ନୂଆପଡ଼ା ଜିଲ୍ଲାପାଳଙ୍କ ବାସଭବନରେ ଭାଲୁ

୬ ବର୍ଷ ପରେ ଘଟଣାର ପୁନରାବୃତ୍ତି

ନୂଆପଡ଼ା : ଛଅବର୍ଷ ପୂର୍ବେ ନୂଆପଡ଼ା ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପରିସରରେ ଗୋଟିଏ ଭାଲୁ ପଶିଯାଇଥିଲା। ଆଜି ଏହି ଘଟଣାର ପୁନରାବୃତ୍ତି ଘଟିଥିଲା। ସେମିତି ଗୋଟିଏ ଭାଲୁ ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ବାସଭବନ ପରିସରକୁ ପଶିଯାଇଥିଲା। କର୍ମଚାରୀମାନେ ଭାଲୁଟିକୁ ଦେଖି ଭୟଭୀତ ହୋଇ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ। ପ୍ରାୟ ୧୭ ଘଣ୍ଟା ଧରି ପୁଲିସ୍‌ ଓ ବନ ବିଭାଗ ଭାଲୁ ଉପରେ ନଜର ରଖିଥିଲେ। ରାତି ୧୦ଟା ସୁଦ୍ଧା ମିଳିଥିବା ସୂଚନାନୁସାରେ, ଜିଲ୍ଲାପାଳଙ୍କ ବାସଭବନରୁ ବାହାରି ଭାଲୁଟି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରହିଛି। ବିଳମ୍ବିତ ରାତିରେ ବନ ବିଭାଗ ନୀଳଶୈଳ ନଗରରେ ରହୁଥିବା ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘରୁ ନବାହାରିବାକୁ ନିବେଦନ କରିଛି।

ନୂଆପଡ଼ା ଜିଲ୍ଲାପାଳଙ୍କ ବାସଭବନରେ ଭାଲୁ ଆତଙ୍କ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅନେକଥର ଏଭଳି ଘଟଣା ଘଟିଛି। ୨୦୦୬ ମସିହାରେ ତତ୍କାଳୀନ ଜିଲ୍ଲାପାଳ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକଙ୍କୁ ଖରିଆର ରୋଡ୍‌ ଆମସେନା ନିକଟରେ ଭାଲୁ ଆକ୍ରମଣ କରିଥିଲା। ସେ ଗୁରୁତର ଆହତ ହୋଇଥିଲେ। ଏହାର କିଛିଦିନ ପରେ ନୂଆପଡ଼ା ଉପଜିଲ୍ଲାପାଳ ଧ୍ରୁବରାଜ ପାଣ୍ଡେ କୋମନା ବ୍ଲକ୍‌ ଦର୍ଲିପଡ଼ା ନିକଟରେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରତର ଆହତ ହୋଇଥିଲେ। ୨୦୧୫ ମସିହାରେ ଜୟ କୁମାର ଭି. ନୂଆପଡ଼ା ଜିଲ୍ଲାପାଳ ଥିବା ସମୟରେ ତାଙ୍କ ବାସଭବନ ପରିସରକୁ ମଧ୍ୟ ଭାଲୁ ପଶିଥିଲା।

ସମ୍ବନ୍ଧିତ ଖବର