଆ ଅନୁଭବ ଦେବାର ସୁଯୋଗ ସୃଷ୍ଟି କରାଯିବା ନେଇ ନକ୍ସା ପ୍ରସ୍ତୁତ ହୋଇଛି। କିନ୍ତୁ ଚାରା ରୋପଣ ବର୍ଷା ପୂର୍ବରୁ ନହେବା ଓ ରକ୍ଷଣାବେକ୍ଷଣ ଅଭାବରୁ ଚାରାଗୁଡ଼ିକୁ ବଞ୍ଚେଇବାରେ ଠିକା ସଂସ୍ଥା ସଫଳ ହୋଇନାହିଁ। ପୁନର୍ବାର ପୁଣି ଚାରା ଆଣିବା ପାଇଁ ଯୋଜନା କରାଯାଉଥିବା କୁହାଯାଉଛି।
ଲ୍ୟାଣ୍ଡ ସ୍କେପିଂ ମଧ୍ୟରେ ସାଢ଼େ ୪କିଲୋମିଟର ବେଳାମାର୍ଗରୁ ପ୍ରାୟ ୧୮୦୦ ମିଟର ପର୍ଯ୍ୟନ୍ତ ୫ଫୁଟ ଓସାରର ଗ୍ରାନାଇଟ ପାଦ ଚଲା ରାସ୍ତା ଓ କବଲ୍ଷ୍ଟୋନ ଖଞ୍ଜାଯାଉଛି। ଏହି ପାଦଚଲା ରାସ୍ତାକୁ ଲାଗି ଦୁଇଥାକିଆ ଝାଉଁ ଗଛ ଲାଗିଥିଲେ ହେଁ ସେଥିରୁ ଗୋଟିଏ ମଧ୍ୟ ଜୀବିତ ନାହିଁ। ତେବେ ବେଳାଭୂମି ପରିସରରେ ସମୁଦ୍ରର ଦୃଶ୍ୟ ଉପଭୋଗ କରିବା ପାଇଁ ୱାଚ୍ ଟାୱାର ସ୍ଥାପନ କରାଯାଉଛି। ବେଳାମାର୍ଗକୁ ସୁଦୃଶ୍ୟ ଆଲୋକୀକରଣରେ ସୁସଜ୍ଜିତ କରାଯିବାର ବନ୍ଦୋବସ୍ତ କରାଯାଉଛି। ବେଳାଭୂମି ପରିସରରେ ବ୍ୟବସାୟୀଙ୍କୁ ବ୍ୟବସ୍ଥିତ କରିବାକୁ ସମାନ ପ୍ରକାର କିଓସ୍କୋ ଯୋଗାଇ ଦେବା କାର୍ଯ୍ୟ ଜାରି ରହିଛି। ପ୍ରାୟ ୬୬୬ଟି କିଓସ୍କୋ ସ୍ଥାପନ ହେବା ନେଇ ଲକ୍ଷ୍ୟ ରଖାଯାଇଥିଲେ ହେଁ ଏପର୍ଯ୍ୟନ୍ତ ମାତ୍ର ୧୨୦ଟି କଳଙ୍କି ନିରୋଧ କିଓସ୍କୋ ନିର୍ମାଣ ସରିଛି। କାର୍ଯ୍ୟ ଅବଧି ଆସନ୍ତାବର୍ଷ ଜୁନ ସୁଦ୍ଧା ସାରିବାକୁ ଚୁକ୍ତି ହୋଇଥିଲେ ହେଁ ସମ୍ଭାବନା କ୍ଷୀଣ ବୋଲି ଜଳଜଳ ବାରି ହୋଇ ପଡ଼ୁଥିବା ସାମାଜିକ କର୍ମୀ ଜ୍ୟୋତିରଂଜନ ନାୟକ କହିଛନ୍ତି।