ସମରସିଂ ଜଙ୍ଗଲରେ ଭାଲୁ-ମଣିଷ ଲଢ଼େଇ,୩ ମୃତ, ୨ ଗୁରୁତର

ଭାଲୁ ପିଟିପିଟି ମାରିଦେଇଥିବା ଅଭିଯୋଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗ୍ରାମରେ ଶୁକ୍ରବାର ଭାଲୁ ଓ ମଣିଷ ମଧ୍ୟରେ ଲଢ଼େଇ ହୋଇଛି। ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ଓ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‌ସେହିପରି ଭାଲୁକୁ ପିଟି ପିଟି ମାରିଦେଇଥିବା ଅଭି‌ଯୋଗ ହୋଇଛି। ଗୁରୁତର ଆହତ ଦ୍ବୟଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ସମରସିଂ ଗ୍ରାମର ରତନ ମାଝୀ (୬୦ବର୍ଷ) ଶୁକ୍ରବାର ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ।

ସେଠାରେ ଭାଲୁ ଆକ୍ରମଣରେ ତାଙ୍କର ମୃତ୍ୟୃ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ସେ ଘରକୁ ଫେରିବାରୁ ତାଙ୍କୁ ଖୋଜିବା ପାଇଁ ଗ୍ରାମର ନକୁଲ ମାଝୀ (୬୦ବର୍ଷ), ରବି ରଣା (୨୭ବର୍ଷ), କୁନା ମାଝୀ (୨୬ବର୍ଷ), ପରମେଶ୍ବର ମାଝୀ (୫୦ବର୍ଷ) ଜଙ୍ଗଲକୁ ଯାଇଥିଲେ। ସେଠାରେ ରତନଙ୍କୁ ଭାଲୁ ମାରି ଦେଇଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ଭାଲୁଟି ପୁଣି ନକୁଲ ଓ ରବିଙ୍କୁ ଆକ୍ରମଣ କରିଥିଲା। ହେଲେ କିଛି ସମୟ ଭାଲୁ ସହିତ ସେମାନେ ଲଢ଼େଇ କରିଥିଲେ। ସେହି ଦୁଇଜଣଙ୍କୁ ମଧ୍ୟ ଭାଲୁ ମାରି ଦେଇଥିଲା। ଅନ୍ୟମାନେ ଭାଲୁକୁ ମଧ୍ୟ ମାରିଦେଇଥିବା ଆଲୋଚନା ହେଉଛି। ଶେଷ ଖବର ସୁଦ୍ଧା ବନ ବିଭାଗ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ରାତି ପ୍ରାୟ ୧୧ଟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତିନି ମୃତଦେହ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର