ବାତ୍ୟା ଆଶଙ୍କାରେ ପରିବା ଦର ଆକାଶ ଛୁଆଁ; ବିନ୍ କିଲୋ ୧୦୦କୁ ପୋଟଳ ୮୦

ବାଲିଅନ୍ତା: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିଅନ୍ତା ଏବଂ ବାଳକାଟି ଅଞ୍ଚଳରେ ଆଜି ପନି ପରିବା ଦର ଆକାଶ ଛୁଆଁ ହୋଇଥିଲା। ଶିଶିଲୋ ସାପ୍ତାହିକ ହାଟ ଓ ବାଳକାଟି ବଜାରରେ ପରିବା ଦର ଅହେତୁକ ମୂଲ୍ୟ ବୃଦ୍ଧି କରି ବ୍ୟବସାୟୀମାନେ ମୁନାଫା ଉଠାଇ ଥିଲେ। ପରିବା ଦରରେ ଏଭଳି ମୂଲ୍ୟ ବୃଦ୍ଧି ସବୁ ବର୍ଗର ଗ୍ରାହକମାନଙ୍କୁ ଖୁବ ବାଧିଥିଲା। ଏନେଇ ଗ୍ରାହକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ହାଟରେ ସବୁ ପ୍ରକାରର ପରିବା ମୂଲ୍ୟ ଏତେ ବୃଦ୍ଧି ଘଟିଥିଲାଯେ, ୫୦୦ ଟଙ୍କାର କିଣିଲେ ସୁଦ୍ଧା ବ୍ୟାଗ ପୂରି ନଥିଲା। ବାତ୍ୟା ଭୟ ଯୋଗୁ ପରିବା କିଣିବା ପାଇଁ ଆଜି ଶିଶିଲୋ ହାଟ ତଥା ସବୁ ଛକ ବଜାରରେ  ଲୋକମାନଙ୍କର ନାହିଁ ନଥିବା ଭିଡ଼ ଲାଗିଥିଲା। ଏନେଇ ବ୍ୟବସାୟୀମାନେ ପରିବା କିଲ ପିଛା ମନଇଚ୍ଛା ଦର ବଢ଼ାଇ ଦେଇଥିଲେ। ବାଲିଅନ୍ତା, ବାଳକାଟି ବଜାର ସମେତ ଟଙ୍କପାଣି ବ୍ରିଜ, ଭିଙ୍ଗାରପୁର ପରିବା ମାର୍କେଟରେ ଆଜି ପରିବାଦର ଦୁଇଗୁଣା ବୃଦ୍ଧି ପାଇଥିବା ଲକ୍ଷ କରାଯାଇଥିଲା।

ସୂଚନା ଅନୁଯାୟୀ ଆଜି ବୁଧବାର ଶିଶିଲୋ ସାପ୍ତାହିକ ହାଟରେ ପରିବା ଦର ଯଥାକ୍ରମେ କିଲୋ ପ୍ରତି ମୂଲ୍ୟ ୧ କିଲ ୧୦୦ ଟଙ୍କା, ଦେଶୀ ପୋଟଳ ୮୦ ଟଙ୍କା, ବାଇଗଣ ୬୦ ଟଙ୍କା, କଖାରୁ ୧୫ ଟଙ୍କା, ଟମାଟୋ ୫୦ ଟଙ୍କା, ଭେଣ୍ଡି ୪୦ ଟଙ୍କା, କଞ୍ଜା କଦଳୀ ୪ଟାକୁ ୩୦ ଟଙ୍କା, ଲଙ୍କା ୧୦୦କୁ ୨୦ ଟଙ୍କା, ଆଳୁ ୧୫ ଟଙ୍କା ଓ ପିଆଜ ୨୦ ଟଙ୍କା ରହିଥିଲା। ସେହିପରି ବାଳକାଟି ତଥା ଅନ୍ୟାନ୍ୟ ଛକ ବଜାରରେ ମଧ୍ୟ ପରିବା ଦର ଅନୁରୂପ ଭାବେ ବୃଦ୍ଧି ପାଇଥିବା ଦେଖାଯାଇଥିଲା। ବଡ଼ କଥା ହେଉଛି , ବାତ୍ୟା ଗୁଲାବ ସମୟରେ ସଂପୃକ୍ତ ପରିବା ବ୍ୟବସୟେୀମାନେ ମନମୁଖୀ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ ହେଁ ବ୍ଲକ କି ତହସିଲ ପ୍ରଶାସନ ହାଟ ଓ ବଜାରରେ ଚଢ଼ଉ କରି ଥିଲା।

ସମ୍ବନ୍ଧିତ ଖବର