ପାଳଲହଡ଼ା : ଖମାର ରେଞ୍ଜ୍ ସହରଗୁରୁଜାଙ୍ଗ ସେକ୍ସନ ମାଙ୍କଡ଼ଚୁଆ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଦେଇଛି। ମାଙ୍କଡ଼ଚୁଆ ଗାଁର ସରସ୍ବତୀ ବେହେରା(୬୩) ରବିବାର ଦିନ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଦୀପାବଳି ପାଳନ ପାଇଁ ସରସ୍ବତୀ ରବିବାର ସକାଳେ ରେଙ୍ଗାଳି ଜଳ ଭଣ୍ତାର ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ। ପତ୍ର ତୋଳିବା ସମୟରେ ଏକ ମାଈ ଭାଲୁ ଓ ତାର ଦୁଇଟିଛୁଆ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଡାହାଣ ହାତକୁ କାମୁଡ଼ି ଛିଣ୍ତାଇ ଦେଇଥିବାବେଳେ ଦେହସାରା କ୍ଷତବିକ୍ଷତ କରିଦେଇଥିଲେ। ସରସ୍ବତୀ ଚିତ୍କାର କରିଥିଲେ। ନିକଟରେ ଥିବା ଗ୍ରାମବାସୀ ପହଞ୍ଚି ଭାଲୁଙ୍କୁ ତଡ଼ିବା ସହ ତାଙ୍କୁ ଉଦ୍ଧାର କରିଥିଲେ। ସରସ୍ବତୀଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ସରସ୍ବତୀଙ୍କ ପୁଅ ହେମନ୍ତ ବେହେରା କହିଛନ୍ତି।